ଚକ୍‌ମା ଦେଲେ ଅପରାଜିତା

ଢାଲିଙ୍କ ପ୍ରତି ଭୋଟର ଢଳିଲେ, ୫୩୯୫ ଖଣ୍ଡ ଭୋଟ୍‌ ନୋଟାକୁ

ଭୁବନେଶ୍ବର : ଭୁବନେଶ୍ବର ଲୋକସଭା କ୍ଷେତ୍ରର ୭ଟି ନିର୍ବାଚନ ମଣ୍ଡଳୀରେ ୬ଟିରେ ବିଜେଡି ପ୍ରାର୍ଥୀ ଜିତିଥିବାବେଳେ ଗୋଟିକରେ କଂଗ୍ରେସ ପ୍ରାର୍ଥୀ ଜିତିଛନ୍ତି। କିନ୍ତୁ ବି‌େଜପିର ଅପରାଜିତା ଷଡ଼ଙ୍ଗୀ ସମସ୍ତଙ୍କୁ ଚକ୍‌ମା ଦେଇ ଲୋକସଭା ଆସନ ଦଖଲ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ, ବିଏମ୍‌ସି କମିସନର ଭାବେ କରିଥିବା କାର୍ଯ୍ୟର ପୁରସ୍କାର ଆଜି ଅପରାଜିତାଙ୍କୁ ମିଳିଛି। ୭ଟି ନିର୍ବାଚନ ମଣ୍ଡଳୀରୁ ୪ଟିରେ ବିଜେପି ପ୍ରାର୍ଥୀ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆଉ ତିନିଟି ସ୍ଥାନରେ ତୃତୀୟ ସ୍ଥାନରେ ଅଛନ୍ତି। କିନ୍ତୁ ଅପରାଜିତା ମୋଦୀ ହାୱା ଓ ନିଜ ପ୍ରଚାର ବଳରେ ସବୁ ଗଣିତକୁ ଓଲଟପାଲଟ କରି ବିଜୟ ହାସଲ କରିଛନ୍ତି। ଗଣତିର ଚୂଡ଼ାନ୍ତ ପର୍ଯ୍ୟାୟ ପର୍ଯ୍ୟନ୍ତ ବିଜେଡିର ଲୋକସଭା ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କ ଠାରୁ ପ୍ରାୟ ୨୩ହଜାର ଭୋଟରେ ଆଗରେ ରହିଛନ୍ତି

ଢାଲିଙ୍କ ପ୍ରତି ଭୋଟର ଢଳିଲେ

ଭୁବନେଶ୍ବର : ପ୍ରାୟ ୫ବର୍ଷ ଜୟଦେବ ରାଜନୀତିରୁ ଦୂରରେ ରହିବା ପରେ ଅରବିନ୍ଦ ଢାଲି ପୁଣି ‌ଫେରିଥିଲେ। କିନ୍ତୁ ଢାଲିଙ୍କ ପ୍ରତି ଜୟଦେବ ନିର୍ବାଚନ ମଣ୍ଡଳୀ ବାସୀଙ୍କର ଥିବା ଭଲପାଇବା ଓ ବିଜେଡି ପ୍ରତି ଥିବା ବିଶ୍ବାସ ତାଙ୍କୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାରେ ସହାୟକ ହେଲା। ଢାଲି ଏଥର ୧୭୮୭୨ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟ ହାସଲ କଲେ। ଶଶିଭୂଷଣ ବେହେରାଙ୍କୁ ନିର୍ବାଚନ ମଣ୍ଡଳୀରେ ଯେଉଁଭଳି ବିରୋଧ ହେଉଥିଲା ସେଥିରେ ବିଜେଡି ପ୍ରାର୍ଥୀ ଜିତିବା କଷ୍ଟକର ଲାଗୁଥିଲେ ହେଁ ମତଦାତା ଯେପରି ଢାଲିଙ୍କ ପ୍ରତି ଢଳିଲେ ସେଥିରେ ସେ ବିରୋଧୀଙ୍କୁ ମାତ୍‌ ଦେଇଦେଲେ। ଢାଲିଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ଥିଲେ ସ୍ବାଧୀନ ପ୍ରାର୍ଥୀ ନବକିଶୋର ମଲ୍ଲିକ। ଢାଲିଙ୍କୁ ୬୦୩୫୦ ଖଣ୍ଡ ଭୋଟ୍‌ ମିଳିଥିବାବେଳେ ନବଙ୍କୁ ୪୨୪୭୮ଖଣ୍ଡ ଭୋଟ୍‌ ମିଳିଛି। ବିଜେପି ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକଙ୍କୁ ୨୭୭୩୧ଖଣ୍ଡ ଭୋଟ୍‌ ମିଳିଥିବାବେଳେ ସେ ତୃତୀୟ ସ୍ଥାନରେ ରହିଛନ୍ତି।

୫୩୯୫ ଖଣ୍ଡ ଭୋଟ୍‌ ନୋଟାକୁ
ଭୁବନେଶ୍ବର : ଭୁବନେଶ୍ବର ସବ୍‌ଡିଭିଜନ ଅଧୀନସ୍ଥ ୫ଟି ନିର୍ବାଚନ ମଣ୍ଡଳୀରେ ଏଥର ୫୩୯୫ ଜଣ ମତଦାତା ନୋଟାରେ ଭୋଟ୍‌ ଦେଇଛନ୍ତି। ସବୁଠୁ ଅଧିକ ଭୁବନେଶ୍ବରରେ ଉତ୍ତରରେ ‌୧୪୬୬ ଖଣ୍ଡ ନୋଟାରେ ଦିଆଯାଇଛି। ଜଟଣୀରେ ୧୨୮୪ ଖଣ୍ଡ, ଏକାମ୍ର ଭୁବନେଶ୍ବରରେ ୯୮୧ଖଣ୍ଡ, ଜୟଦେବରେ ୯୨୬ଖଣ୍ଡ, ଭୁବନେଶ୍ବର ମଧ୍ୟରେ ୭୪୦ ଖଣ୍ଡ ଭୋଟ୍‌ ପଡ଼ିଛି। ସେହିପରି ୪୫୧ ଖଣ୍ଡ ଭୋଟ୍‌ ଡାକରେ ଆସିଛି। ଏଥିରୁ ଜୟଦେବରେ ୧୫୩ ଖଣ୍ଡ, ଭୁବନେଶ୍ବର ମଧ୍ୟ ଓ ଏକାମ୍ରରେ ୧୪୯ ଖଣ୍ଡ ଲେଖାଏଁ ଭୋଟ୍‌ ଡାକରେ ଆସିଛି।

ସମ୍ବନ୍ଧିତ ଖବର