ଆନ୍‌ପିକ୍‌ ଲୋକାର୍ପିତ: ଆନ୍‌ପିକ୍‌ ଗଢ଼ିବ ଶିଳ୍ପୀ ରହଣି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ଏକ ଚିତ୍ରକଳା ଗ୍ୟାଲେରି। ଏଥିସହ ପ୍ରଥମ କରି ଏକ ଶିଳ୍ପୀ ରହଣି କେନ୍ଦ୍ର ପ୍ରତିଷ୍ଠା ହେବ। ଆର୍ଟିଷ୍ଟ୍‍ ନେଟ୍‌ଓ୍ଵର୍କ ପ୍ରମୋଟିଙ୍ଗ୍‌ ଇଣ୍ଡିଆନ୍‌ କଲ୍‌ଚର (ଆନ୍‌ପିକ୍‌) ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ଏହା ପ୍ରତିଷ୍ଠା ହେବ। ଏଥିସହ ଆନ୍‌ପିକ୍‌ ପକ୍ଷରୁ ଚଳିତ ବର୍ଷ ଶେଷ ଭାଗରେ କୋଣାର୍କ, ଭୁବନେଶ୍ୱର ଓ ପୁରୀରେ ଓଡ଼ିଶା ଅନ୍ତର୍ଜାତିକ କଳା ଟ୍ରିନାଲେ ଅନୁଷ୍ଠିତ ହେବ। ବିଶିଷ୍ଟ କଳା ସମୀକ୍ଷକ ତଥା ଐତିହାସିକ ଜନି ଏମ୍‌ଏଲ୍‌ ଓ ରାଜେନ୍ଦ୍ର ପାଟିଲ୍‌ କଳା ପରିକଳ୍ପନା କରିବେ। ଆଜି କ୍ରାଉନ୍‌ ହୋଟେଲ୍‌ର ଆନ୍‌ପିକ୍‌ର ଉଦ୍‌ଘାଟନ ଅବସରରେ ସଂଗଠନ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ସାଂସଦ ପିନାକୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଓଡ଼ିଶାର ଆଦିବାସୀ କଳା ସବୁଠୁ ଶ୍ରେଷ୍ଠ। କଳା କ୍ଷେତ୍ରରେ ଓଡ଼ିଶା ସମୃଦ୍ଧ। ଏ ଦିଗରେ ଯୁବ କଳାକାରମାନେ ଏକ ଦଶନ୍ଧି ଧରି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛନ୍ତି। ଆସନ୍ତା ଦିନମାନଙ୍କରେ କଳା ପାଇଁ ଏକ ଭଲ ସମୟ ଆସୁଛି। ଯତୀନ ଦାସ, ଜଗନ୍ନାଥ ପଣ୍ଡା ଓ ଅସିତ ପଟ୍ଟନାୟକ ପ୍ରମୁଖ ଚିତ୍ରଶିଳ୍ପୀ ଓଡ଼ିଶାର ଚିତ୍ରଶିଳ୍ପ ଗାରିମାକୁ ବିଶ୍ୱସ୍ତରରେ ପହଞ୍ଚାଇଥିବା ବେଳେ ଯୁବ ଚିତ୍ରଶିଳ୍ପୀମାନେ ଆଗାମୀ ଦିନରେ ତାଙ୍କ ଭଳି ଖ୍ୟାତି ଆଣିବା ପାଇଁ ସିଦ୍ଧହସ୍ତ ହେବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର ଅନନ୍ତ ନାରାୟଣ ଜେନା, ନାଲ୍‌କୋର ମୁଖ୍ୟ ପରିଚାଳନା ନିର୍ଦେଶକ ଡ.ତପନ କୁମାର ଚାନ୍ଦ, ଜନି ଏମ୍‌ଏଲ୍‌ ଏବଂ ରାଜେନ୍ଦ୍ର ପାଟିଲ୍‌ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପାଦେୟ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଚିତ୍ରଶିଳ୍ପୀ ଡ.ଦୁର୍ଗାପ୍ରସାଦ ଦାସ, କାଠ ସ୍ଥପତି ବାନାମ୍ବର ନାୟକ, ସ୍ଥପତି ପ୍ରତାପ ଜେନା, ଡିଜାଇନର ଚୌଧୁରୀ ଜ୍ୟୋତ୍ସ୍ନା ଦାସଙ୍କୁ ସମ୍ବର୍ଧିତ କରାଯାଇଥିଲା। ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଶଶାଙ୍କ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜକ କ୍ଷିତିଶ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର