ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ

ଆର୍ଯ୍ୟ ସମାଜ ପକ୍ଷରୁ ତ୍ରିଦିବସୀୟ ମାନବ ନିର୍ମାଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ପ୍ରତିଷ୍ଠିତ ଆର୍ଯ୍ୟସମାଜ ପକ୍ଷରୁ ଏକ ତ୍ରିଦିବସୀୟ ମାନବ ନିର୍ମାଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆଚାର୍ଯ୍ୟ ପଣ୍ଡିତ ସୋମଦେବ ଶାସ୍ତ୍ରୀ କହିଲେ ଯେ ଆମ ଧର୍ମଗ୍ରନ୍ଥ ବେଦର ପ୍ରତ୍ୟେକ ମନ୍ତ୍ର ବିଶ୍ୱର କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ଆର୍ଯ୍ୟ ସମାଜ ଓଡ଼ିଶାର ସଭାପତି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ବିଶିଷ୍ଟ ଅତିଥି ଭାବେ ଶ୍ରୀ ରାମକୃଷ୍ଣ ଆଶ୍ରମ କଳାହାଣ୍ଡିର ପ୍ରତିଷ୍ଠାତା ସ୍ୱାମୀ ବୈରାଗ୍ୟନନ୍ଦ ମହାରାଜ ଯୋଗ ଦେଇ ଆର୍ଯ୍ୟ ସମାଜର ପ୍ରତିଷ୍ଠା ବିଷୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି ଯୋଗଦେଇ କହିଲେ ଯେ ସମାଜରେ ମହିଳାମାନଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେବାରେ ଆର୍ଯ୍ୟ ସମାଜ ହେଉଛି ଏକମାତ୍ର ଅନୁଷ୍ଠାନ। ମହିଳାଙ୍କ ଉନ୍ନତି ନ ହେଲେ, ଦେଶର ଉନ୍ନତି ହୋଇପାରିବ ନାହିଁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବିଶ୍ୱ ହିନ୍ଦୁ ପରିଷଦର ଅଧ୍ୟକ୍ଷ ଡ. ବଦ୍ରିନାଥ ପଟ୍ଟନାୟକ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଉପସଭାପତି ଡ. ବିକାଶ ପଣ୍ଡା ଓ ଶିବିରର ମୁଖ୍ୟ ସଂଯୋଜକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା ଓ ସୌରେନ୍ଦ୍ର କୁମାର ମହାପାତ୍ର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଣ୍ଡିତ ବିନୋଦ ବିହାରୀ ଦାସ। କାର୍ଯ୍ୟକ୍ରମର ଆରମ୍ଭରେ ପ୍ରତିନିଧି ସଭାର ବରିଷ୍ଠ କାର୍ଯ୍ୟକର୍ତ୍ତା ରଘୁନାଥ ନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଶେଷରେ ଦିନବନ୍ଧୁ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର