ଇଟିକିଲି ମିଟିକିଲିର ଚିତ୍ର ପ୍ରଦର୍ଶନୀ, ପିଲାଙ୍କ ତୂଳୀରେ ହକି

ଭୁବନେଶ୍ବର: ରାଜଧାନୀ ହକି ଜ୍ବରରେ କମ୍ପୁଥିବା ‌ବେଳେ ପିଲାଙ୍କ ସୃଜନୀ ତୂଳୀରୁ ବି ହକି ବାଦ୍‌ ପଡ଼ିନାହିଁ। ହକିମନସ୍କ ସହରବାସୀଙ୍କୁ ଚିତ୍ରରେ ହକିର ଅନୁଭୂତି ଭେଟି ଦେଇଛନ୍ତି ଛାତ୍ରଛାତ୍ରୀ। ‘ଇଟିକିଲି ମିଟିକିଲି’ ପକ୍ଷରୁ ଆଜି ଜୟଦେବ ଭବନ ମିନି ପ୍ରେକ୍ଷାଳୟରେ ‘ହକିକୁ ନେଇ ଚିତ୍ର’ ଶୀର୍ଷକ ଦ୍ବିଦିବସୀୟ ଚିତ୍ରକଳା ପ୍ରଦର୍ଶନୀରେ ଏହି ଅନୁଭୂତି ମିଳିଛି। ପ୍ରଥମରୁ ଦ୍ବାଦଶ ଶ୍ରେଣୀର ୨୧୨ ଜଣ ଛାତ୍ରଛାତ୍ରୀଙ୍କ ଚିତ୍ର ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛି। ଆଜି ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏବଂ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ‌ଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ପ୍ରଦର୍ଶନୀରେ ହକି ଷ୍ଟିକ୍‌ଠୁ ନେଇ ବିଶ୍ବକପ୍‌, ଗୋଲ୍‌ପୋଷ୍ଟ ଏବଂ ଗୋଲ୍‌ ହେଉଥିବା ସମୟର ଚିତ୍ର ଦେଖିବାକୁ ମିଳିଛି। ଏଥିସହ ଦିଲ୍ଲୀପ ତିର୍କି ଏବଂ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୋଟ୍ରେଟ୍‌ ମଧ୍ୟ ଆକର୍ଷଣୀୟ ଅନୁଭବ ଦେଉଛି। ଓଏମ୍‌ସିର ଡ. ଶାନ୍ତନୁ ରଥ ଏବଂ ଇଟିକିଲି ମିଟିକିଲିର ସଭାପତି ଦାଶ ବେ‌ନହୁର ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଚିବ ଶରତ କୁମାର ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଜୟପ୍ରକାଶ ମିଶ୍ର, ଅନିତା ରଥ, ଚିତ୍ତ ମହାପାତ୍ର, ପ୍ରିୟଦର୍ଶୀ ଶୁଭକାନ୍ତ, ତପତୀ ପାଣିଗ୍ରାହୀ, ପ୍ରତିମା ମିଶ୍ର, ପ୍ରବୀଣା ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ। ୮ ତାରିଖରେ ମଧ୍ୟ ଏହି ପ୍ରଦର୍ଶନୀରେ ବୁଲି ଚିତ୍ର ଦେଖିବାର ସୁଯୋଗ ମିଳିବ। ୪ଟି ବର୍ଗରୁ ୩ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ଆସନ୍ତା ଡିସେମ୍ବର ୨୯ ତାରିଖରେ ଅନୁଷ୍ଠାନର ସ୍ବତନ୍ତ୍ର ଉତ୍ସବରେ ପୁରସ୍କୃତ କରାଯିବ।

ସମ୍ବନ୍ଧିତ ଖବର