ସ୍ୱରବର୍ଣ୍ଣ ପକ୍ଷରୁ ଅସୀମ ବସୁଙ୍କ ଜୟନ୍ତୀ : ଅସୀମ ଦା’ ସୀମାହୀନ ଐଶ୍ୱର୍ଯ୍ୟ

ଭୁବନେଶ୍ୱର : ଚିତ୍ରକଳା, ନାଟକ ଓ ସାହିତ୍ୟର ସୃଜନକାର ଅସୀମ ବସୁଙ୍କ ଜନ୍ମ ଦିବସକୁ ଆଜି ସ୍ଥାନୀୟ ରାଜ୍ୟ ଅଭିଲେଖାଗାରରେ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି। ଅସୀମ ଦା’ଙ୍କ କନ୍ୟା ଭାସ୍ୱତୀ ବସୁ ନିଜ ପିତାଙ୍କ ଉଦ୍ଦେଶ୍ୟରେ ଓ ପିତାଙ୍କୁ ନେଇ ରଚନା କରିଥିବା ‘ବାଦଶାହ ଓ ପ୍ରେମିକା’ କବିତାକୁ ଆଜି ଭୂମିଷ୍ଠ କରାଇଥିବା ବେଳେ କବିତା ଆବୃତ୍ତି ସହ ଜୟନ୍ତୀ ସମ୍ପନ୍ନ ହୋଇଥିଲା।

‘ସ୍ୱରବର୍ଣ୍ଣ’ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ପ୍ରାରମ୍ଭରେ ଅସୀମ ବସୁଙ୍କ ସହଧର୍ମିଣୀ ଗୀତା ବସୁଙ୍କ ସମେତ ବିଶିଷ୍ଟ ନାଟ୍ୟକାର ଡ.ବିଜୟ ମିଶ୍ର, ‘ପୌରୁଷ’ର ସମ୍ପାଦକ ଅସିତ ମହାନ୍ତି, ବରିଷ୍ଠ ଶିଳ୍ପୀ ବାଞ୍ଛାନିଧି ପଟ୍ଟନାୟକ, ଗାଳ୍ପିକ ଅଜୟ ସ୍ୱାଇଁ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ। ଶ୍ରୀ ମହାନ୍ତି ଅସୀମ ଦା’ଙ୍କୁ ଜଣେ ଲେଖକ, ସନ୍ନ୍ୟାସୀ ଓ ବିଦ୍ରୋହୀ ଭାବେ ଅଭିହିତ କରିିଥିଲେ। ଚିତ୍ର ଲେଖିବା ବେଳେ ଅସୀମ ଦା କିଭଳି ନିଜ ମନର ପରିକଳ୍ପିତ ପ୍ରଥମ ଚିତ୍ରଟିକୁ ମୁଣ୍ଡ ଭିତରୁ ଫୋପାଡ଼ି ଦେଇ କିଛି ଭିନ୍ନ କରନ୍ତି ସେ ସମ୍ପର୍କରେ କହିବା ସହ ଅସୀମ ଦା’ଙ୍କୁ ସୀମାହୀନ ଐଶ୍ୱର୍ଯ୍ୟ ବୋଲି ଅଭିହିତ କରିଥିଲେ।

ପରେ କଥାଶିଳ୍ପୀ ଅଜୟ ସ୍ୱାଇଁଙ୍କ ସଂଯୋଜନାରେ ସୁପ୍ରିୟା ପଣ୍ଡା, ପ୍ରାଚୀ ତାରା, ମନୋରମା ବିଶ୍ୱାଳ, ରାକ୍ଷୀ ଦାସ, ଅଶୃମୋଚନ, ନେତାଜୀ ଅଭିନନ୍ଦନ, ପବିତ୍ର ମୋହନ ଦାଶ, ଅମୟ ଦାଶ, ପବିତ୍ର ମୋହନ କର, ପ୍ରସନ୍ନ ମିଶ୍ର, ତନ୍ଦ୍ରାଳସା ଦାସ ଓ ସନ୍ଦୀପ ମହାପାତ୍ର ପ୍ରମୁଖ କବିତା ପାଠ କରିଥିଲେ। ଅସୀମ ବସୁଙ୍କ ରଚିତ ଗଳ୍ପ ପଢ଼ି ଶୁଣାଇଥିଲେ ଚକ୍ରଧର ଓ ଆଲୋକ। ପ୍ରାରମ୍ଭରେ ‘ସ୍ୱରବର୍ଣ୍ଣ’ର ଆବାହକ ଦେବଦତ୍ତ ପତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଭାସ୍ୱତୀ ବସୁ ପୁସ୍ତକର ଏକ କବିତା ପାଠ କରିଥିବା ବେଳେ ପ୍ରକାଶିକା ଶ୍ରାବଣୀ ବସୁ ପୁସ୍ତକ ସମ୍ପର୍କରେ ନିଜର ମତ ରଖିଥିଲେ।

ସମ୍ବନ୍ଧିତ ଖବର