ଏମିତି ଚାଲିଛି ଅଙ୍ଗନବାଡ଼ି କେନ୍ଦ୍ର : ଅଧାରୁ ଅଧିକରେ ତାଲା

ଭୁବନେଶ୍ୱର : ଶିଶୁଙ୍କ ଶିକ୍ଷା, ସୁରକ୍ଷା ଓ ବିକାଶ ପାଇଁ ସାରା ରାଜ୍ୟରେ ଖୋଲିଛି ଅଙ୍ଗନବାଡ଼ି କେନ୍ଦ୍ର। ପ୍ରତି ଅଞ୍ଚଳରେ ଗୋଟିଏ ଲେଖାଏ କେନ୍ଦ୍ର ଖୋଲାଯାଇ ସେଠାରେ କର୍ମଚାରୀଙ୍କ ନିଯୁକ୍ତି ଦିଆଯାଇଛି। ହେଲେ ସେହି କେନ୍ଦ୍ରଗୁଡ଼ିକ କିଭଳି ଚାଲିଛି ତାହାର ଯାଞ୍ଚ କରିବାକୁ କେହି ନାହାନ୍ତି। ଯାହାକି ଦେଖିବାକୁ ମିଳିଛି ଖୋଦ୍‌ ରାଜ୍ୟ ରାଜଧାନୀରେ। ଭୁବନେଶ୍ୱରରେ ଥିବା ୩ଟି ନିର୍ବାଚନ ମଣ୍ଡଳୀରେ ୩୦୦ରୁ ଅଧିକ କେନ୍ଦ୍ର ରହିଥିବା ବେଳେ ସେଥିମଧ୍ୟରୁ କିଛି ଅଙ୍ଗନବାଡ଼ି କେନ୍ଦ୍ରଙ୍କୁ ସ୍ଥାୟୀ ଜାଗା ମିଳିଛି ତ ଆଉ କିଛି ଏବେ ବି ଭଡ଼ା ଘରେ ଚାଲିଛି। କିଭଳି ସେଠାରେ ଛୋଟ ଛୋଟ ପିଲାଙ୍କୁ ପାଠପଢ଼ା ହେଉଛି ତାହା ଜାଣିବା ପାଇଁ ପ୍ରୟାସ କରିଥିଲା ‘ସମ୍ବାଦ’ ଟିମ୍‌। ଦେଖିବାକୁ ମିଳିଥିଲା ଯେ ଯେଉଁ ସମୟରେ ଶିଶୁଙ୍କୁ ଶିକ୍ଷା ଦିଆଯିବା କଥା ସେତେବେଳେ ଫାଟକରେ ତାଲା ଝୁଲୁଥିଲା। ରିପୋର୍ଟ: ପ୍ରଗତି ସାହୁ, ଫଟୋ: ବିଭୂତି

ଘର ଧୋଇବା ପାଇଁ ଶୀଘ୍ର ଛୁଟି

ମଧ୍ୟ ନିର୍ବାଚନ ମଣ୍ଡଳୀର ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ବୁଲିବା ସମୟରେ ବିଚିତ୍ର ଚିତ୍ର ଦେଖିବାକୁ ମିଳିଥିଲା। ପୂର୍ବାହ୍ନ ୧୧ଟା ୧୦ରେ ମାଳିସାହି, ସହରାଞ୍ଚଳ-୨ର ଅଙ୍ଗନବାଡ଼ି କେନ୍ଦ୍ରରେ ଯାଇ ପହଞ୍ଚିଥିଲୁ। ସେଠାରେ ପିଲା କେହି ନ ଥିଲେ। ସେଠାରେ ଉପସ୍ଥିତ ଥିବା ଅଙ୍ଗନବାଡ଼ିି ଦିଦିଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଥିଲେ ଯେ, ଆଜି ଘର ଧୋଇବାର ଅଛି। ତେଣୁ ପିଲାଙ୍କୁ ଜଲ୍‌ଦି ପଠେଇ ଦେଇଛି।

ଦିଦି ଆସୁନାହାନ୍ତି, ବଢ଼ୁଛି ଅସନ୍ତୋଷ

ଅଶୋକନଗର ଫାଳିକିଆ ମାର୍କେଟ ବସ୍ତିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଥିଲୁ। ସ୍କୁଲ ଚାରିପଟ ତାଟିବାଡ଼ିରେ ବନ୍ଧା ହୋଇଥିବା ବେଳେ ଉପରେ ଶାଢ଼ି ଟଣା ଯାଇଥିଲା। ସେଠାରେ ପିଲା କି ଦିଦି କେହି ନ ଥିଲେ। ସ୍ଥାନୀୟ ଅଞ୍ଚଳ ଲୋକଙ୍କୁ ପଚାରିବାରେ ସେମାନେ ଘୋର ଅସନ୍ତାଷ ପ୍ରକାଶ କରିଥିଲେ। ଦୁଇ ମାସ ହେଲାଣି ଦିଦି ଆସୁ ନାହାନ୍ତି। ପିଲାମାନେ କିପରି ପାଠ ପଢ଼ିବେ। ଏହି ଭଙ୍ଗା ଘର ଖୋଲା ଥିବାରୁ ବର୍ଷା ଦିନେ ଗାଈ, ଗୋରୁ ଏଠାରେ ଆଶ୍ରୟ ନେଉଛନ୍ତି। ପିଲାଙ୍କ ଭବିଷ୍ୟତ ଉପରେ ଧ୍ୟାନ ଦିଆଯାଇ ଅଙ୍ଗନବାଡ଼ିକୁ ସୁଚାରୁରୂପେ ଚଲାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଥିଲେ। ଏହା ବ୍ୟତୀତ ସହିଦନଗର ଶାନ୍ତିପଲ୍ଲୀଠାରେ ଥିବା ଦୁଇଟି ଅଙ୍ଗନବାଡ଼ି କେନ୍ଦ୍ର ବୁଲିବା ସମୟରେ ଉଭୟ ଦିଦି ଓ ପିଲା ରହିଥିଲେ। ୟୁନିଟ୍‌-୧ ଅଙ୍ଗନବାଡ଼ିି କେନ୍ଦ୍ରରେ ୬ ଜଣ ପିଲା ଓ ଦିଦି ରହିଥିଲେ।

ଦିଦି ନାହାନ୍ତି, ପାଠପଢ଼ା ବନ୍ଦ 

ସକାଳ ୯.୧୦ରୁ ୧୦.୪୫ ପର୍ଯ୍ୟନ୍ତ ଉତ୍ତର ନିର୍ବାଚନ ମଣ୍ଡଳୀର କିଛି ଅଙ୍ଗନବାଡ଼ି କେନ୍ଦ୍ର ବୁଲିଥିଲୁ। ପ୍ରଥମେ ହାତିଆଶୁଣିଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିଲା ବେଳକୁ ସେଠାରେ ତାଲା ଝୁଲୁଥିବା ଦେଖିବାକୁ ମିଳିଥିଲା। ଜୟଦେବ ବିହାର ଅଞ୍ଚଳରେ ଥିବା ଲକ୍ଷ୍ମୀପୁର ସାନ୍ତାଳବସ୍ତି ଅଙ୍ଗନବାଡ଼ି କେନ୍ଦ୍ରରେ ପହଞ୍ଚିବା ବେଳକୁ ମଧ୍ୟ ସମାନ ଦୃଶ୍ୟ ନଜରରେ ପଡ଼ିଥିଲା। ସକାଳ ୯ଟାରୁ ପୂର୍ବାହ୍ନ ୧୨ଟା ପର୍ଯ୍ୟନ୍ତ କେନ୍ଦ୍ର ଖୋଲା ରହିବା କଥା। କିନ୍ତୁ ସେଠାରେ ତାଲା ଝୁଲୁଥିଲା। ଏହାପରେ ବାଜପେୟୀ ନଗର ୪ନଂ ଅଙ୍ଗନବାଡ଼ି କେନ୍ଦ୍ର ଖୋଲା ରହିଥିବା ଦେଖିବାକୁ ପାଇଥିଲୁ। ହେଲେ ସେଠାରେ ଅଙ୍ଗନବାଡ଼ିି ଦିଦି କି ପିଲା କେହି ନ ଥିଲେ। ଏହି ଅଞ୍ଚଳର ୧ନଂ ଓ ୨ନଂ ଅଙ୍ଗନବାଡ଼ିି କେନ୍ଦ୍ର ବୁଲିଲା ବେଳକୁ ସେହି ସମାନ ଦୃଶ୍ୟ ଦେଖିବାକୁ ଦେଖିବାକୁ ମିଳିଥିଲା। କେଉଁଠି ଦିଦି ନାହାନ୍ତି ତ ଆଉ କେଉଁଠି କେହି ପିଲା ନାହାନ୍ତି। ତାପରେ ପହଞ୍ଚିଥିଲୁ ପଳାସୁଣିଠାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ। ଏଠାରେ ଗୋଟିଏ ପୁରୁଣା ଓ ନୂଆ ଘର ଦେଖିବାକୁ ମିଳିଥିଲା। କିନ୍ତୁ ଦୁଇଟିରେ ତାଲା ପଡ଼ିଥିଲା। ସ୍ଥାନୀୟ ଦୋକାନୀକୁ ପଚାରିବାରୁ ସେ କହିଥିଲେ ଯେ ବହୁତ ଦିନ ହେଲା ଏହି ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ଝୁଲୁଛି।

କଣ କୁହନ୍ତି ସିଡିପିଓ

ଅଙ୍ଗନବାଡ଼ିଗୁଡ଼ିକର ଏଭଳି ସମସ୍ୟା ନେଇ ଉତ୍ତର ନିର୍ବାଚନ ମଣ୍ଡଳୀର ସିଡିପିଓ ଚିନ୍ମୟୀ ରଥଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ, ପଳାସୁଣିରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ନୂତନ ଘର ଏପର୍ଯ୍ୟନ୍ତ ଆମକୁ ହସ୍ତାନ୍ତର ହୋଇ ନାହିଁ। ସେଥିପାଇଁ ସେଠାରେ ଥିବା କର୍ମଚାରୀ ପିଲାଙ୍କୁ ବାରଣ୍ଡାରେ ସକାଳ ସମୟରେ ପାଠ ପଢ଼ାଉଛନ୍ତି। ଅନ୍ୟ ଯେଉଁ ଅଙ୍ଗନବାଡ଼ି କେନ୍ଦ୍ର ରହିଛି ତା ଉପରେ ତଦାରଖ କରିବୁ। ସେହିପରି ମଧ୍ୟ ନିର୍ବାଚନ ମଣ୍ଡଳୀର ସିଡିପିଓ ବିଜୟଲକ୍ଷ୍ମୀ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଫାଳିକିଆ ମାର୍କେଟର ଦିଦିଙ୍କର ଶରୀର ଅସୁସ୍ଥ ଥିବାରୁ ପାଠପଢ଼ା ହୋଇପାରୁ ନାହିଁ। ଅନ୍ୟ ଅସୁବିଧା ପ୍ରତି ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର