ଦଶହରା ପୂର୍ବରୁ ନନ୍ଦନକାନନ ଆସି‌ବେ ଜିରାଫ, ହଳଦିଆ ଆନାକୋଣ୍ତା ଓ ଧୂସର ଗଧିଆ

ବାରଙ୍ଗ : ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ଆସନ୍ତା ପର୍ଯ୍ୟଟନ ଋତୁ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩ଟି ପ୍ରଜାତିର ୬ଟି ବିରଳ ଜୀବଙ୍କୁ ଅଣାଯିବା ପାଇଁ କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଆସନ୍ତା ଦଶହରା ପୂର୍ବରୁ ଜୀବମାନେ ଆସି ନନ୍ଦନକାନନରେ ପହଞ୍ଚିବେ ବୋଲି ଯୋଜନା ଚୂଡ଼ାନ୍ତ ହୋଇଛି ଏବଂ ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ପରସ୍ପରକୁ ଏ ବାବଦ‌‌ରେ ଚିଠି ଲେଖି ଜଣାଇଛନ୍ତି। ଆସିବାକୁ ଥିବା ଜୀବମାନଙ୍କ ମଧ୍ୟରେ ମହୀଶୂର ଚିଡ଼ିଆଖାନାରୁ ହଳେ ଜିରାଫ, ଭନ୍ଧାଲୁରୁର ଆନ୍ନା ଅରିଗାର ଚିଡ଼ିଆଖାନାରୁ ହଳେ ହଳଦିଆ ରଙ୍ଗର ଆନାକୋଣ୍ତା ଓ ଇନ୍ଦୋର୍‌ରୁ ଏକ ହଳ ଧୂସର ଗଧିଆ ଆଣିବାକୁ ନିଷ୍ପତ୍ତି ହୋଇଛି।

ଆସବାକୁ ଥିବା ଜିରାଫ ଦୁଇଟିଙ୍କର ବୟସ ୩ ବର୍ଷ ମଧ୍ୟରେ ବୋଲି ଜଣାଯାଇଛି। ଜିରାଫ ‘ଜୟ’ର ରକ୍ତ ସଂକ୍ରମଣ କାରଣରୁ ମୃତ୍ୟୁ ପରେ ନନ୍ଦନକାନନରେ ଏକାକୀ ଥିବା ‘ଖୁସି’କୁ ସାଥୀ ମିଳିବ ଓ ଜିରାଫ ବଂଶବୃଦ୍ଧି ଘଟିବ ବୋଲି କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ତେବେ ୨୦୦୮ ମସିହାରେ ୨୨ଟି ଜୀବ ପ୍ରତିବଦଳରେ ‌କୋଲକାତାର ଅଲ୍ଲୀପୁର ଚିଡ଼ିଆଖାନରୁ  ଅଣାଯାଉଥିବା ଏକ ବୟସ୍କ ଜିରାଫ ଅଧିକ ଉଚ୍ଚତା କାରଣରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବାଟରେ ପ୍ରାଣ ହରାଇଥିଲା। ତେଣୁ ସେଭଳି ଭୁଲ୍‌ର ଯେଭଳି ପୁନରାବୃତ୍ତି ନହୁଏ, ସେଥିଲାଗି ଏଥର କମ୍ ଉଚ୍ଚା ବିଶିଷ୍ଟ ଛୋଟ ଜିରାଫ ଅଣାଯିବ।

ଅପରପକ୍ଷେ ଗତବର୍ଷ ସେପ୍ଟେମ୍ବରରେ ମହୀଶୂର ଚିଡ଼ିଆଖାନାରୁ ଆସିଥିବା ହଳେ ଧୂସର ଗଧିଆ ମଧ୍ୟରୁ କିଛି ଦିନ ତଳେ ମାଈଟିର ମୃତ୍ୟୁ ହୋଇଛି। ଫଳରେ ଏକମାତ୍ର ପୁରଷ ଗଧିଆ ରହିଛି। ଏବେ ନନ୍ଦନକାନନ କର୍ତ୍ତୃପକ୍ଷ ଆଉ ହଳେ ଆଣି ଏହି ପ୍ରଜାତି ସଂଖ୍ୟା ବୃଦ୍ଧି କରିବାକୁ ସ୍ଥିର କରିଛନ୍ତି। ଏହାଛଡ଼ା ଚଳଚ୍ଚିତ୍ରରେ ଦେଖିଥିବା ଭୟଙ୍କର ଆନାକୋଣ୍ଡା ପ୍ରଜାତିକୁ ପ୍ରତ୍ୟକ୍ଷ ଭାବେ ଦେଖିବାର ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଥମକରି ହଳଦିଆ ଆନାକୋଣ୍ତା ଆଣିବାକୁ କର୍ତ୍ତୃପକ୍ଷ ସ୍ଥିର କରିଛନ୍ତି। ତିନିବର୍ଷ ତଳର ଏହି ଯୋଜନା ଖୁବ୍‌ଶୀଘ୍ର ସାକାର ରୂପ ନେବାକୁ ଯାଉଛି।

ସମ୍ବନ୍ଧିତ ଖବର