‘ବିନ୍ଦୁ ସାହିତ୍ୟ ସଂସଦ’ର ବାର୍ଷିକ ସାହିତ୍ୟ ଉତ୍ସବ: ସାରା ବିଶ୍ବ ଗାନ୍ଧୀଜୀଙ୍କୁ ‘ମହାତ୍ମା’ ମାନିଛି

ଭୁବନେଶ୍ବର: ସାରା ବିଶ୍ବ ଗାନ୍ଧୀଜୀଙ୍କୁ ‘ମହାତ୍ମା’ ମାନି ନେଇଛି। କିନ୍ତୁ ତାଙ୍କ ଆଦର୍ଶ ଓ ବିଚାରକୁ ନେଇ ଅନେକ ସମୟରେ ମତାନ୍ତର ସୃଷ୍ଟି ହୋଇଛି। କିଛି ବ୍ୟକ୍ତି ତାଙ୍କର ଅପପ୍ରଚାର କରିବା ସହ ବ୍ୟକ୍ତିଗତ ଚରିତ୍ରକୁ ମଧ୍ୟ ସଂହାର କରିଛନ୍ତି। କିନ୍ତୁ ଶୁଦ୍ଧ ସୁବର୍ଣ୍ଣ ଭଳି ଗାନ୍ଧୀଜୀ ସମସ୍ତ ଅଗ୍ନି ପରୀକ୍ଷାର ସାମ୍ନା କରି ନିଜ ବ୍ୟକ୍ତିତ୍ବ ଓ ଆଦର୍ଶକୁ ବିଶ୍ବ ସମ୍ମୁଖ‌ରେ ସ୍ପଷ୍ଟ କରିଛନ୍ତି। ଲୋହିଆ ଏକାଡେମିଠାରେ ଆୟୋଜିତ ‘ବିନ୍ଦୁ ସାହିତ୍ୟ ସଂସଦ’ର ଚତୁର୍ଥ ବାର୍ଷିକ ସାହିତ୍ୟ ଉତ୍ସବରେ ଯୋଗଦେଇ ପ୍ରଖ୍ୟାତ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଆଜି ଏହା କହିଛନ୍ତି। ସେ ଆହୁରି କହିଲେ, ବିଶ୍ବକବି ରବୀନ୍ଦ୍ରନାଥ ଟାଗୋର୍‌ ଗାନ୍ଧୀଙ୍କୁ ‘ମହାତ୍ମା’ ଉପାଧି ଦେଇଥିଲେ। କିନ୍ତୁ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ଅଲ୍ଲୀ ଜିନ୍ନା ଏହା ମାନିବାକୁ ଅରାଜି ଥିଲେ। ସଭା ସମିତିରେ ସେ ଗାନ୍ଧୀଙ୍କୁ ‘ମହାତ୍ମା’ ବଦଳରେ ମିଷ୍ଟର ଗାନ୍ଧୀ ଭାବେ ସମ୍ବୋଧନ କରୁଥିଲେ। କିନ୍ତୁ ଭାରତର ଅଖଣ୍ଡତା ରକ୍ଷା ଓ ହିନ୍ଦୁ-ମୁସ୍‌ଲିମ୍‌ ଭାଇଚାରାକୁ ବଜାୟ ରଖିବା ପାଇଁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଜିନ୍ନାଙ୍କୁ ଅଧିଷ୍ଠିତ କରିବାକୁ ବାପୁ ହିଁ ସୁପାରିସ୍‌ କରିଥିଲେ। ଏହା ଗାନ୍ଧୀଙ୍କ ଉଚ୍ଚ ମାନବୀୟ ମୂଲ୍ୟବୋଧ ଓ ମହାନତାର ନିଦର୍ଶନ ବୋଲି ଡ. ପଟ୍ଟନାୟକ କହିଥିଲେ।

ଏହି କାର୍ଯ୍ୟକ୍ରମରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଉପଲକ୍ଷେ ଅନୁଷ୍ଠିତ ଏକ ଆଲୋଚନାଚକ୍ର‌ରେ ଡ. ପଟ୍ଟନାୟକ ବିଭିନ୍ନ ସମୟରେ ଜାତିର ପିତାଙ୍କ ନାମରେ ହୋଇଥିବା ବିଭିନ୍ନ ଅପପ୍ରଚାରକୁ ତଥ୍ୟ ପ୍ରମାଣ ଭିତ୍ତିରେ ଖଣ୍ଡନ କରିଥିଲେ। ସଂସଦର ପ୍ରତିଷ୍ଠାତା ସଭାପତି ପ୍ରଫେସର୍‌ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି ଶୈଳଜ ରବି ଓ ସାହିତ୍ୟିକ ବନୋଜ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ‘ବିନ୍ଦୁ ସାହିତ୍ୟ ପତ୍ରିକା’, ବାଉରୀବନ୍ଧୁ ଲେଙ୍କାଙ୍କ ଅନୁବାଦ ପୁସ୍ତକ ‘ଋତୁସଂହାର’, ଶଶିଭୂଷଣ ମହାପାତ୍ରଙ୍କ କବିତା ପୁସ୍ତକ ‘ଦୃଶ୍ୟାନ୍ତର’, ଭକ୍ତ ମଲ୍ଲଙ୍କ କବିତା ପୁସ୍ତକ ‘ମତେ ଛୁଁ’ ଓ ବିଦ୍ୟୁତ୍‌ଲତା ଦାସଙ୍କ କବିତା ପୁସ୍ତକ ‘ତୋତେ ମନା’ ଆଦି ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ କବିତା ପ୍ରତିଯୋଗିତାର ବିଜୟୀ ସଂଧ୍ୟାରାଣୀ ପରିଜା ଓ ସତ୍ୟବାନ ସାମଲଙ୍କ ସମେତ ଶିଶୁ କବିତା ପ୍ରତିଯୋଗିତାରେ ବିଜୟୀ ଶରତ କୁମାର ଦାସ, କୈଳାସ ଚନ୍ଦ୍ର ସାହାଣୀ ଓ ଅଜିତା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ଉପସଭାପତି ବାଉରୀବନ୍ଧୁ ଲେଙ୍କା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସ୍ବପ୍ନା ବେହେରା, ସୁଜାତା ମହାପାତ୍ର ଓ ବିଜନ ରାୟ ପ୍ରମୁଖ ମଞ୍ଚ ସଂଯୋଜନା କରିଥିଲେ। ସଂପାଦକ ଅରୁଣ ବିଶ୍ବାଳ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉପସଭାପତି ରାଜଲକ୍ଷ୍ମୀ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର