ଲିଟିଲ୍‌ ହାବାର୍ଡର ବାର୍ଷିକ କଳା ପ୍ରଦର୍ଶନୀ

ଭୁବନେଶ୍ବର : ଲିଟିଲ୍‌ ହାବାର୍ଡ କଳା ବିଦ୍ୟାଳୟ ପକ୍ଷରୁ ଏହାର ପ୍ରଥମ ‘ନୂଆ ଶିକ୍ଷାର୍ଥୀଙ୍କ ବାର୍ଷିକ କଳା ପ୍ରଦର୍ଶନୀ’ ମାଷ୍ଟରକ୍ୟାଣ୍ଟିନସ୍ଥିତ ବୋକା କାଫେରେ ଆରମ୍ଭ ହୋଇଛି। ପ୍ରଦର୍ଶନୀରେ ୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପ୍ରସ୍ତୁତ ଚିତ୍ରକଳା ସ୍ଥାନ ପାଇଛି। ପରିବେଶ, ମଣିଷ ଶରୀର, ପ୍ରକୃତର ଗଠନ ଓ ଆ‌ଧୁନିକ ଚିତ୍ରକଳା ଆଦି ବିଭିନ୍ନ ବିଷୟବସ୍ତୁକୁ ନେଇ ୫୦ରୁ ଊର୍ଧ୍ବ ଚିତ୍ରକଳା ପ୍ରଦର୍ଶନୀରେ ସ୍ଥାନ ପାଇଛି। ଶିଶୁମାନେ କାମ କଲାବେଳେ ସେମାନଙ୍କୁ ସ୍ବାଧୀନତାର ଅନୁଭୂତି ଦେବା ଓ ସେମାନଙ୍କର ଭାବନାକୁ ଏକ ସୁସ୍ଥ ଅଭିବ୍ୟକ୍ତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ। ଫଳରେ ଏହା ଛା‌ତ୍ରଛାତ୍ରୀଙ୍କ ମନରେ ପ୍ରଶିକ୍ଷଣକୁ ନେଇ ଏକ ସକରାତ୍ମକ ମନୋଭାବ ସୃଷ୍ଟି କରିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଦର୍ଶନୀରେ ଚିତ୍ରକଳାଗୁଡ଼ିକର ବିକ୍ରି ବାବଦର ସମସ୍ତ ଅର୍ଥ ଭାରତୀୟ ସେନାର ରିଲିଫ୍ ପାଣ୍ଠିକୁ ଯିବ। ଏହି କାର୍ଯ୍ୟକ୍ରମରେ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନେୟର ପଟ୍ଟନାୟକ, ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ, ପଦ୍ମଶ୍ରୀ ଅରୁଣା ମହାନ୍ତି, କିଟ୍‌ ଅଧ୍ୟକ୍ଷା ଶାଶ୍ବତୀ ବଳ, ପ୍ରେସିଡେନ୍ସି ହୋଟେଲ ସତ୍ତ୍ବାଧିକାରୀ ଆଶା ମହାନ୍ତି ଓ ମଦର ପବ୍ଲିକ ସ୍କୁଲ ଅଧ୍ୟକ୍ଷା ପଲ୍ଲୀ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର