ଆଜିଠୁ ଅସୀମ ଉତ୍ସବ

ପ୍ରଦର୍ଶିତ ହେବ ଅସୀମ ବସୁଙ୍କ ଉପରେ ପ୍ରାମାଣିକ ଚିତ୍ର

ଭୁବନେଶ୍ୱର : କଳା ଜଗତର ଅନେକ ବିଭବକୁ ଆୟତ୍ତ କରିଥିବା ଅସୀମ ବସୁଙ୍କ ସ୍ମୃତିରେ ନିର୍ମିତ ହୋଇଛି ପ୍ରାମାଣିକ ଚିତ୍ର। କିଛି ଯୁବକଙ୍କ ମିଳିତ ଉଦ୍ୟମରେ ୧୫ ମିନିଟ୍‌ ଅବଧିର ଏହି ଚଳଚ୍ଚିତ୍ରରେ ଅସୀମ ବସୁଙ୍କ ସାମଗ୍ରିକ ଶିଳ୍ପୀ ଜୀବନର ଯାତ୍ରା ଦେଖିବାକୁ ମିଳିବ। ଆସନ୍ତା ୯ରୁ ୧୧ଫେବ୍ରୁଆରି ପର୍ଯ୍ୟନ୍ତ ଭଂଜ କଳାମଣ୍ଡପରେ ହେବାକୁ ଯାଉଥିବା ‘ଅସୀମ ଉତ୍ସବ’ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

୧୯୫୦ରେ ଛାତ୍ର ଜୀବନ ଆରମ୍ଭ ପରଠୁ ଜଣେ ଚିତ୍ରଶିଳ୍ପୀ ଭାବେ ସାଉଁଟିଥିବା ଅଜସ୍ର ଶ୍ରଦ୍ଧା ଓ ସମ୍ମାନର ଝଲକ ଦେଖିବାକୁ ମିଳିବ। ସେହିପରି ଓଡ଼ିଆ ଚଳଚ୍ଚିତ୍ରର ପ୍ରଡକ୍ସନ୍‌ ଡିଜାଇନର, ନାଟକରେ ମଞ୍ଚ ସଜା, ଅଭିନୟ, ନିର୍ଦେଶନା, ସ୍ଥାପତ୍ୟ, ବହିର ପ୍ରଚ୍ଛଦପଟ ଭଳି ଏମିତି ଅନେକ ବିଭାଗରେ ନିଜର ପାରଦର୍ଶିତାକୁ ପ୍ରମାଣିତ କରିଥିବା ଅସୀମଙ୍କ ସୀମାହୀନ କଳାନୈପୁଣ୍ୟର ପରିପ୍ରକାଶ ହେବ ଏହି ଚଳଚ୍ଚିତ୍ରରେ। ଅସୀମ ବସୁ ଫାଉଣ୍ଡେସନ୍‌ର ଶୁଭାଶିଷ ପାଣିଗ୍ରାହୀ, ଦେବଦତ୍ତ ପତି ଅଳ୍ପ କିଛି ଉପକରଣରେ ଏହି ଚଳଚ୍ଚିତ୍ର ନିର୍ମିତ କରିଥିବା ବେଳେ ଏକ ସାକ୍ଷାତକାର ଢାଞ୍ଚାରେ ଚଳଚ୍ଚିତ୍ରଟି ପ୍ରସ୍ତୁତ କରାଯାଇଛି।

ଏହି ୩ ଦିନିଆ ଉତ୍ସବରେ ଅସୀମ ବସୁଙ୍କ ଉପସ୍ଥିତିକୁ ଜାହିର କରିବ ୩ ଦିନରେ ଅସୀମ ବସୁଙ୍କ ୩ଟି ନିର୍ଦେଶିତ ନାଟକ। ୯ରେ ଅସୀମ ବସୁଙ୍କ ପ୍ରଥମ ନିର୍ଦେଶିତ ନାଟକ ‘ଦୁଇଟି ସୂର୍ଯ୍ୟଦଗ୍ଧ ଫୁଲକୁ ନେଇ’, ୧୦ରେ ତାଙ୍କ ଶେଷ ନିର୍ଦେଶିତ ନାଟକ ‘ହାତୀ ଓ ଲଣ୍ଠନ’ ଏବଂ ୧୧ରେ ମଞ୍ଚସ୍ଥ ହେବ ଅସୀମ ବସୁଙ୍କ ଏକମାତ୍ର ଅଭିନୀତ ନାଟକ ‘ସେଇ ଲୋକଟି’। ଏଥିସହିତ ‘ଅସୀମ ବସୁ: ଏକ ଭିନ୍ନ ମଣିଷ’ ଶୀର୍ଷକ ଆଲୋଚନା କରିବେ ଓଡ଼ିଶାର ବିଭିନ୍ନ କଳା କ୍ଷେତ୍ରରେ ପ୍ରତିଷ୍ଠିତ ସାହିତ୍ୟିକ, କବି, ଚିତ୍ରଶିଳ୍ପୀ, ଅଭିନେତା, ନିର୍ଦେଶକ ଓ ବେତାରଶିଳ୍ପୀ।

ସମ୍ବନ୍ଧିତ ଖବର