ସ୍ମାର୍ଟସିଟି ଗଢ଼ିବାରେ ଆର୍କିଟେକ୍‌ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସାରା ବିଶ୍ୱରୁ ୭୦୦ ପ୍ରତିନିଧିଙ୍କ ଅଂଶଗ୍ରହଣ

ଚନ୍ଦ୍ରଶେଖରପୁର: ସମୟ ଅନୁସାରେ ଲୋକଙ୍କ ଜୀବନଶୈଳୀ ଓ ରୁଚିରେ ପରିବର୍ତନ ଘଟୁଛି। ଲୋକଙ୍କ ଚାହିଦା ଅନୁଯାୟୀ ଗଢ଼ି ଉଠୁଛି ଅତ୍ୟାଧୁନିକ ସହର। ଏହି ଅତ୍ୟାଧୁନିକ ସହର କିମ୍ବା ସ୍ମାର୍ଟସିଟିର ପରିକଳ୍ପନା ଓ ନିର୍ମାଣରେ ଆର୍କିଟେକ୍‌ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆର୍କିଟେକ୍ଟ୍‌ସ (ଆଇଆଇଏ)ର ୩୪ତମ ଜାତୀୟ ସମ୍ମିଳନୀ ‘ନାଟକନ୍‌-୨୦୧୭’ର ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଅତିଥିମାନେ ଏପରି ମତ ଦେଇଥିଲେ। ତିନିଦିନିଆ ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହରେ ସୁଦାନର ସ୍ୱନାମଧନ୍ୟ ଆର୍କିଟେକ୍‌ ହାଇଦର୍‌ ଅଲ୍ଲୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ଯେ କୌଣସି ସଭ୍ୟତାରେ ସହର ନିର୍ମାଣରେ ଆର୍କିଟେକ୍‌ମାନେ ହିଁ କଳ୍ପନାକୁ ବାସ୍ତବ ରୂପ ଦେଇଥାଆନ୍ତି। ନାଟକନ୍‌-୨୦୧୭ର ବିଷୟବସ୍ତୁ ‘ଆର୍କିଟେକ୍‌ଚରାଲ ଫୁଟ୍‌ପ୍ରିଣ୍ଟ୍‌ସ ଇମ୍ପାକ୍ଟ ଅନ୍‌ ସିଟିଜ୍‌’ ରହିଛି। ସ୍ମାର୍ଟସିଟି ନିର୍ମାଣରେ ଆର୍କିଟେକ୍‌ମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି। ଭୁବନେଶ୍ୱର ଏକ ସ୍ମାର୍ଟସିଟି ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରକ୍ରିୟା ମଧ୍ୟ ଚାଲିଛି। ମାତ୍ର ରାଜଧାନୀକୁ ବିଶ୍ୱରେ ଏକ ଅଭିନବ ସହର ଭାବରେ ଗଢ଼ି ତୋଳିବାକୁ ରାଜ୍ୟରେ ଥିବା ଆର୍କିଟେକମାନଙ୍କୁ ବିଚାରକୁ ନିଆଯାଉନାହିଁ। ଏଥିନିମନ୍ତେ ବାହାର ଦେଶ ତଥା ରାଜ୍ୟରୁ ଆର୍କିଟେକ୍‌ମାନଙ୍କୁ ଅଣାଯାଉଛି। ନିଜ ରାଜ୍ୟର କଳା ସଂସ୍କୃତି ଓ ପରମ୍ପରା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଆର୍କିଟେକ୍‌ମାନଙ୍କୁ ଉପଯୋଗ କରାଯାଉନଥିବାରୁ କାର୍ଯ୍ୟକ୍ରମରେ ରାଜ୍ୟର କିଛି ପ୍ରମୁଖ ଆର୍କିଟେକ୍‌ମାନେ କ୍ଷୋଭ ପ୍ରକାଶ କରିଥିଲେ।

ଏହି ତିନିଦିନିଆ ସମ୍ମିଳନୀର ଶେଷରେ ଆଇଆଇଏର ଏକ ପ୍ରତିନିଧିମଣ୍ଡଳୀ ଏହି କାର୍ଯ୍ୟକ୍ରମର ନିର୍ଯ୍ୟାସ ପ୍ରଦାନ କରିବେ। ସ୍ମାର୍ଟସିଟି ଭୁବନେଶ୍ୱରକୁ କିପରି କିଛି ଅଞ୍ଚଳ ମଧ୍ୟରେ ସୀମିତ ନରଖି ଏହାକୁ ବ୍ୟାପ୍ତ କରିହେବ, ଏନେଇ ମନ୍ତବ୍ୟ ରଖାଯିବ ବୋଲି ସୂଚନା ମିଳିଛି। ସାରା ବିଶ୍ୱରୁ ୭୦୦ରୁ ଉର୍ଧ୍ୱ ଆର୍କିଟେକ୍‌ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଦୀର୍ଘ ୨୪ବର୍ଷ ପରେ ଅନୁଷ୍ଠିତ ହେଉଥିବାରୁ କାଉନସିଲ୍‌ ଅଫ୍‌ ଆର୍କିଟେକ୍‌ର ସଭାପତି ବିଶ୍ୱରଂଜନ ନାୟକ ଖୁସିବ୍ୟକ୍ତ କରିଥିଲେ। ଆଇଆଇଏର ବରିଷ୍ଠ ପଦାଧିକାରୀ ଅମୋଘ ଗୁପ୍ତା, ସାଗରେନ୍ଦ୍ର ମହାପାତ୍ର, ମୌସୁମୀ ନନ୍ଦ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ଆଇଆଇଏର ୧୦୧ବର୍ଷ ପୂର୍ତ୍ତି ଅବସରରେ ସୋସାଇଟି ଅଫ୍‌ ନେପାଳ ଆର୍କିଟେକ୍‌ (ସୋନା) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା। ବୟୋଜ୍ୟେଷ୍ଠ ଆର୍କିଟେକ୍‌ମାନଙ୍କୁ ଏହି କ୍ଷେତ୍ରରେ ସେମାନଙ୍କ ଅବଦାନ ନିମନ୍ତେ ନାଟକନ୍‌-୨୦୧୭ରେ ସମ୍ବର୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର