ଅଶୋକ କୋଟିପତି

ଭୁବନେଶ୍ବର : ଆଜି ଏକାମ୍ର ଭୁବନେଶ୍ବରରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜୁ ଜନତା ଦଳ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା। ଏହାସହ ଭୁବନେଶ୍ବର ଉତ୍ତରରୁ ନାମାଙ୍କନପତ୍ର ଭରିଛନ୍ତି ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ ଅପରାଜିତା ମହାନ୍ତି, ମଧ୍ୟ ଭୁବନେଶ୍ବରରୁ ଅଖିଳ ଭାରତ ହିନ୍ଦୁ ମହାସଭାର ସୁମନ୍ତ କୁମାର ସ୍ବାଇଁ ଓ କଳିଙ୍ଗ ସେନାରୁ ସୁଭଦ୍ରା ମିଶ୍ର ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଭରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ଅଶୋକ ପଣ୍ଡା କୋଟିପତି ଥିବା ବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ନିକଟରେ ଲକ୍ଷାଧିକ ଟଙ୍କାର ସଂପତ୍ତି ରହିଥିବା ସତ୍ୟପାଠରୁ ଜଣାପଡ଼ିଛି।

ଶ୍ରୀ ପଣ୍ଡାଙ୍କ ସ୍ଥାବର ସଂପତ୍ତିର ମୂଲ୍ୟ ୬ କୋଟି ୩୦ ଲକ୍ଷ ଟଙ୍କା ହୋଇଥିବା ବେଳେ ଅସ୍ଥାବର ସଂପତ୍ତିର ମୂଲ୍ୟ ପ୍ରାୟ ୩୦ଲକ୍ଷ ଟଙ୍କା। ସେହିପରି ତାଙ୍କ ପତ୍ନୀଙ୍କ ନାଁରେ ୧ କୋଟି ୩୮ଲକ୍ଷ ଟଙ୍କାର ସ୍ଥାବର ଓ ୫୪ଲକ୍ଷ ୭୦ହଜାର ଟଙ୍କାର ଅସ୍ଥାବର ସଂପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଏହାସହ ତାଙ୍କର ପ୍ରାୟ ସାଢ଼େ ୧୦ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ୍ ରହିଛି। ତାଙ୍କ ପାଖରେ ନଗଦ ୪୦ହଜାର ଟଙ୍କା ଓ ପତ୍ନୀଙ୍କ ପାଖରେ ୩୦ହଜାର ଟଙ୍କା ରହିଛି। ଶ୍ରୀ ପଣ୍ଡାଙ୍କ ୧୦ହଜାର ଟଙ୍କାର ମୂଲ୍ୟ ବଜାଜ ସ୍କୁଟର ଓ ପ୍ରାୟ ସାଢ଼େ ୧୪ଲକ୍ଷ ଟଙ୍କା ମୂଲ୍ୟରେ ଇନୋଭା ଗାଡ଼ି ରହିଛି। ୪୫ହଜାର ଟଙ୍କାର ସୁନା ଚେନ୍, ୨୫ହଜାର ଟଙ୍କାର ମୁଦି ସହିତ ୨୪ଶହ ଟଙ୍କାର ରୁପା ଅଳଙ୍କାର, ପତ୍ନୀଙ୍କ ୯୦ହଜାର ଟଙ୍କା ମୂଲ୍ୟର ୨ଟି ସୁନା ଚେନ୍‌, ୩୬ହଜାର ଟଙ୍କାର କାନଫୁଲ ଓ ଅନ୍ୟାନ୍ୟ ସୁନା ଅଳଙ୍କାର ରହିଛି। ୨୦୧୪ ନିର୍ବାଚନ ବେଳେ ସେ ଦାଖଲ କରିଥିବା ସତ୍ୟପାଠରେ ତାଙ୍କର ୪ କୋଟି ୪ଲକ୍ଷ ଟଙ୍କାର ସ୍ଥାବର ଓ ୩୫ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି ରହିଥିବା ଉଲ୍ଲେଖ କରିଥିଲେ। ଏତଦ୍‌ବ୍ୟତୀତ ତାଙ୍କ ନାମରେ ୮ ଲକ୍ଷ ଟଙ୍କାର ବ୍ୟାଙ୍କ ଲୋନ୍‌ ଥିବା ସେ ଦର୍ଶାଇଥି‌ଲେ।

ଅପରାଜିତା ମହାନ୍ତିଙ୍କ ପାଖରେ ୨୯ହଜାର ଟଙ୍କା ଥିବା ବେଳେ ତାଙ୍କ ସ୍ବାମୀ ତଥା ଅଭିନେତା ଉତ୍ତମ ମହାନ୍ତିଙ୍କ ପାଖରେ ୧୮ ହଜାର ୫୪୦ଟଙ୍କା ରହିଛି। ତାଙ୍କର ଅସ୍ଥାବର ସଂପତ୍ତି ମୂଲ୍ୟ ୬୭ଲକ୍ଷ ୭୦ହଜାର ଟଙ୍କା ରହିଛି। ତହିଁରେ ୧୦ଲକ୍ଷ ଟଙ୍କାର ହୋଣ୍ଡା ସିଟି କାର, ପ୍ରାୟ ୯ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ଉତ୍ତମଙ୍କ ନିକଟରେ ୧୨ଲକ୍ଷ ଟଙ୍କାର ଗାଡ଼ି ଓ ୩ଲକ୍ଷ ୬୫ହଜାର ଟଙ୍କାର ସୁନା ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଅପରାଜିତାଙ୍କର କୌଣସି ଚାଷ ଜମି ନାହିଁ। ଚନ୍ଦ୍ରଶେଖରପୁରସ୍ଥିତ ଆକ୍ସିସ୍ ବ୍ୟାଙ୍କରୁ ୮୧ହଜାର ଓ ପଟିଆସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ପ୍ରାୟ ୨୭ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି।

ମଧ୍ୟ ଭୁବନେଶ୍ବରରୁ ପ୍ରାର୍ଥୀ ସୁଭଦ୍ରା ମିଶ୍ରଙ୍କ ସ୍ଥାବର ଓ ଅସ୍ଥାବର ସଂପତ୍ତିର ମୂଲ୍ୟ ୨୯ଲକ୍ଷ ଟଙ୍କା ହେବ। ତାଙ୍କ ପାଖରେ ୪୫ହଜାର ଟଙ୍କା ଥିବା ବେଳେ ସ୍ବାମୀଙ୍କ ପାଖରେ ୨୫ହଜାର ଟଙ୍କା ରହିଛି। ୨ଲକ୍ଷ ଟଙ୍କାର ଗୋଲ୍‌ଡ ଲୋନ୍ ନେଇଛନ୍ତି। ସେ ନବମ ଶ୍ରେଣୀ ପାସ୍ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ସେହିପରି ଅଖିଳ ଭାରତ ହିନ୍ଦୁ ମହାସଭାରୁ ପ୍ରାର୍ଥୀ ହୋଇଥିବା ସୁମନ୍ତ ସ୍ବାଇଁଙ୍କ ପାଖରେ ନଗଦ ୨ଲକ୍ଷ ଟଙ୍କା ଥିବା ବେଳେ ପତ୍ନୀଙ୍କ ପାଖରେ ୧ଲକ୍ଷ ଟଙ୍କା ରହିଛି। ତାଙ୍କର ୯ଲକ୍ଷ ଟଙ୍କାର କାର ଓ ଏକ ବାଇକ୍ ମଧ୍ୟ ରହିଛି। ସୁମନ୍ତଙ୍କର ୩ଲକ୍ଷ ଟଙ୍କାର ସିସି ଲୋନ୍ ଓ ସାଢ଼େ ୬ଲକ୍ଷ ଟଙ୍କାର ଗାଡ଼ି ଲୋନ୍ କରିଛନ୍ତି।

ସମ୍ବନ୍ଧିତ ଖବର