ଅସଦାଚରଣ କରି ଅଟକ ଥିବା ଆଶାୟୀ ଜେଲ୍ ଗଲେ
ବାଟାଲିୟନ ପକ୍ଷରୁ କାହାରିକୁ ଅବଗତ କରାଯାଇ ନାହିଁ
ଓଡ଼ିଆ ପରୀକ୍ଷାର୍ଥୀଙ୍କ ପାଇଁ ଚାଲିଲା ନୂଆ ଟ୍ରେନ୍
ଭୁବନେଶ୍ୱର : ସେନା ପରୀକ୍ଷାର୍ଥୀଙ୍କ ଉତ୍ପାତରେ ଚାରି ଦିନ ହେଲା ନାକେଦମ୍ ହେଉଛି କମିସନରେଟ୍ ପୁଲିସ। କାହାକୁ ମାଡ଼ ମାରିଲେଣି ତ’ କାହା ଠାରୁ ମାଗଣା ଖାଇ ଫେରାର ହୋଇ ଗଲେଣି; କେଉଁଠି ଟ୍ରେନ୍ ଅଟକାଇଲେଣି ତ’ କାହାକୁ ଅସଦାଚରଣ କଲେଣି। ପୁଣି ୧୪୪ ଧାରା ଜାରି ହୋଇଥିବା ଜାଗାରେ ଖଟି କଲେଣି ତ ଷ୍ଟେସନ୍ରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଟ୍ରେନ୍କୁ କବ୍ଜା କଲେଣି। ଏଭଳି ଉତ୍ପାତରେ ଅତିଷ୍ଠ ହୋଇ କମିସନରେଟ୍ ପୁଲିସ ୧୨୦ ବାଟାଲିୟନ କମାଣ୍ଡିଂ ଅଫିସରଙ୍କୁ ଚିଠି ଲେଖିଛନ୍ତି। ସୁରକ୍ଷା ଦୃଷ୍ଟିରୁ ଏଭଳି ସେନା ନିଯୁକ୍ତି ରୢାଲି ଭୁବନେଶ୍ବରରେ ନ କରିବା ପାଇଁ ଅନୁରୋଧ କରିଛନ୍ତି। ତା’ ସହିତ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ମଧ୍ୟ ଏ ବାବଦରେ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ସହ କଥା ହୋଇ ଏଭଳି ରୢାଲି ଏଠାରେ ନ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି। ଲୋକସେବା ଭବନ ନିକଟରେ ୧୪୪ ଧାରା ବଳବତ୍ତର ରହିଛି। ସେଠାରେ ଏଭଳି ଭିଡ଼ ହେଲେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠୁଛି। ଏଣୁ ଏଭଳି ଚିଠି ଲେଖା ଯାଇଥିବା କହିଛନ୍ତି ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ। ତା’ ଛଡ଼ା ହଜାର ହଜାର ଅପରିଚିତ ଯୁବକ ଏକାଠି ହୋଇଯିବା ଫଳରେ ସେମାନେ ଉତ୍ପାତ କରୁଛନ୍ତି। କେଉଁଠି କ’ଣ କରୁଛନ୍ତି, ତାହା ଉପରେ ନଜର ରଖିବା ସମ୍ଭବ ହେଉନାହିଁ। ଫଳରେ ସହରରେ ପ୍ରବଳ ବିଶୃଙ୍ଖଳା ସୃଷ୍ଟି ହେଉଛି।
ନାଟର ଗୋବର୍ଦ୍ଧନ କିଏ ?
ସମଗ୍ର ଦେଶରେ ବେକାରୀ ସଂଖ୍ୟା ବଢ଼ିଥିବା ବେଳେ ସରକାରୀ ଚାକିରି ପାଇଁ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଛି। ନିଯୁକ୍ତି ରୢାଲି ଆୟୋଜନ କରୁଥିବା ୧୨୦ ବାଟାଲିୟନ ଏହାକୁ ବିଚାରକୁ ନେଇନଥିବା ବେଳେ ଏ ନେଇ କମିସନରେଟ୍ ପୁଲିସ, ରେଳବାଇ, ଆରପିଏଫ୍, ଜିଆରପି କାହାରିକୁ ସୂଚନା ମଧ୍ୟ ଦେଇନାହିଁ। ପୁଲିସର ଗୁଇନ୍ଦା ବିଭାଗ ମଧ୍ୟ ଏ ବାବଦରେ ସୂଚନା ପାଇନାହିଁ। ଏଣୁ ଏତେ ସଂଖ୍ୟାରେ ଆଶାୟୀ ରାଜଧାନୀକୁ ମାଡ଼ି ଆସିବା ଫଳରେ ସମସ୍ତଙ୍କର ଅକଲ ଗୁଡ଼ୁମ୍ ହୋଇଯାଇଛି। ରବିବାର ନନ୍ଦନକାନନ ଏକ୍ସପ୍ରେସ୍ରେ ଚଢ଼ି ଗଣ୍ଡଗୋଳ କରିବା ଏବଂ ଓଡ଼ିଆ ଯାତ୍ରୀମାନଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ରେଳବାଇ ପୁଲିସ ଅଟକ ୧୮ ବାହାର ରାଜ୍ୟର ଯୁବକଙ୍କୁ କେବଳ ନାଁକୁ ମାତ୍ର ଜରିମାନା ଆଦାୟ କରି ଛାଡ଼ି ଦେଇଥିଲା। ସେହିପରି ଗତକାଲି ରାତିରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଲଗେଜ୍ ବଗିର ତାଲା ଭାଙ୍ଗି ଅଟକ ଥିବା ମିରଟର ଜଣେ ପରୀକ୍ଷାର୍ଥୀଙ୍କୁ ମଧ୍ୟ ରେଳବାଇ ପୁଲିସ ଛାଡ଼ି ଦେଇଛି। ଫଳରେ ଉତ୍ପାତ କରିବା ପାଇଁ ଆଶାୟୀଙ୍କ ସାହସ ବଢ଼ିଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2019/10/station-a-300x165.jpg)
୮୩ ପଦ, ୪୦ ହଜାର ଆଶାୟୀ
୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୨୦ ବାଟାଲିୟନ ପରିସରରେ ବିହାର ରେଜିମେଣ୍ଟରେ ଯୋଗ ଦେବା ପାଇଁ ନିଯୁକ୍ତି ରୢାଲି ଚାଲିଛି। ମାତ୍ର ୮୩ଟି ପଦ ପାଇଁ ଏହି ରୢାଲି ହେଉଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ରାଜ୍ୟରୁ ୭ରୁ ୮ ହଜାର ପରୀକ୍ଷାର୍ଥୀ ଭାଗ ନେଉଛନ୍ତି। ହାରାହାରି ହିସାବ କଲେ ୮୩ ପଦ ପାଇଁ ୪୦ ହଜାରରୁ ଅଧିକ ଆଶାୟୀ ଅଛନ୍ତି। ୩ ଦିନରେ ୧୫ ହଜାରରୁ ଊର୍ଦ୍ଧ୍ବ ଆଶାୟୀ ଆସିଥିବା ବେଳେ ୪ ଦିନରେ ଆହୁରି ୨୫ ହଜାର ଆସିବାକୁ ଅଛନ୍ତି। ମାତ୍ର ୮୩ ପଦ ପାଇଁ ଏଭଳି ଭିଡ଼ ହେବ ବୋଲି କେହି ଆକଳନ କରିନଥିବାରୁ ଷ୍ଟେସନରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ସମ୍ବେଦନଶୀଳ ଜାଗାରେ ପ୍ରବଳ ଗହଳି ପରିଲକ୍ଷିତ ହେବା ସହିତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି।
ଜେଲ୍ ଗଲେ ୩ ପରୀକ୍ଷାର୍ଥୀ
ଗତକାଲି ଲୋୟର ପିଏମ୍ଜିରେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଟକ ଥିବା ତିନି ଜଣ ଅଣଓଡ଼ିଆ ପରୀକ୍ଷାର୍ଥୀ ଜେଲ୍ ଯାଇଛନ୍ତି। କ୍ୟାପିଟାଲ ଥାନା ପୁଲିସ ସେମାନଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ଏସ୍ଡିଜେଏମ୍ କୋର୍ଟଙ୍କ ଆଦେଶକ୍ରମେ ସେମାନଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି। ସେମାନେ ହେଲେ, ଉତ୍ତରପ୍ରଦେଶର ବିଦେଶ ଯାଦବ, ଶୁଭମ୍ ସିଂହ ଓ ଅଙ୍କିତ କୁମାର। ଗତକାଲି ଇନ୍ଦିରା ଗାନ୍ଧୀ ପାର୍କରେ କେତେକ ଯୁବକ/ଯୁବତୀ ଜନ୍ମଦିନ ପାଳନ କରୁଥିବା ବେଳେ ଏମାନେ ଯୁବତୀଙ୍କୁ ଅସଦାଚରଣ କରିବା ସହ ନୟାଗଡ଼ର ଅକ୍ଷୟ ମହାରଣାଙ୍କୁ ମାଡ଼ ମାରିଥିଲେ।
ଆଜି ଝାଡ଼ଖଣ୍ଡ ଓ ଛତିଶଗଡ଼ ପାଳି
ଗୁରୁବାର ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ପରୀକ୍ଷାର୍ଥୀମାନେ ଆସିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଆଜି ସନ୍ଧ୍ୟାରେ ବହୁ ପରୀକ୍ଷାର୍ଥୀ ରାଜଧାନୀରେ ପହଞ୍ଚି ଯାଇଥିବା ବେଳେ ବିଳମ୍ବିତ ରାତିରେ ଆହୁରି ଅନେକ ଯୁବକ ଆସୁଛନ୍ତି। ତେଣୁ ପୂର୍ବବତ୍ ବିଶୃଙ୍ଖଳାକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ତତ୍ପର ଥିବା କମିସନର ସୂଚନା ଦେଇଛନ୍ତି। ଅନ୍ୟପଟେ ଷ୍ଟେସନରେ ମଧ୍ୟ ୩ ପ୍ଲାଟୁନ୍ ଫୋର୍ସ ରହିଥିବାରୁ ସମସ୍ୟା ହେବ ନାହିଁ ବୋଲି ରେଳବାଇ ଆଶା କରିଛି। ଆଜି ଓଡ଼ିଶା ଆଶାୟୀ ଭାଗ ନେଇଥିଲେ। କୌଣସି ଜାଗାରେ ବିଶୃଙ୍ଖଳା ହୋଇନଥିବା ଜଣାପଡ଼ିଛି।
ଷ୍ଟେସନ୍ରେ ଜଗିଛନ୍ତି ଫୋର୍ସ
ଗତକାଲି ରାତିରେ ସହସ୍ରାଧିକ ପରୀକ୍ଷାର୍ଥୀଙ୍କ ଉତ୍ପାତ ପରେ ସମସ୍ତେ ଚେତିଛନ୍ତି। ଷ୍ଟେସନରେ ୩ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଟ୍ରେନ୍ ଲାଗିବା ପରେ ନିର୍ଦ୍ଦିଷ୍ଟ ବଗିରେ ପ୍ରଥମେ ଟିକେଟ କରିଥିବା ଯୋଗ୍ୟ ଯାତ୍ରୀକୁ ଚଢ଼ା ଯାଉଛି। ବିନା ଟିକେଟ୍ରେ ଯାତ୍ରୀଙ୍କୁ ଚଢ଼ା ଯାଉନଥିବା ବେଳେ ସାଧାରଣ ବର୍ଗର ଯାତ୍ରୀକୁ ସଂରକ୍ଷିତ ବଗିରେ ଚଢ଼ା ଯାଉନାହିଁ। ଟ୍ରେନ୍ ଛାଡ଼ିବା ପୂର୍ବରୁ ୨ଶହ ମିଟର ଦୂର ପର୍ଯ୍ୟନ୍ତ ପୁଲିସ ରେଳ ଧରଣା ଯାଞ୍ଚ କରୁଛି। ପ୍ରବେଶ ସ୍ଥଳରେ ମଧ୍ୟ କଡ଼ାକଡ଼ି ଯାଞ୍ଚ କରାଯାଉଛି। ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ୍ ଜରିଆରେ ଏ ବାବଦରେ ନିୟମିତ ଭାବେ ସଚେତନ କରାଯାଉଥିବା ପରିଲକ୍ଷିତ ହୋଇଛି।
ଚାଲିଲା ୨ ନୂଆ ଟ୍ରେନ୍
ନିଯୁକ୍ତି ରୢାଲି ପାଇଁ ପରୀକ୍ଷାର୍ଥୀଙ୍କ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ଆଜି ଦୁଇଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି। ଗୋଟିଏ ଟ୍ରେନ୍ ଭୁବନେଶ୍ୱରରୁ ରାତି ୮ଟାରେ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡା ମାର୍ଗ ଦେଇ କୋରାପୁଟ ଯାତ୍ରା ଯାଇଛି। ଏହା ଦକ୍ଷିଣ ଓଡ଼ିଶା ଓ କଳାହାଣ୍ଡି ଜିଲ୍ଲାରୁ ଆସିଥିବା ପାରକ୍ଷାର୍ଥୀଙ୍କୁ ସୁବିଧା ଦେଇଛି। ଦ୍ବିତୀୟ ଟ୍ରେନଟି ପୁରୀଠାରୁ ରାତି ୧୧ଟାରେ ଛାଡ଼ି ଭୁବନେଶ୍ୱର ଓ ଢେଙ୍କାନାଳ ଦେଇ ସମ୍ବଲପୁର ଯାଇଛି। ଏହି ଟ୍ରେନ୍ ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଏବଂ ଝାରସୁଗୁଡ଼ା ଅଞ୍ଚଳର ପରୀକ୍ଷାର୍ଥୀଙ୍କୁ ସୁବିଧା ଦେଇଛି। ଏହାବ୍ୟତୀତ ଖୋର୍ଦ୍ଧା ରୋଡ୍-ଖଡ଼ଗ୍ପୁର ଫାଷ୍ଟ ପାସେଞ୍ଜର ଟ୍ରେନ୍କୁ ନିର୍ଧାରିତ ସମୟ ଅପରାହ୍ଣ ୪ଟା ୪୫ ପରିବର୍ତ୍ତେ ସନ୍ଧ୍ୟା ୭ଟା ୩୦ରେ ଛଡ଼ା ଯାଇଛି। ଏହାଦ୍ବାରା ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବାରିପଦା ଅଞ୍ଚଳର ପରୀକ୍ଷାର୍ଥୀ ଉପକୃତ ହୋଇଛନ୍ତି। ଏହି ସବୁ ଟ୍ରେନ୍ରେ ସାଧାରଣ ଓ ଦ୍ବିିତୀୟ ଶ୍ରେଣୀ ବଗି ଉପଲବ୍ଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sena-asayi.jpg)