କିଏ ଦେବ ନୂଆ ଜୀବନ? କଳାକାର ହିଁ ବୁଝିପାରେ କଳାକାରର ଦରଦ

ଭୁବନେଶ୍ୱର: ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ଆୟୋଜିତ ଭାସ୍କର୍ଯ୍ୟ କଳା ଶିବିରରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ସ୍ଥପତି ଶିଳ୍ପୀ ଡ. ଜ୍ଞାନେଶ ମିଶ୍ର। ମାତ୍ର ଶିବିରରେ ଯୋଗଦେବା ଅବସରରେ ଯେବେ ସେ ଦୁଇ ବର୍ଷ ତଳେ ଭେଟ ହୋଇଥିବା ତରୁଣଙ୍କୁ ଆଶାବାଡ଼ିର ଆଶ୍ରା ନେଇ ଗୋଟେ ଗୋଡ଼ରେ ଛିଡ଼ା ହୋଇଥିବା ଦେଖିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନିଜକୁ ବିଶ୍ୱାସ କରିପାରିଲେନି। ଓଡ଼ିଶା ଲଳିତ କଳା ଏକାଡେମିର ପ୍ରତିଷ୍ଠା ଦିବସରେ ଜ୍ଞାନେଶ ପୁରସ୍କାର ବାବଦରେ ଯେଉଁ ୩୫ ହଜାର ଟଙ୍କା ପାଇଥିଲେ ତାକୁ ସେ ସେଇ ତରୁଣଙ୍କ କୃତ୍ରିମ ଗୋଡ଼ ପାଇଁ ଦାନ କରିବାକୁ ଘୋଷଣା କଲେ। କୌଣସି ଚଳଚ୍ଚିତ୍ରର ଦୃଶ୍ୟ ଭଳି ହୃଦବୋଧ ହେଉଥିଲେ ହେଁ ଏହା ଥିଲା ନିଚ୍ଛକ ବାସ୍ତବତା। ଏପରି ଘୋଷଣା ଶୁଣି ଅନେକ ଦର୍ଶକ ଉଠିବା ଜାଗାରୁ ଚାଲି ଆସି ଜ୍ଞାନେଶଙ୍କୁ ସାବାସୀ ଜଣାଇଲେ। ଅଥଚ ଜ୍ଞାନେଶ ନିଜ ପ୍ରତିକ୍ରିୟାରେ କହିଥିଲେ, ଜଣେ କଳାକାରର ଦରଦ ଅନ୍ୟ ଜଣେ କଳାକାରଠୁ କିଏ ବା ଅଧିକ ବୁଝିପାରିବ। ଜ୍ଞାନେଶଙ୍କ ୩୦ ହଜାର ଟଙ୍କା ଦାନ ଯେ ସେଇ ତରୁଣଙ୍କ କୃତ୍ରିମ ଗୋଡ଼ ପାଇଁ ଯଥେଷ୍ଟ ତାହା ନୁହେଁ, କିନ୍ତୁ ଅନ୍ୟମାନଙ୍କୁ ପ୍ରେରିତ କରିବା ଲାଗି ତାଙ୍କର ଏହି ଅଭିବ୍ୟକ୍ତି ନିଶ୍ଚିତ ଭାବେ ଏକ ଶ୍ରେଷ୍ଠ ଉଦାହରଣ।

ଏମିତି ଏକ ଦୃଶ୍ୟ ମାର୍ଚ ୧୫ ତାରିଖରେ ଓଡ଼ିଶା ଲଳିତ କଳା ଏକାଡେମିର ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ଯେଉଁ ତରୁଣଙ୍କ କଥା କୁହାଯାଇଛି, ସେ ହେଉଛନ୍ତି ପୁରୀ ଜିଲ୍ଲା ହରିରାଜପୁରରେ ୧୯୮୯ ନଭେମ୍ବର ୪ରେ ଜନ୍ମିତ ଉମାଶଙ୍କର ଦାଶ। ପଥର ହେଉ କି କାଠ। ଲୁହା ହେଉ କି ମାଟି। ଏଇଭଳି ଅନେକ ଜଡ଼ ଭିତରୁ ତାଙ୍କ ସୃଜନମନସ୍କ ଆଖି ଆବିଷ୍କାର କରୁଥିଲା ଜୀବନ୍ତ ପ୍ରତିମାଟିଏ। ବହୁ ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରଦର୍ଶନୀରେ ସେ ନିଜର କୃତି ବଳରେ ଅନ୍ୟମାନଙ୍କୁ ବିମୋହିତ କରିଥିବା ବେଳେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି। ଉମାଶଙ୍କର ସ୍ଥପତି ଭାବେ ନିଜ ନାଁକୁ ସର୍ବାଗ୍ରେ ଦେଖିବାର ସ୍ୱପ୍ନ ଦେଖୁଥିବା ବେଳେ ଏକ ଦୁର୍ଘଟଣା ତାଙ୍କୁ ଦିବ୍ୟାଙ୍ଗ ସଜେଇ ଦେଇଛି। ମା ଶାନ୍ତିଲତା ଦାଶଙ୍କ ଆଖିରୁ ଏଯାଏଁ ଲୁହ ଶୁଖୁନି। ଯିଏ ପୁଅ ବିଷୟରେ କିଛି ବି ପଚାରୁଛି ସେ ମୁହଁ ଲୁଚେଇ କାନ୍ଦୁଛନ୍ତି। ୨୦୧୭ ଜୁଲାଇ ୩ ତାରିଖରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ସେ ଗୋଡ଼ ହରାଇଲେ। ଇତି ମଧ୍ୟରେ ୮ ମାସ ବିତିଯାଇଛି, ହେଲେ ଉମାଶଙ୍କରଙ୍କ ସ୍ଥପତି ମନ କିନ୍ତୁ ସୃଷ୍ଟି କରିବାର ଉତ୍ସାହକୁ ଛାଡ଼ି ପାରିନି। ଗୋଡ଼ଟିଏ ସିନା ହରାଇଛନ୍ତି କିନ୍ତୁ ଏଯାଏଁ ମନ ଅବଶ ହୋଇନି। ତେବେ ତାଙ୍କ ଯୁବ ସୁଲଭ ମନରେ କିନ୍ତୁ ବିନା ଆଶାବାଡ଼ିରେ ଚାଲିବାକୁ ଇଚ୍ଛା। କୃତ୍ରିମ ଗୋଡ଼ିଟିଏ ପାଇଁ ୫ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଅର୍ଥର ଅଭାବ ଏଥିପାଇଁ ବାଧା ସୃଷ୍ଟି କରୁଛି। ଆପଣ ବି ଜ୍ଞାନେଶଙ୍କ ଭଳି ଗୁଣ୍ଡୁଚି ମୂଷା ସାଜି ଏହି ତରୁଣ ଶିଳ୍ପୀଙ୍କୁ ସାହାଯ୍ୟ କରିିପାରିବେ। ମୋବାଇଲ୍‌ ନମ୍ବର ୭୨୦୫୩୭୮୭୩୭ କିମ୍ବା ତାଙ୍କ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ଆକାଉଣ୍ଟ ନମ୍ବର ୧୫୪୫୨୧୯୧୦୫୧୮୯୭ରେ ଆର୍ଥିକ ସହାୟତା ଦେଇ ଜଣେ କଳାକାରର ଦୁଃଖକୁ ଦୂର କରିପାରିବେ।

ସମ୍ବନ୍ଧିତ ଖବର