ଥମୁନି ଚନ୍ଦକାରେ ବନ୍ୟପ୍ରାଣୀ ଶିକାର

ଖଣ୍ଡଗିରି,: ବନ୍ୟପ୍ରାଣୀ ଶିକାର ଉପରେ ରୋକ୍‌ ଲଗାଇବା ପାଇଁ କଡ଼ା ଆଇନ୍‌ ଲାଗୁ ହୋଇଥିବାବେଳେ ଜନ ସଚେତନତାକୁ ମଧ୍ୟ ବେଶ୍‌ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ଚନ୍ଦକା ହସ୍ତୀ ଅଭୟାରଣ୍ୟରେ ବନ୍ୟପ୍ରାଣୀ ଶିକାର ଥମିବା ନାଁ ଧରୁନାହିଁ। ଜଙ୍ଗଲ ସଂଲଗ୍ନ ଆଦିବାସୀ ପଡ଼ା ହେଉ କି ବିଭିନ୍ନ ଗାଁ ହେଉ, ସେଗୁଡ଼ିକରେ ବାସ କରୁଥିବା ବାସିନ୍ଦାମାନଙ୍କ ପାଇଁ ଆଇନ୍‌ କିମ୍ବା ସଚେତନତା କିଛି କାମ କରୁନାହିଁ। ଫଳରେ ପ୍ରତିଦିନ ଏହି ଅଭୟାରଣ୍ୟର ନିରୀହ ବନ୍ୟପ୍ରାଣୀମାନେ ଶିକାର ପାଲଟି ଯାଉଛନ୍ତି। ବିଭିନ୍ନ ସମୟରେ ରାଜଧାନୀରେ ଜଙ୍ଗଲୀ ମାଂସର ଚାହିଦା ରହୁଥିବାରୁ ମାଫିଆମାନେ ନିରୀହ ଆଦିବାସୀମାନଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଜଣାପଡ଼ିଛି। ବନ ବିଭାଗ ମଝିରେ ମଝିରେ ଏହି ପଶୁ ଶିକାରୀଙ୍କୁ ଗିରଫ କରୁଥିଲେ ବି ତାହା ବେଶ୍‌ ନଗଣ୍ୟ ବୋଲି କୁହାଯାଉଛି। ବନ ବିଭାଗ ହାତରେ ଫାଶ ବ୍ୟବହାର କରୁଥିବା କିଛି ଛୋଟ ଛୋଟ ଶିକାରୀ ଧରାପଡ଼ୁଥିବା ଚର୍ଚ୍ଚା ହେଉଛି। ବନ ବିଭାଗ ପ୍ରକୃତ ବଡ଼ ଶିକାରୀମାନଙ୍କ ଟେର୍‌ ପାଉନାହିଁ ବୋଲି ଅଭିଯୋଗ ହେଉଛି।
ବନ ବିଭାଗର ରେକର୍ଡରୁ ହିଁ ଜଣାପଡ଼େ ଯେ ଚନ୍ଦକାରେ ପଶୁ ଶିକାର ଅନବରତ ଚାଲିଛି। ସୂଚନାନୁସାରେ ଗତ ଫେବ୍ରୁଆରି ମାସରୁ ଏ ପର୍ଯ୍ୟନ୍ତ ପ୍ରାୟ ୩ଟି ଚଢ଼ାଉରେ ବିଭାଗୀୟ କର୍ମଚାରୀମାନେ ସଫଳ ହୋଇଛନ୍ତି। ଫେବ୍ରୁଆରି ମାସରେ ହିଁ ଏକ ବଡ଼ ସଫଳତା ମିଳିଥିଲା। ଚନ୍ଦକା ଅଞ୍ଚଳର କୁଖ୍ୟାତ ପଶୁ ଶିକାରୀ ବିଷ୍ଣୁ ପ୍ରଧାନକୁ ଜଙ୍ଗଲ ଭିତରୁ ବନ ବିଭାଗ ଗିରଫ କରିଥିଲା। ସେହି ଚଢ଼ଉରେ ତାର ୨ ସହଯୋଗୀ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। କିନ୍ତୁ ବନ୍ଧୁକ ସହ ଧରାପଡ଼ିଥିଲା ବିଷ୍ଣୁ। ବନ ବିଭାଗ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା। ସେହିଭଳି ଗତ ୧ ତାରିଖରେ ଚନ୍ଦକା ରେଂଜ୍‌ରୁ ୨ ଜଣ ଫାଶ ବ୍ୟବହାର କରୁଥିବା ଶିକାରୀଙ୍କୁ କଣ୍ଟାବାଡ଼ ଅଞ୍ଚଳରୁ ଗିରଫ କରାଯାଇଥିଲା। ସେମାନେ ହେଲେ ସ୍ଥାନୀୟ ଗୋଡ଼ିବାରୀସ୍ଥିତ ଆଦିବାସୀ ପଡ଼ାର ଜଟ ବିରୁଆ ଓ ଶିବ ବିରୁଆ। ସେମାନଙ୍କଠାରୁ ଜିଆଇ ତାରର ଫାଶ ଓ ମାରଣାସ୍ତ୍ର ଜବତ କରାଯାଇଥିଲା। ଗତ ୧୫ ତାରିଖ ରେ ପୁଣି ବନ ବିଭାଗ ସୁନ୍ଦରପୁର ଅଞ୍ଚଳରୁ ଗାର୍ବୀ ହାସା ନାମକ ଜଣେ ଶିକାରୀଙ୍କୁ ଗିରଫ କରିଥିଲା। ତା ନିକଟରୁ ଏକ ମୃତ ବାର୍‌ହାର ଖଣ୍ଡବିଖଣ୍ଡିତ ଅଂଶ (ପ୍ରାୟ ୩୦ କେଜି) ଜବତ କରାଯାଇଥିଲା। ତେବେ ଚଢ଼ାଉବେଳେ ଗାର୍ବୀର ଅନ୍ୟ ଜଣେ ସହଯୋଗୀ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲା। ଏହି ସବୁ ମାମଲାରୁ ସ୍ପଷ୍ଟ ହୋଇଛି ସେ ଚନ୍ଦକାରେ ଅବାଧ ପଶୁ ଶିକାର ଏବେ ବି ଜାରି ରହିଛି। ସୁଯୋଗ ଦେଖି ଶିକାରୀମାନେ ବାର୍‌ହା, ହରିଣ ଭଳି ପ୍ରାଣୀମାନଙ୍କୁ ଶିକାର କରୁଛନ୍ତି।

ଚନ୍ଦକାରେ ପଶୁ ଶିକାର ପ୍ରସଙ୍ଗକୁ ବନ ବିଭାଗ ସ୍ୱୀକାର କରୁଥିଲେ ବି ଏହା ଅନବରତ ଚାଲିଛି ବୋଲି ମାନିବାକୁ ନାରାଜ। ଡିଏଫ୍‌ଓ କେଦାର କୁମାର ସ୍ୱାଇଁଙ୍କ ସୂଚନାନୁସାରେ ପଶୁ ଶିକାରର ପରିମାଣ ବେଶ୍‌ ହ୍ରାସ ପାଇଛି। ପାଟ୍ରୋଲିଂ କଡ଼ାକଡ଼ି ହେଉଥିବାରୁ ଉପରୋକ୍ତ ସବୁ ଶିକାରୀଙ୍କୁ ଗିରଫ କରାଯାଇଛି ବୋଲି ସେ କହିଥିଲେ। ତେବେ ଜଙ୍ଗଲ ଭିତରେ ଓ ନିକଟରେ ରହୁଥିବା କିଛି ଆଦିବାସୀମାନେ ପର୍ବପର୍ବାଣୀ ସମୟରେ ଲୁଚିଛପି ଏଭଳି କାଣ୍ଡ କରୁଛନ୍ତି ବୋଲି ସେ କହିଥିଲେ। ଗତ ୧୫ ତାରିଖରେ ଧରାପଡ଼ିଥିବା ଶିକାରୀ ଗାର୍ବୀ ରଜ ପର୍ବ ପାଇଁ ବାର୍‌ହା ଶିକାର କରିଥିବା ସୂଚନା ଦେଇଥିଲା। ତେଣୁ ଜନ ସଚେତନତା ସତ୍ତ୍ୱେ କିଛି ଲୋକ ଜଙ୍ଗଲୀ ମାଂସ କିଣିବାକୁ ଇଛା କରୁଥିବାରୁ ଏହି ନିରୀହ ଆଦିବାସୀମାନେ ପ୍ରଲୋଭିତ ହେଉଛନ୍ତି ବୋଲି ଡିଏଫ୍‌ଓ ଶ୍ରୀ ସ୍ୱାଇଁ କହିଥିଲେ। ଏବେ ରାଜଧାନୀ ପଟୁ ଅର୍ଥାତ୍‌ ଚୁନୁକୋଳି, ସାଲିଆସାହି ଓ ଭରତପୁର ପଟୁ ପଶୁ ଶିକାର ପ୍ରାୟ ଠପ୍‌ ହୋଇ ଯାଇଛି। ବିଶେଷକରି ଆଦିବାସୀଙ୍କ ପର୍ବ ସମୟରେ ନିୟମିତ ପାଟ୍ରୋଲିଂ ପାଇଁ ଏହା ସମ୍ଭବ ହୋଇଛି ବୋଲି ସେ କହିଛନ୍ତି। ତେବେ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ସହ ପାଟ୍ରୋଲିଂ ମଧ୍ୟ କଡ଼ାକଡ଼ି କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର