ଚିତ୍ର ବଖାଣିଲା ନଦୀମାତୃକାର ଅନାବିଳ ସ୍ନେହ

‘ନଦୀ ଆମ ଜୀବନ ରେଖା’ ଶୀର୍ଷକ ରାଜ୍ୟସ୍ତରୀୟ ଚିତ୍ରକଳା ଶିବିର

ଚନ୍ଦ୍ରଶେଖରପୁର: ଆବହମାନ କାଳରୁ ନଦୀ ଓ ମାନବ ସଭ୍ୟତା ମଧ୍ୟରେ ଗଢ଼ିଉଠିଛି ଏକ ଭାବଗତ ସମ୍ପର୍କ। ମାନବ ସଭ୍ୟତାର ଉତ୍ପତ୍ତି ନଦୀ ତଟରୁ ହୋଇଥିବାରୁ ମାତୃମୟୀ ମା’ର ଭୂମିକା ନିଭାଇଥାଏ ସେ। ଅମୃତସମ ନଦୀ ଜଳ ମାନବସଭ୍ୟତାକୁ ଲାଳନପାଳନ କରିଥାଏ। ମାତ୍ର ବସ୍ତୁବାଦୀ ମଣିଷ ଆଜି ନିଜର ଆବଶ୍ୟକତା ପାଇଁ ନଦୀକୁ ପ୍ରଦୂଷିତ କରିଛି। ନଦୀର ସଂରକ୍ଷଣ ନେଇ ଚିନ୍ତାଶୀଳ ବ୍ୟକ୍ତିଙ୍କ ମଧ୍ୟମରେ ଉଦ୍‌ବେଗ ପ୍ରକାଶ ପାଇଛି। ଏହି ମର୍ମରେ ରିଜିଓନାଲ ମ୍ୟୁଜିୟମ ଅଫ୍‌ ନେଚୁରାଲ ହିଷ୍ଟ୍ରିଠାରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଓ ଓଡ଼ିଶା ପରିବେଶ କଂଗ୍ରେସର ମିଳିତ ଆନୁକୂଲ୍ୟରେ ଅୟୋଜିତ ‘ନଦୀ ଆମ ଜୀବନ ରେଖା’ ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ବଖାଣିଥିଲା ନଦୀର ମାନବ ସଭ୍ୟତା ପ୍ରତି ଥିବା ମାତୃତ୍ୱର ଅନାବିଳ ସ୍ନେହ। ଏହାସହିତ ଦନୀର ଦୁଃଖ ମଧ୍ୟ ପ୍ରକାଶ ପାଇଥିଲା ଶିଳ୍ପର ଚିତ୍ରରେ।

ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାଧ୍ୟାପକ ଡ. ଚକ୍ରଧର ବେହେରା, ଧଉଳି ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ଓଡ଼ିଶା ପରିବେଶ କଂଗ୍ରେସର ସମ୍ପାଦକ ସୁଦର୍ଶନ ଦାସ ଓ ରିଜିଓନାଲ ମ୍ୟୁଜିୟମ ଅଫ୍‌ ନେଚୁରାଲ ହିଷ୍ଟ୍ରିର ନିର୍ଦ୍ଦେଶକ ଡ. ଗୌରବ, ତାମିଲନାଡ଼ୁର ବିଶିଷ୍ଟ ପରିବେଶବିତ୍‌ ଗୁରୁସ୍ୱାମୀ ଓ କେରଳର ବେଣୁଗୋପାଳ ପ୍ରମୁଖ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନୀ ସମାରୋହରେ ଯୋଗଦେଇ ନଦୀର ମୌଳିକତାରେ ଆମ ସଂସ୍କୃତି ଓ ସଭ୍ୟତାର ସଂରକ୍ଷଣ ନିର୍ଭର କରୁଥିବା ପ୍ରକାଶ କରିଥିଲେ। ଉକ୍ତ ଶିବିରରେ ଚିତ୍ରଶିଳ୍ପୀ ପ୍ରିୟଦର୍ଶିନୀ ମହାନ୍ତି, ସସ୍ମିତା କାମିଳା, ଲିପିଶ୍ରୀ ନାୟକ, ସୋମନାଥ ଦାସ, ବିଶ୍ୱକାନ୍ତ ପଣ୍ଡା, ଦେବଦ ଦେ, ଶିବରାମ ବିଶ୍ୱାଳ, ଗୌରୀ ମହାରଣା, ଶ୍ରୀପତି ବାରିକଓ ସନ୍ତୋଷ ଦାସ ଆଦି ୧୨ଜଣ ଚିତ୍ରଶିଳ୍ପୀ କ୍ୟାନଭାସ ଉପରେ ନଦୀ ଜଳ ସଂରକ୍ଷଣ ଓ ତାର ମୌଳିକତାକୁ ନେଇ ନିଜର ସୃଜନଶୀଳ ଚିତ୍ରମାନ ଅଙ୍କନ କରିଥିଲେ। ଏହି ଅବସରରେ ଶ୍ୟାମ ପ୍ରସାଦ ଟାଲି, ଲକ୍ଷ୍ମୀଧର ସ୍ୱାଇଁ ଅଦି ଉପସ୍ଥିତ ରହି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର