ସ୍ୱାମୀଙ୍କ ପାଇଁ ଅନନ୍ତ ବ୍ରତ, ଏକାମ୍ର କ୍ଷେତ୍ରରେ ୪୦ ହଜାର ମହିଳାଙ୍କ ସମାଗମ

ପୁରୁଣା ଭୁବନେଶ୍ୱର, ଅନନ୍ତ ଚତୁର୍ଦ୍ଦଶୀ ଅବସରରେ ଆଜି ଶ୍ରୀଅନନ୍ତ ବାସୁଦେବ ମନ୍ଦିରରେ ପ୍ରାୟ ୪୦ ହଜାର ମହିଳାଙ୍କ ସମାଗମ ହୋଇଥିଲା। ସ୍ୱାମୀଙ୍କ ମଙ୍ଗଳ କାମନା କରି ସଧବାମାନେ ପୂଜାର୍ଚନା କରିଥିବା ବେଳେ ମୁକ୍ତି ପାଇଁ ବିଧବା ମହିଳାମାନେ ଏହି ବ୍ରତ ରଖିଥିଲେ। ବ୍ରତ ପୂଜା କରି ୧୨ପ୍ରକାର ଫଳ ଶ୍ରୀଜିଉଙ୍କୁ ସର୍ମପଣ କରିବା ପରେ ମହିଳାମାନେ ପ୍ରସାଦ ପାଇଥିଲେ। ଶ୍ରୀଜିଉଙ୍କ ଦର୍ଶନ ଓ ପୂଜା ପାଇଁ ଗତକାଲି ରାତି ୧ଟାରୁ ଲୋକେ ଧାଡ଼ି ବାନ୍ଧିଥିଲେ। ରାତି ପ୍ରାୟ ୩ଟାରୁ ମନ୍ଦିରରେ ସ୍ନାନ, ପୂଜା ଓ ଆଳତି କରାଯାଇ ଭୋର ୪ଟାରେ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ମହିଳାମାନେ ଆସି ବିନ୍ଦୁସାଗରର ଦୁଇ ପାର୍ଶ୍ୱରେ ଧାଡ଼ି ବାନ୍ଧି ଠିଆ ହୋଇ ରହିଥିଲେ। ଭକ୍ତମାନଙ୍କୁ ଟାଣ ଖରାରୁ ରକ୍ଷା ପାଇଁ ବ୍ରାହ୍ମଣ ନିଯୋଗ ପକ୍ଷରୁ ବିନ୍ଦୁସାଗର କୂଳରେ ଅସ୍ଥାୟୀ ଛାମୁଣ୍ଡିଆ କରାଯାଇଥିଲା। ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ବ୍ରତ ପୂଜା ପାଇଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସୁଥିବା ଦେଖିବାକୁ ମିଳିଥିଲା।

ଅବଢ଼ା ମୂଲ୍ୟ ଦୁଇ ଗୁଣା
ଶ୍ରୀଜିଉଙ୍କ ମହାପ୍ରସାଦ ଅବଢ଼ା ପାଇଁ ଆଜି ପ୍ରବଳ ଭିଡ଼ ଜମିଥିଲା। ଆଜି ସକାଳ ୭ଟାରୁ ପ୍ରଥମ ଧୂପ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ଲୋକଙ୍କ ପାଇଁ ଅବଢ଼ା ବିକ୍ରି ହୋଇଥିଲା। ତେବେ ଆଜି ପୂର୍ବାପେକ୍ଷା ଦୁଇଗୁଣା ଅଧିକ ମୂଲ୍ୟରେ ଅବଢ଼ା କିଣିଥିବା ବହୁ ଶ୍ରଦ୍ଧାଳୁ କହିଛନ୍ତି। ଅବଢ଼ା ବିକ୍ରି ସମୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହେବା ସହ ମନ୍ଦିରରେ ପୂଜା ବେଳେ ଧସ୍ତାଧସ୍ତି ହୋଇଥିବା ଦେଖାଯାଇଥିଲା। କିଛି ସେବାୟତ ଓ ଭକ୍ତ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସେହିପରି ଭିଡ଼ରେ ଷଣ୍ଢଙ୍କ ଉତ୍ପାତ ଯୋଗୁଁ ବହୁ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର