ଅଶୋକଙ୍କ ରୋଡ୍‌ ସୋ’, ରଶ୍ମିଙ୍କ ପଦଯାତ୍ରା

ପୁରୁଣା ଭୁବନେଶ୍ୱର: ଗୋଟିଏ ପଟେ ଏକାମ୍ର ନିର୍ବାଚନମଣ୍ଡଳୀରେ ମୋଦୀ ସୋ’ ଚାଲିଥିଲା ବେଳେ ଅନ୍ୟ ପଟେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ପ୍ରଚାର ଅଭିଯାନ ବି ଜୋର୍‌ଦାର୍‌ କରିଥିଲେ। ବିଜେଡିର ଏକାମ୍ର ଭୁବନେଶ୍ବର ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ତା‌ଙ୍କ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ରୋଡ୍‌ ସୋ’ କରିଛନ୍ତି। ପୂର୍ବାହ୍ନରେ ରୋଡ୍ ସୋ ବାସୁଆଘାଇ ପଞ୍ଚାୟତର ଦୁର୍ଗାପୁର ପାଟଣା ଗ୍ରାମରୁ ରୋଡ୍‌ ସୋ’ରେ ବାହାରି ବାଙ୍କୁଆଳ, ମହୁଳଗଡ଼ା, ପଞ୍ଚମାଣ ହରିଜନ ସାହି, କେ‌ଶୁରା, କୋରଡ଼କଣ୍ଟା ଓ କାମେନା ଆଦି ଗ୍ରାମ ଅତିକ୍ରମ କରିଥିଲା। ସନ୍ଧ୍ୟାରେ ୱାର୍ଡ ନମ୍ବର-୫୭ରେ ରୋଡ୍ ସୋ ଶେଷ ହୋଇଥିଲା। କେ. ଶାନ୍ତି, ବନ୍ଦନା ସାହୁ, ଅଶୋକ ସିଂହ, ପ୍ରତାପ ଜେନା ଓ ଯୁବ ନେତା ସନ୍ତୋଷ ସିଂହ ପ୍ରମୁଖ ଯୋଗ ଦେଇଥିଲେ। କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଏଥିରେ ସାମିଲ ହୋଇଥିଲେ। ସେହିପରି କଂଗ୍ରେସ ପ୍ରାର୍ଥିନୀ ରଶ୍ମି ମହାପାତ୍ର ତାଙ୍କ ସମର୍ଥକଙ୍କ ସହିତ କଲ୍ୟାଣପୁର, ପଳାସପୁରଶାସନ, ବସନ୍ତପୁର ଶାସନର ବିଭିନ୍ନ ଗ୍ରାମରେ ପଦଯାତ୍ରା କରିଥିବା ବେଳେ ଅପରାହ୍‌ଣରେ ଡୁମୁଡୁମା ଗ୍ରାମରେ ଘରକୁ ଘର ବୁଲି ତାଙ୍କୁ ଭୋଟ୍‌ ଦେବାକୁ ଅନୁରୋଧ କରିଥିଲେ। ଏଥିରେ ବହୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ମହିଳା କଂଗ୍ରେସର ସଭ୍ୟସଭ୍ୟା ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର