ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ା ଅବିଚ୍ଛେଦ୍ୟ ଅଙ୍ଗ

ଓଡିଏମ୍‌ର ବାର୍ଷିକ କ୍ରୀଡ଼ା ଉତ୍ସବ

ଚନ୍ଦ୍ରଶେଖରପୁର : ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ୨୯ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଓଡିଏମ୍‌ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଶ୍ରୀ ତିର୍କୀ ଅଲିମ୍ପିକ୍‌ ମଶାଲ ପ୍ରଜ୍ଜ୍ୱଳନ କରି ବାର୍ଷିକ କ୍ରୀଡ଼ା ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ବିଦ୍ୟାର୍ଥୀମାନଙ୍କ ଜୀବନରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ପୂର୍ବତନ ହକି ତାରକା କହିଥିଲେ। କ୍ରୀଡ଼ା ଜୀବନରେ ଶୃଙ୍ଖଳା ଆଣିଥାଏ। ତେଣୁ ପାଠପଢ଼ା ସହ କ୍ରୀଡ଼ାକୁ ସମାନ ଭାବେ ଗୁରୁତ୍ୱ ଦେବାକୁ ସେ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ। ଅଧ୍ୟକ୍ଷ ଡ. ମୀନକେତନ କ୍ରୀଡ଼ା ଶାରୀରିକ ସୁସ୍ଥତାର ପରିଚାୟକ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. ପି.କେ ଦାସ, ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ମୁଖ୍ୟ ସଂଯୋଜିକା ଝିନୁକ୍‌ ଦତ୍ତାରାୟ, ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ, ଉପାଧ୍ୟକ୍ଷ ରାଜେଶ ପାଢ଼ୀ, ଉପାଧ୍ୟକ୍ଷା ଗୌରୀ ରକ୍ଷିତ୍‌, ଏ.ଆଇ.ଏମ୍‌.ଏସ୍‌ ବି-ସ୍କୁଲ୍‌ର ନିର୍ଦ୍ଦେଶକ ପ୍ରଫେସର୍‌ ଆଲୋକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ କୃତୀ ଆଥ୍‌ଲେଟ୍‌ମାନଙ୍କୁ ଅତିଥଥିମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମକୁ ମହେନ୍ଦ୍ର କୁମାର ନାୟକ, କ୍ରୀଡ଼ା ଶିକ୍ଷକ ଲଲାଟ ପରିଡ଼ା, ଦୀନେଶ ମହାନ୍ତି, ପ୍ରମୋଦ ମିଶ୍ର, ଚିନ୍ମୟୀ ବରାଳ, ଭବାନୀ ଶଙ୍କର ସାହୁ, ଏବଂ ରଞ୍ଜନ ସିଂ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର