କଳାକୁଞ୍ଜ କଳାକାର ଏବେ ବରା ଦୋକାନୀ

ଦୁଃସ୍ଥିତିରେ ଶିଳ୍ପୀ ଦିବାକର

ରାମଚନ୍ଦ୍ରପୁର: ମୁହଁରେ ରଙ୍ଗ ମାରି ମଞ୍ଚରେ ଅଭିନୟ କରିବାର ନିଶା ଦିନେ ତାଙ୍କୁ କଳାଜଗତରେ ଆଣି ଦେଇଥିଲା ଅଶେଷ ପ୍ରସିଦ୍ଧି। ସେହି ସୁନାମ କିନ୍ତୁ ତାଙ୍କ ଜୀବନ ଧାରଣର ମାନକୁ ପରିବର୍ତ୍ତନ କରିପାରିଲାନି। କଳା ଓ କଳାକାରଙ୍କ ପ୍ରତି ଅବହେଳାର ସେ ଅନ୍ୟତମ ପ୍ରତୀକ ଭାବେ ଏବେ ସେ ବୟସ‌ର ସାୟାହ୍ନରେ ଉପନୀତ। ବିଡ଼ମ୍ବନା ବଞ୍ଚିବା ପାଇଁ ତାଙ୍କୁ ବର୍ତ୍ତମାନ ୭୭ ବର୍ଷ ବୟସରେ ବରା, ପକୁଡ଼ି ଛାଣିବାକୁ ପଡୁଛି। ଏହା ହେଉଛି କେନ୍ଦୁଝର ଜିଲ୍ଲା ଅଳତି ପଞ୍ଚାୟତ ବେଲସୁନ୍ଦରୀ ଗ୍ରାମ ଦିବାକର ସାହୁଙ୍କ କାହାଣୀ। ଦିବାକର ଏକାଧାରରେ ଜଣେ ମାଟି ମୂର୍ତ୍ତି କାରିଗର, ଚିତ୍ରକାର, କଳାକାର, ମେକ୍‌ଅପ ମ୍ୟାନ, କଳାକୁଞ୍ଜ ଓ ତାରିଣୀ ଚିତ୍ରାଳୟର ପ୍ରତିଷ୍ଠାତା ଥିଲେ। ଗାଁରେ ପିଲାଦିନୁ ଗଣେଶ, ସରସ୍ବତୀ, ଭାଲୁକୁଣୀ ମୂର୍ତ୍ତି ତିଆରି କରୁକରୁ ସେ ମୂର୍ତ୍ତିକାର ପାଲଟିଗଲେ। ତାଙ୍କ ପ୍ରତିଭାକୁ ସମ୍ମାନ ଦେଇ ବିଭିନ୍ନ ଅନୁଷ୍ଠାନ ତାଙ୍କୁ ମାଟି ମୂର୍ତ୍ତି ନିର୍ମାଣ ପାଇଁ ଆମନ୍ତ୍ରଣ କଲେ। ତନ୍ମଧ୍ୟରେ କେନ୍ଦୁଝର ପୁଲିସ୍‌ ଲାଇନ୍‌ ଦୁର୍ଗା, କେନ୍ଦୁଝର ଷ୍ଟେଟବ୍ୟାଙ୍କ୍‌ ଗଣେଶ, ଘଟଗାଁ ଦୁର୍ଗା, କାଳୀ, କରଞ୍ଜିଆ ଆଦି ସ୍ଥାନରେ ମୃଣ୍ମୟୀ ମୂର୍ତ୍ତି ନିର୍ମାଣ କରିବା ସହ ପ୍ରଶ˚ସା ଓ ମାନପତ୍ର ପାଇଛନ୍ତି। ଖାଲି ଏତିକିରେ ତାଙ୍କ ପ୍ରତିଭା ସୀମିତ ନଥିଲା। ନିଜର ଅଭିନୟ ଅଭୀପ୍ସା ପାଇଁ ମଞ୍ଚ କଳା ପ୍ରତି ଆକୃଷ୍ଟ ହୋଇଥିଲେ। ରାଜକୁମାର, ରାଜାମହାରାଜର ଅଭିନୟ କରି ର˚ଗମଞ୍ଚ ଦୁନିଆରେ ୧୯୬୦ ଦଶକରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରଥିଲେ। ଅନ୍ନପୂର୍ଣ୍ଣା ଥିଏଟର କଟକରେ କିଛିଦିନ ଅଭିନୟ କରୁକରୁ ସାମୁଏଲ ସାହୁ (ବାବି)ଙ୍କ ସହ ତାଙ୍କର ଭେଟ ହୁଏ। ତାଙ୍କ ପ୍ରେରଣାରେ ସେ ପାଲଟିଯାଆନ୍ତି ଅନ୍ନପୂର୍ଣ୍ଣା ଥିଏଟରର ଅନ୍ୟତମ ପ୍ରମୁଖ ମେକଅପ୍‌ ମ୍ୟାନ। ଶେଷରେ ସେ ନିଜେ ଏକ ଚିତ୍ରାଳୟ ପ୍ରତିଷ୍ଠା କଲେ। ଦୀର୍ଘ ୪୦ ବର୍ଷ ତାରିଣୀ ଚିତ୍ରାଳୟ ପୁରପଲ୍ଲୀରେ ଡ୍ରାମା ଓ ଯାତ୍ରା ମାଧ୍ୟମରେ ନିଜର ସାଜସଜ୍ଜା ଲୋକଙ୍କ ମନ ମୋହିଲା। ୮୦ ଦଶକରେ ସେ ପାଦ ଦେଲେ କଣ୍ଢେଇ ନାଚ କ୍ଷେତ୍ରରେ। କଳାକୁଞ୍ଜ ପ୍ରତିଷ୍ଠା କରି କାଠ କଣ୍ଢେଇ ନାଚ କରି ନିଜର ଅନ୍ୟଏକ ପରିଚୟ ତିଆରି କଲେ। ଯାତ୍ରା, ମେଳା, ମହୋତ୍ସବରେ ତାଙ୍କ କଳାକୁଞ୍ଜର କଣ୍ଢେଇ କଳା ବେଶ୍‌ ଲୋକପ୍ରିୟ ହେଲା। ତାଙ୍କର ଏହି ବହୁମୁଖୀ ପ୍ରତିଭାକୁ ସମ୍ମାନ ଜଣାଇ କେଇମାସ ତଳେ ଘଟଗାଁରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଅଷ୍ଟମ ବାର୍ଷିକ ଶିଳ୍ପୀ କଳାକାର ମହୋତ୍ସବରେ ତାଙ୍କୁ ବିଶିଷ୍ଟ ଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଛି। ସରକାରୀ ସହାୟତା କିଛି ମିଳିନି। କଳାକାର ଭତ୍ତା ପାଇଁ ଆବେଦନ କରିଥିଲେ ବି ଏଯାଏ ପାଇନାହାନ୍ତି। ସାରାଜୀବନ କଳର ସାଧନା କରିଥିବା ଦିବାକର କେବେ ଅର୍ଥ ପଛରେ ଗୋଡ଼ାଇ ନାହାନ୍ତି। ଏହି କାରଣରୁ ସେ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି ଆଉ ଏ ବୟସରେ ତାଙ୍କୁ ପରିବାର ଚଳାଇବା ପାଇଁ ଗାଁ ଛକରେ ବରା, ପକୁଡ଼ି ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। କଳାର ଉତ୍କର୍ଷ ଥିବା ରାଜ୍ୟରେ ଏହି କଳାକାରଙ୍କ ଜୀବନ ଏବେ ଦୁର୍ବିସହ!

ସମ୍ବନ୍ଧିତ ଖବର