ଆର୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତତା : କାମନା ଛାଡ଼ିଲେ ଜଣେ ଦରିଦ୍ର ହୋଇଯାଏନି

ଭୁବନେଶ୍ୱର : କାମନା ହିଁ ଯୁଦ୍ଧ, ଦୁଃଖ ଓ ଶୋକର କାରଣ। କାମନା ଛାଡ଼ିଦେଲେ ଜଣେ ଦରିଦ୍ର ହୋଇଯାଏନି। ‘ମହାଭାରତ’ ଆମକୁ ଏହି ଶିକ୍ଷା ଦେଇଛି ବୋଲି କହିଛନ୍ତି ବିଶିଷ୍ଟ କଥାକାର ଓ ଚିନ୍ତକ ପଦ୍ମଶ୍ରୀ ମନୋଜ ଦାସ। ସାହିତ୍ୟ ଏକାଡେମି ପକ୍ଷରୁ ଇଡକଲ୍‌ ପ୍ରେକ୍ଷାଳୟରେ ଆୟୋଜିତ ଆର୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତତା ଅବସରରେ ‘ଆଜିର ପରିପ୍ରେକ୍ଷୀରେ ମହାଭାରତ’ ଶୀର୍ଷକ ବିଷୟ ଉପରେ ମତ ରଖି ଶ୍ରୀ ଦାସ କହିଲେ, ମହାଭାରତରେ ଜାତିପ୍ରଥାର ଘୃଣ୍ୟ କଥା ନଥିଲା। ତେଣୁ ଧୀବର କନ୍ୟା ସତ୍ୟବତୀ ବି ମହାରାଣୀ ହୋଇପାରିଥିଲେ। ସେହିଭଳି ଦ୍ରୌପଦୀ କାମନାର ବଶବର୍ତୀ ହୋଇ ନଥିବାରୁ ପଞ୍ଚପତିଙ୍କୁ ନେଇ ଅସାଧାରଣ ଜୀବନ ଜିଇଁଥିଲେ। ‘ମୁଦ୍ରାରାକ୍ଷସ’ ନାଟକକୁ ଉଦାହରଣ ଭାବେ ଅବତାରଣା କରି ସେ କହିଲେ, ଶକୁନି ମଧ୍ୟ କୁଶକ୍ତିର ପ୍ରତୀକ ଥିଲେ। ତେଣୁ ଯୁଗେଯୁଗେ କୁଶକ୍ତିମାନେ ସଂସାରରେ ରହିଛନ୍ତି ବୋଲି ସେ କହିଥିଲେ। ସେହିପରି ବିଭିନ୍ନ ଭାରତୀୟ ଭାଷାରେ ରଚିତ ମହାଭାରତର ଅନେକ ପ୍ରସଙ୍ଗ ମୂଳ ମହାଭାରତରେ ନାହିଁ ବୋଲି ଶ୍ରୀ ଦାସ କହିଥିଲେ।

ବିଶିଷ୍ଟ କବି ତଥା ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହରିହର ମିଶ୍ର ଅଧ୍ୟକ୍ଷତା କରି କହିଲେ, ଆର୍ତବଲ୍ଲଭ ମହାନ୍ତି ଥିଲେ ଓଡ଼ିଶା ସଂସ୍କୃତିର ଧାରକ ଓ ବାହକ। ଓଡ଼ିଶାର ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ସହ ମହାଭାରତକୁ ସମ୍ପାଦନା କରିଥିଲେ। ପ୍ରାଚୀନ ସଂସ୍କୃତିକୁ ଉଦ୍ଧାର କରିବା ପାଇଁ ଆର୍ତବଲ୍ଲଭ ସାରା ଜୀବନ ଚେଷ୍ଟିତ ଥିଲେ ବୋଲି ସେ କହିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ ମନୋଜ ଦାସଙ୍କ ସାହିତ୍ୟ କୃତିର ମୂଲ୍ୟବୋଧ ସମ୍ପର୍କରେ କହିଥିଲେ। ଏହି ଅବସରରେ ବୃନ୍ଦାବନ ନାୟକଙ୍କ ରଚିତ ‘କବିସୂର୍ଯ୍ୟ ବଳଦେବ ରଥ’, ହରିହର ମିଶ୍ରଙ୍କ ରଚିତ ‘କଥା ପଞ୍ଚବିଂଶତି’ ଏବଂ କବିତା ପୁସ୍ତକ ‘ଅକିଞ୍ଚନ’ ଲୋକାର୍ପିତ ହୋଇଥିଲା। ଏକାଡେମିର ସଚିବ ଡ.ଜୟନ୍ତୀ ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ ପୂଜାପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର