ଅନିତା ଦାସଙ୍କ ସ୍ମୃତିଚାରଣ କଲେ କଳାକାର: ସ୍ୱୟଂସିଦ୍ଧା ଅନିତା

ଭୁବନେଶ୍ୱର: ସ୍ୱଚ୍ଛ ହୃଦୟର ଅମାୟିକ ମଣିଷଟିଏ ସେ। ସ୍ନେହ ଓ ଦରଦର କରୁଣାମୟୀ ମା’ଟିଏ ସେ। ସେଇଥିପାଇଁ ତ ସତସତିକା ମା’ ନ ହୋଇ ବି ଅନେକଙ୍କ ମା’ ଥିଲେ ସେ। ପରଦାରେ ତାଙ୍କ ଅଭିନୟର ଚମକ ଯେମିତି ପ୍ରତିଟି ଦର୍ଶକର ହୃଦୟକୁ ଭାବ ବିହ୍ଵଳ କରି ପକାଉଥିଲା, ତାଙ୍କ ସତସତିକା ବ୍ୟକ୍ତିତ୍ୱ ଭିତରେ ଲୁଚିଥିବା ମା’ ପଣିଆ ଜଣେ ସାଧାରଣ ମଣିଷକୁ ବି ସେତିକି ଆପଣାର କରି ଦେଉଥିଲା। ସିନେ ଜଗତର ସେଇ ସ୍ୱୟଂସିଦ୍ଧା ମା’ ଅନିତା ଦାସଙ୍କ ଦ୍ୱାଦଶାହରେ ଏପରି ସ୍ମୃତିଚାରଣ କରିଛନ୍ତି ଅଭିନୟ ଜଗତର ଦିଗଜ କଳାକାରବୃନ୍ଦ।

ଆଜି ରାମମନ୍ଦିରରେ ଅନିତା ଦାସଙ୍କ ପୁତୁରା ଅଭିନେତା ତଥା ବିଧାୟକ ଆକାଶ ଦାସ ନାୟକ ଓ ପରିବାର ପକ୍ଷରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିବା ବେଳେ ଅନିତା ଦାସଙ୍କ ସହ ଅଭିନୟର ଅଭୁଲା ସ୍ମୃତି ବଖାଣିଥିଲେ କଳାକାରବୃନ୍ଦ। ମିହିର ଦାସ ସ୍ମୃତି ଚାରଣ କରି କହିଲେ, ଯେବେ ସେ ସୁଟିଂ ସେଟ୍‌ରେ ପଡ଼ି ଯାଇଥିଲେ, ସେତେବେଳେ ସେହି ସେଟ୍‌ରେ ସମସ୍ତେ ଉପସ୍ଥିତ ଥିଲେ ସତ, କିନ୍ତୁ ଜଣଙ୍କ ମୁହଁରୁ ଉତୁରି ଆସିଥିଲା ଆଃ..। ସେ ଥିଲେ ଅନିତା ଦାସ। ତାଙ୍କର ବଡ଼ ଶକ୍ତି ଥିଲା ଆଦର। ସେ ସବୁବେଳେ ସତ ମା ଓ ଭଉଣୀଟିଏ ଲାଗୁଥିଲେ। ବିଶିଷ୍ଟ ନିର୍ଦେଶକ ସବ୍ୟସାଚୀ ମହାପାତ୍ର ଅନୁଭୂତି ବ୍ୟକ୍ତ କରି କହିଲେ, ଗଡ଼ମଧୁପୁରରେ ସୁଟିଂ ବେଳେ ମନ୍ଦିରର ଖାଲିପାଦରେ ଅନିତାଙ୍କ ଅଭିନୟ କରିବାର ଥାଏ। କିନ୍ତୁ ଖରାବେଳ ଯୋଗୁଁ ମନ୍ଦିରର ଚଟାଣ ଉତ୍ତପ୍ତ ଥିବାରୁ ମୁଁ କହିଲି ଛାଇ ଆସିବା ପର୍ଯ୍ୟନ୍ତ ଅଟକିଯିବା। ମାତ୍ର ଅନିତା ସେଇ ଉତ୍ତପ୍ତ ଚଟାଣରେ ହିଁ ଅଭିନୟ କରିଥିଲେ। ଅଭିନୟ ପ୍ରତି ସେ ବହୁତ ନିଷ୍ଠାବାନ ଥିଲେ ବୋଲି ଶ୍ରୀ ମହାପାତ୍ର କହିଥିଲେ। ଅଭିନେତ୍ରୀ ନମ୍ରତା କହିଥିଲେ, ଓଡ଼ିଆ ଚଳଚ୍ଚିତ୍ରରେ ଅନେକ ମା ଭୂମିକାରେ ଅଭିନୟ କରିଛନ୍ତି। କିନ୍ତୁ ଆମେ ଅନିତା ଭଳି ମା’ଟିଏ ହୋଇପାରିନୁ। ଲାଗୁଛି ଆମେ ଯେମିତି ମା ଛେଉଣ୍ଡ ହୋଇଯାଇଛୁ। ଅଭିନେତା ଆକାଶ ଦାସ ନାୟକ କହିଥିଲେ, କଳାର ଓ କଳାକାରର ମୃତ୍ୟୁ ନାହିଁ। ଯେ ପର୍ଯ୍ୟନ୍ତ ଓଡ଼ିଆ ସିନେମା ବଞ୍ଚିଛି ସେ ପର୍ଯ୍ୟନ୍ତ ଅନିତା ଦାସ ଅମର ହୋଇ ରହିଥିବେ ବୋଲି ସେ କହିଥିଲେ। କାଜୁ ନିଗମର ଅଧ୍ୟକ୍ଷ ତଥା ଅଭିନେତା ମୁନା ଖାଁ ସ୍ମୃତି ଚାରଣ କରି, ଏକ ଫିଲ୍ମର ସୁଟିଂ ସାରି ଭୁଲ୍‌ ଟ୍ରେନ୍‌ରେ ଚଢ଼ି ଘରକୁ ଫେରିବା ବେଳେ କିଭଳି ଅନିତା ଦାସ ସହଯୋଗ କରିଥିଲେ ସେ ସମ୍ବନ୍ଧରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଅଭିନେତା ପ୍ରେମାଞ୍ଜନ ପରିଡ଼ା ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଅନିତାଙ୍କ ସ୍ମୃତିରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଅଭିନେତା ବିଜୟ ମହାନ୍ତି, ଅଜିତ ଦାସ, ବସନ୍ତ ସାହୁ, ବାପୁ ଲେଙ୍କା, ପ୍ରେମ ଆନନ୍ଦ, ପୁଷ୍ପା ପଣ୍ଡା, ବ୍ରଜ ସିଂହ, ଅନୁ ଚୌଧୁରୀ, ବବି, ପିଣ୍ଟୁ ନନ୍ଦ, ଦିଲ୍ଲୀପ ହାଲିଙ୍କ ସମେତ ଅନ୍ୟ କଳାକାର ଓ ଅନିତାଙ୍କ ପରିବାରବର୍ଗ ଉପସ୍ଥିତ ଥିଲେ। ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ସ୍ମୃତିଚାର ସଭାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର