ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ଅଧ୍ୟାପକ ସମ୍ମିଳନୀ

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ଅଗ୍ରଣୀ ମ୍ୟାନେଜ‌ମେଣ୍ଟ ଶିକ୍ଷାନୁଷ୍ଠାନ ଆସ୍ଥା ସ୍କୁଲ ଅଫ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ରାଜ୍ୟସ୍ତରୀୟ ଅଧ୍ୟାପକ ସମ୍ମିଳନୀର ଅଷ୍ଟମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଚଳିତ ଥର ବିଷୟ ଥିଲା, ‘ୱାର୍କ ଲାଇଫ ବାଲାନ୍ସ: ଏ ରିଏଲ ଚ୍ୟାଲେଞ୍ଜ ଅଫ ଦ ମଡର୍ଣ୍ଣ ଏଜ୍‌।’ ଏଥିରେ ବିଜେପି ନେତ୍ରୀ ତଥା ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବ୍ୟସ୍ତତା ମଧ୍ୟରେ ଜୀବନଶୈଳୀକୁ ଆଗେଇ ନେବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଭାବେ ଡ. ଅଶୋକ କୁମାର ମଙ୍ଗରାଜ, ନିର୍ଦ୍ଦେଶକ ବ୍ରେନ୍‌ଷ୍ଟେନ୍‌ କର୍ମମୟ ଜୀବନରେ କିପରି ବ୍ୟକ୍ତିଗତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିହେବ, ମାର୍ଗଦର୍ଶନ କରିଥିଲେ। ପ୍ରମୁଖ ବକ୍ତା ଡ. ଆର୍‌କେ ଏସ୍‌ ମଙ୍ଗେସ୍‌ ଦାସ କର୍ମମୟ ଜୀବନ ଏବଂ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ ରଖିବାର ବିଭିନ୍ନ ପଦ୍ଧତିକୁ ନିଜସ୍ୱ ଶୈଳୀରେ ଉପସ୍ଥାପନା କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର୍‌ ଡ. ଶର୍ମିଳା ସୁବ୍ରମନ୍ୟମ୍‌ ରାଜ୍ୟର ବିଭିନ୍ନ କଲେଜରୁ ଆସିଥିବା ଦୁଇଶହରୁ ଊର୍ଧ୍ୱ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ସାଧୁବାଦ ଜଣାଇଥିଲେ। କର୍ପୋରେଟ୍‌ ଆଫାୟାର୍ସର ନିର୍ଦ୍ଦେଶକ ଡ. ତ୍ରିଲୋଚନ ନାୟକ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନମାନଙ୍କରେ ଏହିପରି ସମ୍ମିଳନୀର ଆବଶ୍ୟକତା ଅଛି ବୋଲି କହିଥିଲେ। ଶ୍ରୀପଞ୍ଚମୁଖୀ ଏଜୁକେସନାଲ ଏବଂ ଚାରିଟେବଲ ଟ୍ରଷ୍ଟର ସଂପାଦକ ଇଂ ବଙ୍କିମ୍‌ ମହାନ୍ତି ଏବଂ ସମସ୍ତ ଟ୍ରଷ୍ଟି ବୃନ୍ଦ ଯୋଗଦେଇ ଅନୁଷ୍ଠାନର ସ୍ମରଣିକା ‘ପ୍ରକରଣ’ର ଉନ୍ମୋଚନ କରିଥିଲେ। ସମ୍ମିଳନୀକୁ ପ୍ରଫେସର୍‌ ସବ୍ୟସାଚୀ ପ୍ରଧାନ ଏବଂ ପ୍ରଫେସର୍‌ ନନ୍ଦିତା ମହାପାତ୍ର ପରିଚାଳନା କରିଥିଲେ। ଶେଷରେ ପ୍ରଫେସର୍‌ ରଂଜିତ କୁମାର ପାଢ଼ୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର