ବିଜେପି ବିଧାୟକ ପ୍ରାର୍ଥୀ ବହୁ ପଛରେ ତଥାପି ଜିତିଲେ ଅପରାଜିତା

ବିଜେଡି ହାତରୁ ଖସିଗଲା ଭୁବନେଶ୍ବର ଲୋକସଭା ଆସନ, ରୋଚକ ହେବ ବିଏମ୍‌ସି ନିର୍ବାଚନ

ଭୁବନେଶ୍ବର : ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ୭ଟି ଯାକ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀମାନେ ବିଜୟୀ ପ୍ରାର୍ଥୀଙ୍କଠାରୁ ବହୁ ପଛରେ ରହିଛନ୍ତି। ୫ଟି ଆସନରେ ବ୍ୟବଧାନ ୧୦ ହଜାରରୁ ୩୦ ହଜାର ମଧ୍ୟରେ। ୨ଟି ଆସନରେ ବିଜେପି ତୃତୀୟ ସ୍ଥାନରେ। ବିଧାନସଭା ଆସନଗୁଡ଼ିକରେ ବିଜେପିର ଏହି ଦୁର୍ବଳ ପ୍ରଦର୍ଶନର ପ୍ରଭାବ ପଡ଼ିନି ଭୁବନେଶ୍ବର ‌େଲାକସଭା ଆସନ‌ରେ। ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ୨୩ ହଜାରରୁ ଅଧିକ ଭୋଟ୍‌ ବ୍ୟବଧାନ‌େର ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି। ଭୁବନେଶ୍ବର ଭୋଟର୍ ଦୁଇଟି ନିର୍ବାଚନ ପାଇଁ ଭିନ୍ନ ଭିନ୍ନ ମତ ସାବ୍ୟସ୍ତ କରିଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ଏହି ଫଳାଫଳ ରାଜଧାନୀ ରାଜନୀତିକୁ ବେଶ୍‌ ରୋଚକ ମୋଡ଼ ଦେବାର ସମ୍ଭାବନା ରହିଛି।

ବିଏମ୍‌ସି କମିସନର୍ ଓ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅପରାଜିତାଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ତାଙ୍କୁ ବେଶ୍‌ ଚର୍ଚ୍ଚିତ କରିଥିଲା। ଗତ ବର୍ଷ ଆଇଏଏସ୍‌ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିଥିଲେ। ଗତ ନଭେମ୍ବର ମାସରେ ସେ ବିଜେପିରେ ଯୋଗ ଦେଇଥିଲେ। ଏହା ପରେ ସେ ୭ଟି ଯାକ ନିର୍ବାଚନମଣ୍ଡଳୀରେ ଜୋର୍‌ଦାର୍ ଲୋକସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଥିଲେ। ଦଳ ତାଙ୍କୁ ଲୋକସଭା ପ୍ରାର୍ଥୀ ଘୋଷଣା କଲା ପରେ ଅପରାଜିତାଙ୍କ ହାୱା ଜୋର୍‌ ହୋଇଥିଲା। କିନ୍ତୁ କୌଣସି ପ୍ରକାର ରାଜନୈତିକ ଗଣିତ ତାଙ୍କ ବିଜୟ ନେଇ ସଙ୍କେତ ଦେଉ ନ ଥିଲା। କାରଣ ତୃଣମୂଳ ସ୍ତରରେ ବିଜେପିର ସଂଗଠନ ସେତେଟା ଦୃଢ଼ ନ ଥିଲା। ପୁଣି ଗତ ଦୁଇଟି ଲୋକସଭା ନିର୍ବାଚନରେ ବି ବିଜେପିର ପ୍ରଦର୍ଶନ ଦୁର୍ବଳ ଥିଲା। ତେଣୁ ଅପରାଜିତାଙ୍କ ଜିତିବା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ ଥିଲା।

କିନ୍ତୁ ସବୁ ରାଜନୈତିକ ଆକଳନ ଭୁଲ୍‌ ପ୍ରମାଣିତ ହୋଇଛି। ଅପରାଜିତାଙ୍କ ସପକ୍ଷରେ ଯେଉଁ ହାୱା ବହୁଥିଲା, ତାହା ହିଁ ସତ ହୋଇଛି। ବିଜେପିର ବିଧାୟକ ପ୍ରାର୍ଥୀ ବହୁ କମ୍ ଭୋଟ୍‌ ପାଇଥିଲେ ବି ଅପରାଜିତା ଅଧିକ ଭୋଟ୍‌ ପାଇଛନ୍ତି। ଭୁବନେଶ୍ବର ଏକାମ୍ରରେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂହ ୪୬,୩୬୩ ଭୋଟ୍‌ ପାଇଥିଲା ବେଳେ ଅପରାଜିତା ପାଇଛନ୍ତି ୬୭ ହଜାରରୁ ଅଧିକ ଭୋଟ୍‌। ଭୁବନେଶ୍ବର-ମଧ୍ୟରେ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ପ୍ରାୟ ୪୨ ହଜାର ଭୋଟ୍‌ ପାଇଥିଲା ବେଳେ ଅପରାଜିତା ପାଇଛନ୍ତି ପାଖାପାଖି ୫୬ ହଜାର ଭୋଟ୍‌। ଭୁବନେଶ୍ବର-ଉତ୍ତରରେ ବିଧାୟକ ପ୍ରାର୍ଥୀ ଅପରାଜିତା ମହାନ୍ତି ପ୍ରାୟ ୪୫ ହଜାର ଭୋଟ୍‌ ପାଇଥିଲା ବେଳେ ଅପରାଜିତା ପାଇଛନ୍ତି ୫୨ ହଜାରରୁ ଅଧିକ ଭୋଟ୍‌। ଜୟଦେବରେ ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାଥ ନାୟକ ପାଖାପାଖି ୨୯ ହଜାର ଭୋଟ୍‌ ପାଇଥିଲା ବେଳେ ଅପରାଜିତାଙ୍କ ଭୋଟ୍‌ ସଂଖ୍ୟା ୫୫ ହଜାରରୁ ଅଧିକ। ଜଟଣୀରେ ବିଧାୟକ ପ୍ରାର୍ଥୀ ବିଶ୍ବରଞ୍ଜନ ବଡ଼ଜେନା ପ୍ରାୟ ୨୬ ହଜାର ଭୋଟ୍‌ ପାଇଥିଲା ବେଳେ ଅପରାଜିତା ପାଇଛନ୍ତି ୭୩ ହଜାରରୁ ଅଧିକ ଭୋଟ୍‌। ଖୋର୍ଦ୍ଧାରେ ବିଧାୟକ ପ୍ରାର୍ଥୀ କାଳୁ ଖଣ୍ଡଇତରାୟ ୭୪ ହଜାର ୫୦୦ ଭୋଟ୍‌ ପାଇଥିଲା ବେଳେ ଏଠି ଅପରାଜିତାଙ୍କ ଭୋଟ୍‌ ସଂଖ୍ୟା ୮୭ ହଜାରୁ ଅଧିକ। ବେଗୁନିଆରେ ବିଜେପି ପ୍ରାର୍ଥୀ ଋଷଭ ନନ୍ଦ ପ୍ରାୟ ୨୬ ହଜାର ଭୋଟ୍‌ ପାଇଥିଲା ବେଳେ ଅପରାଜିତା ପାଇଛନ୍ତି ୬୮ ହଜାରରୁ ଅଧିକ ଭୋଟ୍‌। ସବୁ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ଠାରୁ ଅପରାଜିତାଙ୍କ ଭୋଟ୍‌ ବ୍ୟବଧାନ ଯଥେଷ୍ଟ ଅଧିକ ରହିଛି। ଭୁବନେଶ୍ବର-ମଧ୍ୟ, ଭୁବନେଶ୍ବର-ଏକାମ୍ର, ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆରେ ଅପରାଜିତା ଆଗରେ ଥିଲା ବେଳେ ଭୁବନେଶ୍ବର-ଉତ୍ତର ଓ ଜୟଦେବ‌ରେ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ଆଗରେ ରହିଛନ୍ତି।

ବିଜେଡି ଗଠନ ହେଲା ପରଠାରୁ ହୋଇଥିବା ୫ଟି ଲୋକସଭା ନିର୍ବାଚନରେ ଭୁବନେଶ୍ବର ସଂସଦୀୟ କ୍ଷେତ୍ର ବିଜେଡି ଦଖଲରେ ରହିଛି। ଲଗାତର ଭାବେ ଏଠାରୁ ପ୍ରସନ୍ନ ପାଟ୍ଟଶାଣୀ ନିର୍ବାଚିତ ହୋଇ ଆସୁଥିଲେ। ଯଦିଓ ପାଟ୍ଟଶାଣୀଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ସେତେଟା ନ ଥିଲା, ତେବେ ବିଜେଡିର ସଂଗଠନ ଓ ବିଧାନସଭାରେ ଦଳର ଭଲ ପ୍ରଦର୍ଶନ ପାଟ୍ଟଶାଣୀଙ୍କୁ ବେଶ୍‌ ସୁହାଉଥିଲା। ଭଲ ବ୍ୟବଧାନରେ ସେ ଲଗାତର ବିଜୟ ହାସଲ କରିଆସୁଥିଲେ। ଏଥର ବିଜେଡି ପାଟ୍ଟଶାଣୀଙ୍କୁ ପ୍ରାର୍ଥୀ କରି ନ ଥିଲା। ବହୁ ବିଳମ୍ବରେ ଅର୍ଥାତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର କିଛି ଦିନ ଆଗରୁ ଅବସରପ୍ରାପ୍ତ ଆଇପିଏସ୍ ଅଫିସର୍ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେଡି ସଂଗଠନରେ ସେ ହଠାତ୍ ଗ୍ରହଣୀୟ ହୋଇପାରି ନ ଥିଲେ।

ବିଜେପିର ସାଂଗଠନିକ ସ୍ଥିତି ଦୃଢ଼ ନ ଥିଲେ ବି ଅପରାଜିତା ବ୍ୟକ୍ତିଗତ ଲୋକପ୍ରିୟତା ଓ ମୋଦୀ ବ୍ରାଣ୍ଡ୍‌କୁ ନେଇ ନିର୍ବାଚନ ଲଢ଼ିଥିଲେ। କିନ୍ତୁ ଅରୂପ କେବଳ ବିଜେଡି ସଂଗଠନ ଓ ନବୀନଙ୍କ ଲୋକପ୍ରିୟତା ଉପରେ ଭରସା କରିଥିଲେ। ତୃଣମୂଳ ସ୍ତରରେ ବିଜେଡି ସଂଗଠନ ଓ ନବୀନଙ୍କ ଲୋକପ୍ରିୟତା ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇଥିଲେ ବି ଲୋକସଭା ପ୍ରାର୍ଥୀଙ୍କୁ ସହାୟକ ହୋଇପାରିଲା ନାହିଁ। ଫଳରେ ପ୍ରଥମ ଥର ପାଇଁ ବିଜେଡି ହାତରୁ ଏହି ଆସନଟି ଖସିଯାଇଛି।

ଭୁବନେଶ୍ବରରେ ବାମଦୁର୍ଗକୁ ଜୀବନ୍ୟାସ ଦେବା ପାଇଁ ଏଥର ଅଣ୍ଟା ଭିଡ଼ିଥିଲେ ସିପିଆଇ(ଏମ୍‌) ପ୍ରାର୍ଥୀ ଜନାର୍ଦ୍ଦନ ପତି। କଂଗ୍ରେସ ସମର୍ଥନରେ ସେ ନିର୍ବାଚନକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ମାତ୍ର ୨୩ ହଜାର ଭୋଟ୍‌(୨.୨୯%)ରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏପରିକି କଂଗ୍ରେସ ବିଧାୟକ ପ୍ରାର୍ଥୀମାନେ ଯେତିକି ଭୋଟ୍‌ ପାଇଛନ୍ତି, ତାହା ବି ଜନାର୍ଦ୍ଦନଙ୍କ ପାଖକୁ ଯାଇ ନାହିଁ।

ପ୍ରଥମ ଥର ପାଇଁ ଭୁବନେଶ୍ବରରେ ସାଂସଦ ଓ ବିଧାୟକ ଭିନ୍ନ ଭିନ୍ନ ଦଳର ରହିବେ। ପୁଣି ଆଗକୁ ବିଏମ୍‌ସି ନିର୍ବାଚନ ଅଛି। ତେଣୁ ସାଂସଦ-ବିଧାୟକ ତାଳମେଳ ନେଇ କାମ କରିବେ ନା ମୁହାଁମୁହିଁ ସ୍ଥିତିରେ ରହିବେ, ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ଆଗାମୀ ଦିନରେ ରାଜଧାନୀ ରାଜନୀତି କେଉଁ ମୋଡ଼ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବି

ମୋ ବିଜୟ ପାଇଁ ଆଦରଣୀୟ ମୋଦୀଙ୍କ ଲହର୍‌ ଓ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ଧନ୍ୟବାଦ ଦେବି। ଆଗାମୀ ଦିନରେ ତାଙ୍କର ଇଚ୍ଛା ଓ ନିର୍ଦ୍ଦେଶରେ କାମ କରାଯିବ। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରକୁ ଆସନ୍ତା ୫ ବର୍ଷ ଭିତରେ ଦେଶର ସର୍ବଶ୍ରେଷ୍ଠ ସଂସଦୀୟ କ୍ଷେତ୍ରରେ ପରିଣତ କରିବାକୁ ଚାହିଁବି। ବିକାଶର କୌଣସି ଦଳ ଓ ଭାଷା ନଥାଏ। ବିକାଶମାନେ ବିକାଶ। ସବୁ ରାଜନୈତିକ ଦଳର ସାହାଯ୍ୟ ନେଇ କାମ କରିବି। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ବହୁତ କାମ କରିବାର ରହିଛି। ଏଠାରେ ୪ଟି ଗ୍ରାମାଞ୍ଚଳ ଓ ୩ଟି ସହରାଞ୍ଚଳ ରହିଛି। ଉଭୟ ଜାଗାରେ ସମସ୍ୟା ମଧ୍ୟ ଅଲଗା ରହିଛି। ଗତ ୫ ମାସ ଭିତରେ ୭୫ ଭାଗ ସ୍ଥାନ ବୁଲି ସାରିଛି। ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛୁ। ଆଜିଠାରୁ ସେ ଦିଗରେ କାମ ଆରମ୍ଭ କରିବୁ। ଆଗାମୀ ଦିନରେ ଓଡ଼ିଶା ବିଷୟରେ ସଂସଦରେ କେମିତି ଆଲୋଚନା କରାଯିବ, ସେ ଦିଗରେ ଧ୍ୟାନ ଦେବି। ଓଡ଼ିଶା ପାଇଁ ଯାହା ସମ୍ଭବ ତାହା କରିବି। ମହିଳାଙ୍କୁ ସୁରକ୍ଷା ଦେବା ଦିଗରେ କାମ କରିବାକୁ ଚାହିଁବି।
-ଅପରାଜିତା ଷଡ଼ଙ୍ଗୀ

ସମ୍ବନ୍ଧିତ ଖବର