ଆପୋସ ଉଦ୍‌ଘାଟିତ : ୬ ବସ୍ତିବାସିନ୍ଦାଙ୍କୁ ଖେଳ ଉପକରଣ ବଣ୍ଟନ

ଭୁବନେଶ୍ୱର : ଖେଳ ଜରିଆରେ ବସ୍ତିବାସିନ୍ଦାଙ୍କ ସହ ବର୍ଷ ତମାମ୍‌ ୨୪ ଘଣ୍ଟା ଯୋଡ଼ି ହୋଇ ରହିବା ପାଇଁ କମିସନରେଟ୍‌ ପୁଲିସ ଆରମ୍ଭ କରିଛି ‘ଆପୋସ’ ଯୋଜନା। କମିସନରେଟ୍‌ ପୁଲିସ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉନ୍ନୟନ କମିସନର ଅସିତ ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରିଛନ୍ତି। ଯୋଜନାର ଲୋଗୋ ସହ ବସ୍ତିବାସିନ୍ଦାମାନଙ୍କୁ ଖେଳ ଉପକରଣ ବାଣ୍ଟିଛନ୍ତି। ଉଦ୍‌ଘାଟନ କରିବା ଅବସର‌ରେ ପୁଲିସ କମିସନରଙ୍କୁ ଏଭଳି ଅଭିନବ ପ୍ରୟାସ ପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଯୋଜନା ସଫଳ ହେଲେ ଏହା ଷ୍ଟୁଡେଣ୍ଟ ପୁଲିସ ଭଲ୍ୟୁଣ୍ଟିୟର କାର୍ଯ୍ୟକ୍ରମ ଭଳି ରାଜ୍ୟରେ ଥିବା ବିଭିନ୍ନ ବସ୍ତି‌ରେ କାର୍ଯ୍ୟକ୍ଷମ ହେବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଖେଳ ହିଁ ସମସ୍ତଙ୍କୁଏକାଠି କରିଥାଏ। ଏଣୁ ଭଲ୍ଲି, କ୍ରିକେଟ୍‌ ଓ ଫୁଟ୍‌ବଲ୍‌ ଖେଳ ପାଇଁ ଭିତ୍ତିଭୂମି ଓ ସରଞ୍ଜାମ ଯୋଗାଇ ଦେଇ ଯୁବକମାନଙ୍କୁ ଏଥିରେ ବାନ୍ଧି ରଖିବା ସହ ଅପରାଧରୁ ଦୂରେଇ ରଖିବା ମୁଖ୍ୟ ଉଦ୍ଦେଶ୍ୟ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଅନ୍ୟତମ ଅତିଥି ଭାବେ ପୁଲିସ ଡିଜି ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା ଯୋଗଦେଇ କହିଥିଲେ, ସମସ୍ତ ବସ୍ତିବାସିନ୍ଦା ଖରାପ ନୁହନ୍ତି ବା ପୁଲିସ ଜାଣି ଜାଣି କାହାକୁ ହଇରାଣ କରେନି। ବାହାରୁ ଅପରାଧୀ ଆସି ବସ୍ତିରେ ଲୁଚନ୍ତି। ଏହା ତାଙ୍କୁ ବୁଝାଇବା ସହ ସୁସମ୍ପର୍କ ସ୍ଥାପନ ପାଇଁ ଏପରି ଖେଳ ଜରିଆରେ ଉଦ୍ୟମ ହେବ। ସାଧାରଣତଃ ବସ୍ତିରେ ଶିକ୍ଷା ସହ ମୌଳିକ ଆବଶ୍ୟକତାରେ ଅଭାବ ଥିବାରୁ ବାସିନ୍ଦା ଅପରାଧରେ ସାମିଲ ହୁଅନ୍ତି। ଜଣେ ନିଶା ଦ୍ରବ୍ୟ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନରେ ପହଞ୍ଚାଇ ଅର୍ଥ ରୋଜଗାର କରୁ କରୁ ନିଶାଗ୍ରସ୍ତ ହୋଇପଡ଼େ। ଏଣୁ ପୁଲିସ ଖେଳ ଜରିଆରେ ସେମାନଙ୍କ ସହ ୨୪ ଘଣ୍ଟା ଯୋଡ଼ି ହୋଇ ରହିବ। ଏହା ସହିତ ସେମାନେ ଖେଳରେ ମଜ୍ଜି ରହି ଅପରାଧରୁ ଦୂରେଇ ଯିବେ ଏବଂ ଆମର ଆଖି, ନାକ ଆଉ କାନ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଥିଲେ, ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ବରର ସାଲିଆସାହି, ଭରତପୁର, ଶିଖରଚଣ୍ଡୀ ନଗର, ପଣ୍ଡା ପାର୍କ, ହଳଦୀ ପଡ଼ିଆ ଓ କଟକର ତଅଳାସାହିକୁ ସାମିଲ କରାଯାଇଛି। ଖୁବ୍‌ଶୀଘ୍ର ଆଉ ୬ଟିକୁ ସାମିଲ କରାଯିବ। ପୂର୍ବରୁ ଗଠନ ହୋଇଥିବା କ୍ଲବକୁ ଆଜି ଭଲ୍ଲି, କ୍ରିକେଟ୍‌ ଓ ଫୁଟବଲ୍‌ କିଟ୍‌ ଯୋଗାଇ ଦିଆଯାଇଛି। ଆଗକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସି କମିସନର କିସନ କୁମାର, ସହକାରୀ କମିସନର ସୁରଥ ଚନ୍ଦ୍ର ମଲ୍ଲିକ, କ୍ରୀଡ଼ା ବିଭାଗର ବେଦବନ୍ଧୁ ମିଶ୍ର, ଗୃହ ଓ ନଗର ଉନନୟନ ବିଭାଗ ସଚିବ ତଥା ଆୟୁକ୍ତ ଜି. ମାଥିଭାତ୍‌ନାନ୍‌ଙ୍କ ସମେତ ଉଭୟ ଡିସିପି ପ୍ରମୁଖ ଯୋଗ ଦେଇ ଯୋଜନାର ସଫଳ ରୂପାୟନ ପାଇଁ ଆଶାବ୍ୟକ୍ତ କରିଥିଲେ। ଭୁବନେଶ୍ବର ଡିସିପି ଅନୁପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର