ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅସୀମ ଦା’ଙ୍କ ସ୍ମୃତି

ଭୁବନେଶ୍ୱର : ବ୍ୟକ୍ତି ମରିଯାଏ, ହେଲେ ତା’ର କୀର୍ତି ତାକୁ ଚିର ଅମର କରିଦିଏ। ଯଦି କର୍ମ ପଛରେ ତା’ର ଉଦ୍ଦେଶ୍ୟ ମହତ୍ତ ଥାଏ ତେବେ ତା’ର ସେଇ କୀର୍ତିର ସୁବାସ ସାରା ଦେଶରେ ଚହଟେ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଅସୀମ ଦା। ସେ ଏମିତି ଏକ ନାଁ’ ଯାହା ପଛରେ କୌଣସି ବିଶେଷଣର ଆବଶ୍ୟକତା ପଡ଼େନି। ଖାସ୍‌ ସେଇଥିପାଇଁ ସେ ମୃତ୍ୟୁପରେ ବି ୮୧ଟି ଦେଶର ଅତିଥିଙ୍କ ସମ୍ମୁଖରେ ମନେପଡ଼ିଛନ୍ତି। ଗୋଆରେ ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍‌ ଅନୁଷ୍ଠିତ ‘ଇଣ୍ଟରନ୍ୟାସ୍‌ନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ’ (ଇଫି)ରେ ଭାରତର ବଡ଼ବଡ଼ କଳାକାରଙ୍କ ସହ ସେ ବି ସ୍ମୃତିର ପରଦାରେ ଆସିଥିଲେ ନଜରକୁ।

ଚଳଚ୍ଚିତ୍ର ଉତ୍ସବ ଆରମ୍ଭ ପୂର୍ବରୁ ଔପଚାରିକ ଉଦ୍‌ଘାଟନୀ ସମାରୋହର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମେତ ଚଳିତ ବର୍ଷ ପରଲୋକ ହୋଇଥିବା ବିଶିଷ୍ଟ କଳାକାରମାନଙ୍କ ସ୍ମୃତିରେ ସଂଗୀତ, ଭିଡିଓ ଓ ଫଟୋଚିତ୍ର ପ୍ରଦର୍ଶିତ ହୋଇଥିଲା। ଯେଉଁଥିରେ ଝଟକିଥିଲେ ଓଡ଼ିଶାର ଦିବଂଗତ କିମ୍ବଦନ୍ତି ପ୍ରତିଭା ଅସୀମ ବସୁ। ବିଶିଷ୍ଟ ଚିତ୍ରକର, କଳା ନିର୍ଦେଶକ, ଅଭିନେତା, ନିର୍ଦେଶକ, ଲେଖକ, ସ୍ତମ୍ଭକାର, କବି ଭଳି ସୃଜନୀ ଜଗତର ଅନେକ ଦିଗକୁ ଆୟତ୍ତ କରିଥିବା ଏହି ବରେଣ୍ୟ ପ୍ରତିଭାଙ୍କୁ ମନେ ପକେଇଥିଲା ଭାରତର ସର୍ବବୃହତ୍‌ ଏବଂ ଏସିଆର ସବୁଠୁ ପୁରୁଣା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ। ୪୮ତମ ଚଳଚ୍ଚିତ୍ର ଉତ୍ସବରେ ଅଭିନେତା ଓମ୍‌ ପୁରୀ, ବିନୋଦ ଖାନ୍ନା, ଟମ୍‌ ଅଲ୍‌ଟର, ଜୟଲଳିତା, କର୍ଣ୍ଣାଟକୀ କଣ୍ଠଶିଳ୍ପୀ ତଥା ସଂଗୀତଜ୍ଞ ଏମ୍‌ ବାଲ୍‌ ମୁରଲୀକ୍ରିଷ୍ଣ, ନିର୍ଦେଶକ ଡି ନାରାୟଣ ରାଓ, ଅଭିନେତା ରିମା ଲାଗୁ, ଶକିଲାଙ୍କ ଭଳି କଳା ଜଗତର କିମ୍ବଦନ୍ତୀ କଳାକାରଙ୍କ ମଧ୍ୟରେ ନଜରକୁ ଆସିଥିଲେ ଅସୀମ ଦା। ସୂଚନାଯୋଗ୍ୟ ଅସୀମ ଦା ଲଳିତ କଳା ଏକାଡେମିର ସର୍ବୋଚ୍ଚ ସମ୍ମାନ ଧର୍ମପଦ ପୁରସ୍କାର ପାଇବାକୁ ମନୋନୀତ ହୋଇଥିଲେ। ଖାଲି ସେତିକି ନୁହେଁ ଭାରତ ସରକାରଙ୍କ ମାନବସମ୍ବଳ ବିଭାଗ ଅଧୀନ ଭାରତୀୟ ଭାଷାର କେନ୍ଦ୍ରୀୟ ପ୍ରତିଷ୍ଠାନ (ସିଆଇଆଇଏଲ୍‌) ପକ୍ଷରୁ ଜଣେ ମାତ୍ର ଓଡ଼ିଆ ଭାବେ ଭାଷା ଭାରତୀ ସମ୍ମାନ ପାଇଥିଲେ। ତାଙ୍କୁ ଗୋଆରେ ଅନୁଷ୍ଠିତ ଚଳଚ୍ଚିତ୍ର ମହୋତ୍ସବରେ ୮୧ଟି ଦେଶରୁ ଆସିଥିବା ୬ହଜାର ଅତିଥିଙ୍କ ସାମ୍ନାରେ ପ୍ରଦର୍ଶିତ କରିବା ଅସୀମ ଦା’ଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ସ୍ୱୀକୃତିକୁ ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର