ବର୍ଷକୁ ବାହାରୁଛି ୨୭୦୦ ଟନ୍‌ ଇ-ବର୍ଜ୍ୟ

ଭୁବନେଶ୍ୱର: ରାଜଧାନୀକୁ ଇ-ବର୍ଜ୍ୟ କବଳରୁ ରକ୍ଷା କରିବା ପାଇଁ ବିଏମ୍‌ସି ଏବଂ ବିଶ୍ୱ ବ୍ୟାଙ୍କ ଗ୍ରୁପର ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ (ଆଇଏଫ୍‌ସି) ପକ୍ଷରୁ ପିପିପି ମୋଡରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଏହି ଅଭିଯାନର ବର୍ଷ ପୂର୍ତ୍ତି ଅବସରରେ ଆଜି ହୋଟେଲ ମେ-ଫେୟାରରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରୁ ଜଣାପଡ଼ିଛି ଯେ ରାଜଧାନୀରେ ବର୍ଷକୁ ପ୍ରାୟ ୨୭୦୦ ଟନ୍‌ ଇ-ଆବର୍ଜନା ବାହାରୁଛି। କିନ୍ତୁ ଏହାକୁ ସଂଗଠିତ ଭାବେ ପ୍ରକ୍ରିୟାକରଣ କରାଯାଇ ପାରୁନି। ଗତ ବର୍ଷକ ମଧ୍ୟରେ କ୍ଲିନ୍‌ ଇ-ଭୁବନେଶ୍ୱର ମାଧ୍ୟମରେ ୭୪ଟି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅତିିଥି ଭାବେ ଯୋଗଦେଇ କହିଲେ ଯେ ଇ-ଭୁବନେଶ୍ୱର କାର୍ଯ୍ୟକ୍ରମ ମାଧ୍ୟମରେ ଆନୁଷ୍ଠାନିକ ଉଦ୍ୟୋଗଗୁଡ଼ିକ ବହୁ ଟନ୍‌ର ଇ-ବର୍ଜ୍ୟକୁ ଖୁବ୍‌ କମ୍‌ ସମୟରେ ସଂଗ୍ରହ କରି ତା’ର ଉପଯୁକ୍ତ ନିଷ୍କାସନ କରି ପାରୁଛନ୍ତି। ଏହା ରାଜ୍ୟର ବିକାଶରେ ସହାୟକ ହେଉଛି। ଆଗକୁ ଏହାକୁ ବ୍ୟବସ୍ଥିତ ଢଙ୍ଗରେ ପରିଚାଳନା କରାଯିବ ବୋଲି ଶ୍ରୀ ପାଢ଼ୀ କହିଥିଲେ। ଆଇଏଫ୍‌ସିର ଭାରତ ମୁଖ୍ୟ ଜନ୍‌ ଝାଙ୍ଗ୍‌ ଏହି ଅବସରରେ ଇ-ଭୁବନେଶ୍ୱରର ସଫଳତା ଏବଂ ଆଗାମୀ ଦିନରେ ନିଆଯିବାକୁ ଥିବା ପଦକ୍ଷେପ ବିଷୟରେ କହିଥିଲେ। ଇ-ବର୍ଜ୍ୟ ପରିଚାଳନାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ସଂସ୍ଥା ଓ ଅନୁଷ୍ଠାନଗୁଡ଼ିକୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର