ସହକାରୀ ଇଞ୍ଜିନିୟରଙ୍କ ରହସ୍ୟଜନକ ମୃତ୍ୟୁ : ମା’, ମାମୁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା, ସ୍ତ୍ରୀଙ୍କୁ ହାଜର ପାଇଁ ହେବ ନୋଟିସ୍‌

କଟକ : ଭୁବନେଶ୍ୱର ଶିରିପୁରରେ ଏକ ଗେଷ୍ଟହାଉସ୍‌ରେ ସହକାରୀ ଇଂଜିନିୟର ଅକ୍ଷୟ କୁମାର ପୋଥାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ତନାଘନା ଆରମ୍ଭ କରିଛି କ୍ରାଇମ୍‌ବ୍ରାଞ୍ଚ। ଆଜି ପ୍ରଥମ ପର୍ଯ୍ୟାୟରେ ମୃତ ଅକ୍ଷୟଙ୍କ ମା’ ସୁବାସିିନୀ ବେହେରା ଓରଫ ପୋଥାଳ ଏବଂ ତାଙ୍କ ମାମୁଁଙ୍କୁ କ୍ରାଇମ୍‌ବ୍ରାଞ୍ଚ ଦୁଇଘଣ୍ଟା କାଳ ଜେରା କରିଥିଲା। ମୃତ୍ୟୁ ଖବର ମିଳିବା ପରେ ସାଇ ରେସିଡେନ୍ସି ଗେଷ୍ଟ ହାଉସର ରୁମ୍‌ ନମ୍ବର ୧୦୯ରେ ପ୍ରଥମେ ଏମାନେ ପହଞ୍ଚିଥିଲେ। ତେଣୁ ପାରିପାର୍ଶ୍ୱିକ ଅବସ୍ଥା କ’ଣ ଥିଲା, ସେ ସମ୍ପର୍କରେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଥିଲେ। ଅକ୍ଷୟଙ୍କ ମୁଣ୍ଡ ପଛ ପାର୍ଶ୍ୱରେ ତିନିଟି କଣା ଏବଂ ଶରୀରରେ କ୍ଷତ ଚିହ୍ନ ଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀଙ୍କୁ କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ ପ୍ରଥମ ପର୍ଯ୍ୟାୟରେ ଦୁଇ ଜଣଙ୍କ ବୟାନ ରେକର୍ଡ କରିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ମୃତ ଅକ୍ଷୟଙ୍କ ସ୍ତ୍ରୀ ଅନିତାଙ୍କୁ ହାଜର ପାଇଁ ନୋଟିସ୍‌ ଜାରି କରିବ ବୋଲି ସୂଚନା ମିଳିଛି।

ଭୁବନେଶ୍ୱର ଖଣ୍ଡଗିରିରେ ସପରିବାରେ ରହୁଥିବା ଅକ୍ଷୟ ସ୍ତ୍ରୀଙ୍କ ସହ କଳହକୁ କେନ୍ଦ୍ର କରି ୨୦୧୬ ଜୁଲାଇ ୧୪ ତାରିଖ ସକାଳ ପ୍ରାୟ ୬ଟା ବେଳେ ଶିରିପୁରର ଡେଲ୍‌ଟା ଛକରେ ଥିବା ସାଇ ରେସିଡେନ୍ସି ଗେଷ୍ଟ ହାଉସର ରୁମ୍‌ ନମ୍ବର ୧୦୯ରେ ରହିଥିଲେ। ୧୬ ତାରିଖରେ ଉକ୍ତ ଗେଷ୍ଟ ହାଉସ୍‌ରୁ ତାଙ୍କ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା। ଦେଢ଼ ଫୁଟ୍‌ ଉଚ୍ଚା ଖଟରୁ ଜଣେ ତଳେ ପଡ଼ି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥା କିଭଳି ମୃତ୍ୟୁ ହେବ, ସେ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଆଜି ଦୁଇ ଜଣଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରିଥିବା ବେଳେ ଖଣ୍ଡଗିରି ଥାନାର ଫରେନ୍‌ସିକ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ କ୍ରାଇମ୍‌ବ୍ରାଞ୍ଚ ଅନୁଧ୍ୟାନ କରୁଛି। ତାଙ୍କ ସ୍ତ୍ରୀ ଅନିତା ଏହି ଘଟଣାରେ ସମ୍ପୃକ୍ତ ଥିବା ପରିବାର ଲୋକେ ଅଭିଯୋଗ କରୁଥିବାରୁ, ଅନିତାଙ୍କୁ କ୍ରାଇମ୍‌ବ୍ରାଞ୍ଚରେ ହାଜର ପାଇଁ ନୋଟିସ୍‌ ଜାରି କରାଯିବ। ଏଠାରେ ସୂଚନାଯୋଗ୍ୟ ଯେ କ୍ରାଇମ୍‌ବ୍ରାଞ୍ଚ ଗତ ୨୦ତାରିଖରେ ଘଟଣାର ତଦନ୍ତଭାର ଗ୍ରହଣ କରିଥିଲା।

ସମ୍ବନ୍ଧିତ ଖବର