ଆର୍ଯ୍ୟ ମହିଳା ସମ୍ମିଳନୀ:ଧର୍ମାଚାର୍ଯ୍ୟ ଓ ଗଣମାଧ୍ୟମ ମାତୃଜାତିକୁ ସୁରକ୍ଷିତ କରନ୍ତୁ

ଭୁବନେଶ୍ୱର: ଯେଉଁ ପବିତ୍ର ଭୂମିରେ ଲକ୍ଷ୍ମୀ, ସରସ୍ୱତୀ, ଦୁର୍ଗା ଆଦି ନାମରେ ପରମାତ୍ମା ପୂଜା ପାଉଛନ୍ତି ସେଠାରେ ଦୁଷ୍କର୍ମ ଏକ ସାଧାରଣ ଘଟଣା ପାଲଟିବା ବିଡ଼ମ୍ବନାର ବିଷୟ। ପିତାମାତା, ଶିକ୍ଷାଦାତା ଓ ରାଜକୀୟ ଦଣ୍ଡବିଧାନ ଦ୍ୱାରା ଏଭଳି ଘୃଣ୍ୟ କାର୍ଯ୍ୟ ରୋକା ଯାଇପାରିବ। ଏହା ସହ ଦେଶର ଧର୍ମାଚାର୍ଯ୍ୟମାନେ ଏଭଳି ହୀନ ମାନସିକତାଧାରୀଙ୍କୁ ନିଜ ନିଜ ସମ୍ପ୍ରଦାୟରୁ ନିର୍ବାସିତ କରନ୍ତୁ ଏବଂ ଗଣମାଧ୍ୟମ ଏଭଳି ସମ୍ବେଦନଶୀଳ ଘଟଣାଗୁଡ଼ିକୁ ସତର୍କତାର ସହ ପ୍ରକାଶ କରନ୍ତୁ। ଭୁବନେଶ୍ୱର ଆର୍ଯ୍ୟ ସମାଜ ପକ୍ଷରୁ ଆୟୋଜିତ ଆର୍ଯ୍ୟ ମହିଳା ସମ୍ମିଳନୀରେ ହରିୟାଣାର ବେଦବିଦୁଷୀ ଅଞ୍ଜଳି ଆର୍ଯ୍ୟା ଏଭଳି ମତପୋଷଣ କରିଛନ୍ତି। ଏହି ସମ୍ମିଳନୀରେ ବିଦୁଷୀ ଶନ୍ନୋଦେବୀ, ଡେରାଡୁନ୍‌ କନ୍ୟା ଗୁରୁକୁଳର ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ପ୍ରମୁଖ ଯୋଗ ଦେଇ ନାରୀ ଜାତିର ସମସ୍ୟା ଓ ସୁରକ୍ଷା ଦିଗରେ ଆଲୋକପାତ କରିଥିଲେ। ଏହି ଅବସରରେ ପରିବେଶବିତ୍‌ ସୁଶ୍ରୀ ସାବରମତୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ମହିଳା ବିଭାଗର ସଂଯୋଜିକା ଲୀତା ଦାସ, ସ୍ୱାଗତ ଭାଷଣ ଦେଇଥିବା ବେଳେ ଶକୁନ୍ତଳା ସେନାପତି ସଭା ପରିଚାଳନା କରିଥିଲେ। ସୁଧା ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରଜ୍ଞା ଦାସ, ସୁମେଧା ଦାସ, ପୁନମ୍‌ ଆର୍ଯ୍ୟା, ଆରତୀ ଆଚାର୍ଯ୍ୟ ବୈଦିକ ଭଜନ ଗାନ କରିଥିଲେ। ଲୋପାମୁଦ୍ରା, ମମତା, ଗୀତାରାଣୀ, ସୁପ୍ରିୟା, ମାୟା ପ୍ରମୁଖ ସମ୍ମିଳିତ ସଂଗୀତ ଗାନ କରିଥିଲେ। ଡେରାଡୁନ୍‌ କନ୍ୟା ଗୁରୁକୁଳର ବ୍ରହ୍ମଚାରିଣୀମାନେ ଶାନ୍ତିପାଠ କରିଥିଲେ। ଏହି ଅବସରରେ ଆର୍ଯ୍ୟ ସମାଜ ପରିସରରେ ଏକ ପୁସ୍ତକ ଲୋକାର୍ପଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ପୂର୍ବତଟ ରେଳପଥର ସ୍ୱାସ୍ଥ୍ୟ ନିର୍ଦେଶକ ତଥା ଚିକିତ୍ସକ ଡା. ଗୋପାଳ ଚନ୍ଦ୍ର ଦାଶଙ୍କ ଲିଖିତ ପୁସ୍ତକ ‘ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମ୍ୟ’ ଉନ୍ମୋଚିତ ହୋଇଥିଲା। ଉତ୍ତରପ୍ରଦେଶର ସଂସ୍କୃତଜ୍ଞ ଡ. ପ୍ରଶସ୍ୟ ମିତ୍ର ଶାସ୍ତ୍ରୀ, ଡ. ଜ୍ୱଳନ୍ତ କୁମାର ଶାସ୍ତ୍ରୀ, ସମାଜସେବୀ ରାଧାମୋହନ ପ୍ରମୁଖ ଏହି ସଭାରେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ଓ ଆଧ୍ୟାତ୍ମ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର