ଆଢ଼ୁଆଳରେ ଅନୁପାତ୍ର କୋଠି
ପୁରୁଣା ଜଗନ୍ନାଥ ସଡ଼କର ଆଉ ଏକ ସ୍ଥାପତ୍ୟ ଧ୍ୱଂସାଭିମୁଖୀ
ଭୁବନେଶ୍ୱର: ଧୀରେଧୀରେ କାଳ ବକ୍ଷରେ ବିଲୀନ ହେଲାଣି ପୁରୁଣା ଜଗନ୍ନାଥ ରୋଡ୍ର ଇତିବୃତ୍ତି। ଅନେକ କୀର୍ତିରାଜିର ଆଉ ଚିହ୍ନବର୍ଣ୍ଣ ନାହିଁ। ଆଉ ଯାହା ରହିଯାଇଛି, ତାହା ବି କାଳର କରାଳ ସ୍ରୋତରେ ଧୀରେଧୀରେ ସତ୍ତା ହରାଉଛି। ଭୁବନେଶ୍ୱର ଉପକଣ୍ଠରେ ପୁରାତନ ଜଗନ୍ନାଥ ସଡ଼କର ଏକମାତ୍ର ସ୍ମାରକୀ ଭାବେ ମହଜୁଦ ଥିବା ଅନୁପାତ୍ର କୋଠି ଦିନେ ଥିଲା ଭକ୍ତଙ୍କ ଆଶ୍ରୟସ୍ଥଳୀ। ତେବେ ବାଲିଅନ୍ତା ଅଧୀନସ୍ଥ ଗଡ଼ଶ୍ରୀରାମପୁର ଗ୍ରାମରେ ୧୮୮୦-୮୨ ମସିହାରୁ ଛିଡ଼ା ହୋଇଥିବା ଏହି ଦ୍ୱିତଳ ବିଶିଷ୍ଟ ପ୍ରାସାଦଟି ଏବେ ଜରାଜୀର୍ଣ୍ଣ ପ୍ରାୟ। ୧୪୦ ବର୍ଷ ତଳର ଏହି କୋଠି ଖାଲି ଶ୍ରୀକ୍ଷେତ୍ରକୁ ଯାଉଥିବା ବାଟୋଇ ଭକ୍ତଙ୍କ ବିଶ୍ରାମର ପେଣ୍ଠସ୍ଥଳୀ ନଥିଲା ବରଂ ଏହାର ଆଖପାଖ ସ୍ଥାନକୁ ସମ୍ଭ୍ରାନ୍ତ ଅଞ୍ଚଳର ପରିଚୟ ଦେଉଥିଲା ଏହି କୋଠି।
Sambad is now on WhatsApp
Join and get latest news updates delivered to you via WhatsApp
ଇନ୍ଟାକ ଦ୍ୱାରା ପୁରାତନ ଜଗନ୍ନାଥ ସଡ଼କର ସର୍ବେକ୍ଷଣ ସମୟରେ ଏହି ଅଟ୍ଟାଳିକାକୁ ପରମ୍ପରା ଓ ଐତିହ୍ୟ ବହନ କରୁଥିବା ସୌଧ ରୂପେ ଗଣନା କରାଯାଇଥିଲା। ଏହାକୁ ସଂରକ୍ଷିତ କୀର୍ତିର ମାନ୍ୟତା ଦେବାକୁ ଇନ୍ଟାକ୍ ସରକାରଙ୍କୁ ଚିଠି ଲେଖିଛନ୍ତି। ଇନ୍ଟାକ୍ ସର୍ବେକ୍ଷକ ଦଳର ମୁଖ୍ୟ ଅନିଲ୍ ଧୀର୍ଙ୍କ କହିବା ମୁତାବକ, ଅଧୁନା ବଞ୍ଚି ରହିଥିବା ସେ ସମୟର ସ୍ଥାପତ୍ୟ ମଧ୍ୟରୁ ଏହା ଅନ୍ୟତମ। ଏହି ସ୍ମାରକୀ ପଛରେ ଲୁଚି ରହିଛି କୌତୁହଳପୂର୍ଣ୍ଣ ଇତିହାସ। ୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷ ବେଳେ ଅନାଦି ପାତ୍ର ନାମକ ଜଣେ ଓଡ଼ିଆ କୃଷକ କୋଲକାତା ପଳାଇଥିଲେ। ସେଠାରେ ବ୍ୟବସାୟ କରି ସେ ବହୁ ଟଙ୍କା ରୋଜଗାର କଲେ। ଏହି ପୁରାତନ ଜଗନ୍ନାଥ ସଡ଼କ ଥିଲା ତାଙ୍କର ଗାଁକୁ ଯିବା ଆସିବାର ବାଟ। ଜଗନ୍ନାଥଙ୍କ ଭକ୍ତମାନେ ବି ଏହି ରାସ୍ତାରେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ଯାଉଥିଲେ। ତେବେ ଯାତାୟତ ବେଳେ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିବା ଉପଲବ୍ଧି କରିିଥିଲେ ଅନାଦି। ଜଗନ୍ନାଥଙ୍କର ପରମ ଭକ୍ତ ଥିବା ଅନାଦିଙ୍କ ଦେହରେ ଏକଥା ଗଲାନି। ତେଣୁ ତୀର୍ଥଯାତ୍ରୀଙ୍କ ବିଶ୍ରାମସ୍ଥଳୀ ଭାବେ ଅନାଦି ପାତ୍ର ଏହି କୋଠିଟି ସ୍ଥାପନ କରିଥିଲେ। ରାଜମିସ୍ତ୍ରୀ, ବଢ଼େଇ ଓ ଅନ୍ୟ ଶ୍ରମିକମାନଙ୍କୁ କୋଲକାତାରୁ ଡକାଇ ସେ ଏହି ଦ୍ୱିତଳ ପ୍ରାସାଦ ନିର୍ମାଣ କରିଥିଲେ। ଯାତ୍ରୀମାନଙ୍କ ସୁବିଧା ସକାଶେ ଏଠାରେ ପଥର ପାଚେରି, ବୃହତ୍ତ ପୁଷ୍କରିଣୀ, ଦୁଇଟି କୂଅ ଖନନ କରାଯାଇଥିଲା। ବହୁକାଳ ପର୍ଯ୍ୟନ୍ତ ଯାତ୍ରୀମାନେ ଜଗନ୍ନାଥ ଦର୍ଶନରେ ଯିବା ବେଳେ ଏଠାରେ ରାତ୍ରୀ ଯାପନ କରୁଥିଲେ। ମାତ୍ର ଏହି ପୁରାତନ ଅଟ୍ଟାଳିକା ସମୂହ ଧ୍ୱଂସାଭିମୁଖୀ। ତେଣୁ ଏହି ପୁରାତନ ଅଟ୍ଟାଳିକାକୁ ତୁରନ୍ତ ପୁନରୁଦ୍ଧାର କରିବା ଜରୁରି ବୋଲି ଇନ୍ଟାକ୍ର ରାଜ୍ୟ ଆବାହକ ଏବି ତ୍ରିପାଠୀ କହିଛନ୍ତି। ସଂଜୀବ ହୋତା ଓ କୁଳମଣି ଦେଓଙ୍କ ସମେତ ଇନ୍ଟାକ୍ର ପ୍ରତିନିଧି ଦଳ ଏହି ଗାଁକୁ ଗସ୍ତ କରି କୋଠି ପରିଦର୍ଶନ କରି ଫେରିଥିବା ବେଳେ ଅଟ୍ଟାଳିକାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ପାଣ୍ଠି ବ୍ୟବସ୍ଥା ନିମନ୍ତେ ଦାବି କରାଯିବ ବୋଲି କହିଛନ୍ତି। ପୁରୁଣା ଜଗନ୍ନାଥ ସଡ଼କରେ ଥିବା ଏହି ପଦଚିହ୍ନ ଯେପରି ବିଲୀନ ନହୋଇଯାଏ ସେନେଇ ସରକାର ଦୃଷ୍ଟି ଦେବାକୁ ସଂଜୀବ ଧୀର୍ ନିବେଦନ କରିଛନ୍ତି।