ଦିବ୍ୟାଙ୍ଗଙ୍କୁ ଦରଦ ନୁହେଁ, ସୁଯୋଗ ଲୋଡ଼ା

ଆରମ୍ଭ ହେଲା ଅଞ୍ଜଳି

ଭୁବନେଶ୍ୱର: ରାସ୍ତାରେ ଲାଗିଥିଲା ସୁପର ହିରୋଙ୍କ ଭିଡ଼। ସୁପରମ୍ୟାନ୍‌ଙ୍କଠୁ ନେଇ ବ୍ୟାଟ୍‌ମ୍ୟାନ୍‌, ପୁଣି ସ୍ପାଇଡର୍‌ମ୍ୟାନ୍‌ଠୁ ନେଇ ବାହୁବଳୀ। ଟିଭି ପରଦାର ଏହି ସୁପର ହିରୋଙ୍କ ଭିଡ଼ ଭିତରେ କୁନି କଳାକାର ଅଭିଷେକଙ୍କ ଡ୍ରମ୍‌ ବାଜାର ମାଦକତା ଏବଂ ସୁଧାଂଶୁଙ୍କ ଯାଦୁ ଖେଳ ରୋମାଞ୍ଚିତ କରୁଥିଲା। ପୁଣି ପାରମ୍ପରିକ ବେଶରେ ବିଦେଶୀଙ୍କ ସମାଗମ ଜମିଥିଲା। ସ୍ୱାଭିମାନ ପକ୍ଷରୁ ଆୟୋଜିତ ବୃହତ୍‌ ଶିଶୁ ମହୋତ୍ସବ ‘ଅଞ୍ଜଳି’ର ଆଦ୍ୟ ପର୍ବର କାର୍ଣ୍ଣିଭାଲ୍‌ ସୃଷ୍ଟି କରିଥିଲା ଏମିତି ଏକ ପରିବେଶ। ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ରଙ୍କ ନେତୃତ୍ୱରେ ସହସ୍ରାଧିକ ପିଲା ମାଷ୍ଟରକ୍ୟାଣ୍ଟିନ୍‌ରୁ ଆଦିବାସୀ ପଡ଼ିଆ ପର୍ଯ୍ୟନ୍ତ ପରେଡ୍‌ରେ ଯାଇଥିଲେ। ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଓ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ର ପିଲାମାନେ ବ୍ୟାଣ୍ଡ୍‌ ପରିଚାଳନା କରିଥିଲେ।

ସନ୍ଧ୍ୟାରେ ଅଞ୍ଜଳିକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ରାଜ୍ୟପାଳ ଏସ୍‌ସି ଜମିର୍‌। ମୁଖ୍ୟ ଅତିଥି ୧୬ତମ ଅଞ୍ଜଳିର ଶୁଭାରମ୍ଭ ସୂଚନା ଦେଇ ଶ୍ରୀ ଜମିର୍‌ କହିଲେ, ଦିବ୍ୟାଙ୍ଗଙ୍କୁ ଦରଦ ନୁହେଁ, ସୁଯୋଗ ଲୋଡ଼ା। ସହାନୁଭୂତି ନୁହେଁ ସହଭାଗିତା ଲୋଡ଼ା। ଖାତିର ନୁହେଁ ଗ୍ରହଣୀୟତା ଲୋଡ଼ା। ସେମାନଙ୍କୁ ଦେଖି ଦୁଃଖ ଅନୁଭବ କରିବା ପରିବର୍ତେ ତାଙ୍କୁ ଉତ୍ସାହିତ କରିବା ଆବଶ୍ୟକ। ତାଙ୍କ ଅଧିକାରକୁ ସମ୍ମାନ ଦେଲେ ହିଁ ସେମାନେ ସଫଳତା ଆଡ଼କୁ ଅଗ୍ରସର ହୋଇପାରିବେ ବୋଲି ସେ କହିଥିଲେ। ଏହି ଅବସରରେ ମୀନାକ୍ଷି ମିଶ୍ରଙ୍କୁ ଅଞ୍ଜଳି ସାହସିକତା ପୁରସ୍କାର ୨୦୧୭ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶ୍ରୁତି ମହାପାତ୍ରଙ୍କ ସମେତ ଭାରତୀୟ ବିଦ୍ୟାଭବନର ଚେୟାରମ୍ୟାନ୍‌ ବିକେ ମହାପାତ୍ର, ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଚିଫ୍‌ ପୋଷ୍ଟମାଷ୍ଟର୍‌ ଜେନେରାଲ୍‌ ସନ୍ତୋଷ କାମିଲା, ଅଷ୍ଟ୍ରେଲିଆର ଜେଏଫ୍‌ ଉସର, ଅଞ୍ଜଳି ଉପଦେଷ୍ଟା କମିଟିର ସଭ୍ୟ ଅଜୟ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ଅପରାହ୍‌ଣରେ ଆୟୋଜିତ କାର୍ଣ୍ଣିଭାଲ୍‌ରେ ବିକେ ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର, ଟିଇଆଇର ଉପାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମଧୁସୂଦନ ଦାସ ପ୍ରମୁଖ ସାମିଲ୍‌ ହୋଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଉଦ୍‌ଘାଟନୀ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଗୁରୁ ସେନାଲି ମହାପାତ୍ରଙ୍କ ନୃତ୍ୟ ସଂଯୋଜନାରେ ନୃତ୍ୟ ଉପାସନା ପୀଠର ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିଥିଲେ। ପରେ ଅନୁରାଗ ନନ୍ଦ ବଂଶୀର ଧୁନ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିେଇଲ। ବ୍ରିଟେନ୍‌ସ୍‌ ଗଟ୍‌ ଟ୍ୟାଲେଣ୍ଟ୍‌ ଅଭିଷେକ ସାହୁ ମଞ୍ଚରେ ଡ୍ରମ୍‌ ବାଦନ କରି ପୁଣି ଭରପୂର ମନୋରଂଜନ କରିଥିଲେ। ପଡ଼ିଆ ମଧ୍ୟରେ ଡ.ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ବାଲୁକା କଳା ମଧ୍ୟ ଆକର୍ଷଣ ସାଜିଥିଲା। ଏହି ଅବସରରେ ଡାକ ବିଭାଗର ଏକ ସ୍ୱତନ୍ତ୍ର କଭର୍‌ ଉନ୍ମୋଚିତ ହୋଇଥିଲା। ବିଭିନ୍ନ ଆକର୍ଷଣୀୟ କର୍ମଶାଳା ଓ ଶିଶୁ ଉପଯୋଗୀ ଖେଳ ସାମଗ୍ରୀ ମଧ୍ୟରେ ଚାଲିଥିବା ଏହି ସ୍ୱତନ୍ତ୍ର ଶିଶୁ ମେଳା ୧୮ତାରିଖ ପର୍ଯ୍ୟନ୍ତ ଚାଲିବ।

ସମ୍ବନ୍ଧିତ ଖବର