ଚିନ୍ତା ବଢ଼ାଇଲାଣି ପଶୁ ଶବ

ଭୁବନେଶ୍ବର: ରାଜଧାନୀରେ ପଡ଼ୁଥିବା ଜୀବଜନ୍ତୁଙ୍କ ଶବ(ମଢ଼)‌ ଚିନ୍ତା ବଢ଼ିଲାଣି। ରାଜଧାନୀ ଗଳିକନ୍ଦିରେ ଜୀବଜନ୍ତୁ ମରି ପଡ଼ୁଥିବା ବେ‌ଳେ ସେମାନଙ୍କୁ ଠିକ୍ ସମୟରେ ସ୍ଥାନାନ୍ତରିତ କରିବାକୁ ନେଇ ସମସ୍ୟା ଦେଖା ଦେଉଛି। କେବଳ ମୁଖ୍ୟ କିମ୍ବା ଗଳି ରାସ୍ତାକୁ ବାଦ୍ ଦେଲେ ଅନ୍ୟ ସ୍ଥାନରେ ଜୀବଜନ୍ତୁଙ୍କ ଶବ ପଡ଼ିଥିଲେ ହେଁ, ଏହାକୁ ଗୁରୁତ୍ବ ଦିଆଯାଉନାହିଁ। ଯାହାଫଳରେ ସ୍ଥାନୀୟ ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ଅପରପକ୍ଷରେ ଜନ୍ତୁଙ୍କ ଶବ ଦୀର୍ଘଦିନ ପଡ଼ି ରହିବା ଫଳରେ ସ୍ଥାନାନ୍ତରିତ କରୁଥିବା ସଫେଇ କର୍ମଚାରୀମାନେ ସିଧାସଳଖ ଏହାର ସଂସ୍ପର୍ଶରେ ଆସୁଥିବାରୁ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ମଧ୍ୟ ପ୍ରଶ୍ନ ଉଠିଲାଣି। ତେବେ ଲୋକମାନେ ସଚେତନ ହେଲେ ଜୀବଜନ୍ତୁଙ୍କ ଶବ ଦୀର୍ଘଦିନ ପାଇଁ ପଡ଼ି ରହିବ ନାହିଁ ବୋଲି ବିଏମ୍‌ସିର ଅଧିକାରୀ କହୁଛନ୍ତି।

ସୂଚନା ମୁତାବକ, ଗତ ଜାନୁଆରି ମାସରେ ରାଜଧାନୀରେ ୪୯୨ ଜନ୍ତୁ ପ୍ରାଣ ହରାଇଛନ୍ତି। ଏଥିରେ କୁକୁର, ବିଲେଇ, ସାପ, ଷଣ୍ଢ, ଘୁଷୁରୀ ଓ ଗାଈ ରହିଛନ୍ତି। ପ୍ରତ୍ୟେକ ଦିନ ଅତିକମ୍‌ରେ ୧୫ ଜନ୍ତୁ ରାଜଧାନୀ ବିଭିନ୍ନ ସ୍ଥାନରେ ମରୁଛନ୍ତି। ଏଥିରେ ଉଭୟ ଘରୋଇ ଓ ବୁଲା ଜନ୍ତୁ ରହିଛନ୍ତି। ଚଳିତମାସରେ ଏ ପର୍ଯ୍ୟନ୍ତ ୨୬୫ ଜୀବଜନ୍ତୁଙ୍କ ମୃତଦେହ ସ୍ଥାନାନ୍ତରିତ କରାଯାଇଛି। ମାତ୍ର କେତେକ ସ୍ଥାନରେ ମୃତଦେହ ପଡ଼ି ରହିଥିଲେ ହେଁ ତାକୁ ସ୍ଥାନାନ୍ତରିତ କରାଯାଉନାହିଁ। ଖରାଦିନ ରାତିରେ ଓ ବର୍ଷା ଦିନରେ ଅଧିକ ସଂଖ୍ୟାରେ ଜୀବଜନ୍ତୁ ମରିଥାନ୍ତି। ଏହାସହ ବିବାହ ଋତୁରେ ବାହାରେ ଅଇଁଠା ପତ୍ର ପଡ଼ି ରହିବା ଯୋଗୁଁ ଏହାକୁ ଖାଇ ଗାଈଗୋରୁଙ୍କ ମୃତ୍ୟୁ ହେଉଛି। ମୃତ ଜୀବଜନ୍ତୁ ବା କାର୍‌କାସ୍‌ ପାଇଁ ବିଏମ୍‌ସି ପକ୍ଷରୁ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ଗାଡ଼ି ଡ୍ରାଇଭର, ଲୋଡର ଓ ସଫେଇ କର୍ମଚାରୀ ରହିଛନ୍ତି। ସେମାନଙ୍କୁ ଗ୍ଲୋଭ୍‌ସ, ବୁଟ୍ ଓ ହେଲମେଟ୍‌ ଯୋଗାଇ ଦିଆଯାଇଛି। ତେବେ ଗାଡ଼ିରେ ଆଣିବା ସମୟରେ ସେମାନେ ମୃତ ଜୀବଜନ୍ତୁଙ୍କ ସହିତ ସିଧାସଳଖ ସଂସ୍ପର୍ଶରେ ଆସୁଥିବାରୁ ବିଭିନ୍ନ ରୋଗରେ ସଂକ୍ରମିତ ହେବାର ମଧ୍ୟ ଆଶଙ୍କା ସୃଷ୍ଟି ହୋଇଛି। ନିକଟରେ ବିଏମ୍‌ସି କର୍ମଚାରୀଙ୍କୁ ଟିଟାନସ୍ ଓ ଆଗକୁ ହେପାଟାଇଟିସ୍ ଟିକା ଦେବା ପାଇଁ ଯୋଜନା କରାଯାଇଛି। ହେଲେ ଏହା ସେମାନଙ୍କ ପାଇଁ ଯଥେଷ୍ଟ ନୁହେଁ। ଏହାସହ ମୃତ ଜୀବଜନ୍ତୁଙ୍କୁ ସବୁବେଳେ ହଟାଇବା ପାଇଁ କର୍ମଚାରୀ ମଧ୍ୟ ଅମଙ୍ଗ ହେଉଥିବା କୁହାଯାଉଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ଯାନବାହନ ସଂଖ୍ୟା ବୃଦ୍ଧି ଯୋଗୁଁ ଅଧିକ ସଂଖ୍ୟାରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ବଡ଼ ଜୀବଜନ୍ତୁଙ୍କ ପାଇଁ ଜେସିବି ଓ ଟିପର୍‌ ବ୍ୟବହାର କରାଯାଉଛି। ଛୋଟ ଜୀବଜନ୍ତଙ୍କ ଶବ ସ୍ଥାନାନ୍ତରିତ କରିବା ପାଇଁ କର୍ମଚାରୀମାନଙ୍କୁ ଆବଶ୍ୟକ ସାମଗ୍ରୀ ଦିଆଯାଇଛି। ମାତ୍ର କେତେକ ସ୍ଥାନରେ ଗାଡ଼ି ପ୍ରବେଶ ହୋଇପାରୁ ନଥିବାରୁ ଜୀବଜନ୍ତୁଙ୍କ ମୃତଦେହ ହଟାଇବା ନେଇ ସମସ୍ୟା ଦେଖା ଦେଉଛି। ଏହାସହ ଲୋକମାନେ ମଧ୍ୟ ନିଜ ଅଞ୍ଚଳରେ ମରି ପଡ଼ିଥିବା ଜନ୍ତୁଙ୍କ ସଂପର୍କରେ ବିଳମ୍ବରେ ସୂଚନା ଦେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ସମସ୍ୟା ଦେଖା ଦେଉଛି। ପୂର୍ବରୁ ସଂଧ୍ୟାରେ ମୃତ ଜୀବଜନ୍ତୁଙ୍କୁ ସ୍ଥାନାନ୍ତରିତ କରାଯାଉ ନ ଥିଲା। ଏବେ ଦୁଇଟି ସିଫ୍‌ଟରେ କାର୍ଯ୍ୟ ହେଉଛି। ସକାଳ ୫ଟାରୁ ଦିନ ୧ଟା ଓ ଦିନ ୧ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ତେବେ ଏହି କାର୍ଯ୍ୟରେ ସଂପୃକ୍ତ କର୍ମଚାରୀଙ୍କ ସ୍ବାସ୍ଥ୍ୟ ନେଇ ସମସ୍ତ ପଦକ୍ଷେପ ନିଆଯାଉଛି। ସେହି କର୍ମଚାରୀମାନଙ୍କୁ ନିକଟରେ ଟିଟାନ୍‌ସ ଟିକା ଦିଆଯାଇଛି ବୋଲି ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର