ପୁରୁଣା ଭୁବନେଶ୍ୱର: ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ନିୟମ ଅନୁଯାୟୀ ପ୍ରାଚୀନ ସ୍ମାରକୀ ପ୍ରତ୍ନତାତ୍ତ୍ୱିକ ସ୍ଥଳ ଅବଶେଷ (ସଂଶୋଧନ ଓ ବୈଧିକରଣ) ଅଧିନିୟମ ୨୦୧୦ ଧାରା ୨୦(କ) ଓ (ଖ) ଅନୁଯାୟୀ କୌଣସି କେନ୍ଦ୍ରୀୟ ସଂରକ୍ଷିତ ସ୍ଥଳ ବା ସ୍ମାରକ ସୀମାଠାରୁ ଚତୁଃପାର୍ଶ୍ୱ ସର୍ବନିମ୍ନ ୧ଶହ ମିଟର ଓ ଏହାଠାରୁ ଚତୁଃପାର୍ଶ୍ୱ ୨ଶହ ମିଟର ଅଞ୍ଚଳରେ ଖନନ ଓ ନୂତନ ନିର୍ମାଣ ନିଷିଦ୍ଧ କରାଯାଇଛି। ହେଲେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଏହା ପାଳନ କରାଯାଉନାହିଁ। ଏଏସ୍ଆଇ ପକ୍ଷରୁ ଆଜି ଏହାର ସମୀକ୍ଷା କରାଯିବା ସହ ନିୟମର ବିରୁଦ୍ଧାଚରଣ କରାଯାଉଛି ବୋଲି କୁହାଯାଇଛି। ମନ୍ଦିର ସମ୍ମୁଖରେ ଓବିସିସି ଅଧକ୍ଷଙ୍କ ସହ ଆଲୋଚନା କରାଯାଇଛି। ତେବେ ଏହି ପ୍ରସଙ୍ଗରେ ଦ୍ବନ୍ଦ୍ବରେ ରହିଛି ଏଏସ୍ଆଇ।
ମିଳିଥିବା ସୂଚନା ଅନୁଯାୟୀ ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ ଗତକାଲି ମନ୍ଦିର ଚାରିପଟ ବୁଲି ଐତିହ୍ୟ ସ୍ଥଳ ସଂରକ୍ଷଣ ଓ ନିଷିଦ୍ଧାଞ୍ଚଳରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଜି ପୁଣି ଏଏସ୍ଆଇର ଓଡ଼ିଶା ଅଧୀକ୍ଷକ ଅରୁଣ କୁମାର ମଲ୍ଲିକ ଏକାମ୍ର କ୍ଷେତ୍ର ବୁଲି ଦେଖିଥିଲେ। ଐତିହ୍ୟସ୍ଥଳ ନିକଟରେ କରାଯାଉଥିବା ଖନନ ଏଏସ୍ଆଇ ନିୟମ ବିରୁଦ୍ଧ ବୋଲି ତଦାରଖରୁ ଜାଣିପାରିଥିଲେ। ଏନେଇ ସେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର ନିକଟରେ ଓବିସିସି ଅଧକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ। ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ସେ ଅନ୍ୟ ଅଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ଏନେଇ ଆଇନଜୀବୀ ଅରୁଣ କୁମାର ମହାପାତ୍ର କୁହନ୍ତି, ଐତିହ୍ୟସ୍ଥଳରେ ଆମ୍ସାର ଆକ୍ଟ କଡ଼ାକଡ଼ି ପାଳନ ହେଉନି। ପୁଲିସର ନିଷ୍କ୍ରିୟତା ଯୋଗୁଁ ଏହି ଆକ୍ଟ ଲାଗୁ କରାଯାଉନାହିଁ। କେବଳ କାରଣ ଦର୍ଶାଅ ନୋଟିସ୍ ଦେଇ ପୁଲିସ ଚୁପ୍ ବସୁଛି। ଫଳରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ହିଁ ପ୍ରଥମେ ନିଜର ଅବୈଧ ନିର୍ମାଣ ଜାରି ରଖିଛି। ଦୀର୍ଘବର୍ଷ ବିତିଯାଇଥିଲେ ମଧ୍ୟ ବିଡିଏ କିମ୍ବା ବିଏମ୍ସି କର୍ତ୍ତୃପକ୍ଷ କୌଣସି ଐତିହ୍ୟ ସ୍ଥଳ ସଂରକ୍ଷଣ ଅଞ୍ଚଳ ଓ ନିଷିଦ୍ଧାଞ୍ଚଳରେ ଗଢି ଉଠିଥିବା ବେଆଇନ ନିର୍ମାଣ ଉଚ୍ଛେଦ କରିପାରିନାହାନ୍ତି।
ଏନେଇ ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ରାକେଶ ସିଂ ଲାଲ କୁହନ୍ତି, ଶହେ ମିଟର ପରିଧି ମଧ୍ୟରେ କୌଣସି ସ୍ଥାୟୀ, ଅସ୍ଥାୟୀ ନିର୍ମାଣ କାମ ଆଦି ନ କରାଇବାକୁ ପଦକ୍ଷେପ ନିଆଯିବ। ରାଜ୍ୟ ସରକାରଙ୍କୁ ଚିଠି ମାଧ୍ୟମରେ ଅବୈଧ ନିର୍ମାଣ ବନ୍ଦ କରିବାକୁ ଅବଗତ କରାଯାଇଛି। ଏନେଇ ଏଏସ୍ଆଇ ଡିଜିଙ୍କୁ ଅବଗତ କରାଯିବ ବୋଲି ସେ କହିଛନ୍ତି। ଏଏସ୍ଆଇର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି, ଏଏସ୍ଆଇ ଏଡିଜି ଗତକାଲି ଶ୍ରୀଲିଙ୍ଗରାଜ ମନ୍ଦିରଠାରେ କାମ ଦେଖି ଖପ୍ପା ହୋଇଛନ୍ତି। ଏଏସ୍ଆଇ ନିୟମ ବିରୁଦ୍ଧରେ ଖନନ କରାଯାଉଛି। ଏନେଇ ଏଏସ୍ଆଇ ପକ୍ଷରୁ ଆଇନ୍ଗତ ପଦକ୍ଷେପ ନିଆଯାଉଛି। ଓବିସିସି ଅଧ୍ୟକ୍ଷ ଜୟକୃଷ୍ଣ ଦାସ କୁହନ୍ତି ଆଜି ଏଏସ୍ଆଇ ଅଧୀକ୍ଷକ ଶ୍ରୀ ମଲ୍ଲିକଙ୍କୁ ଡାକି ତାଙ୍କ ସହ ଆଲୋଚନା କରିଥିଲୁ। ବହୁତ ସୁନ୍ଦର କାମ ହେଉଛି ବୋଲି ଶ୍ରୀ ମଲ୍ଲିକ ତାଙ୍କୁ କହିଥିଲେ। ତେବେ ନିୟମ ବିରୁଦ୍ଧରେ କୌଣସି କାର୍ଯ୍ୟ ହେଉନାହିଁ ବୋଲି ଶ୍ରୀ ଦାସ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/images-27.jpg)