ଅସୁରଗଡ଼ ପ୍ରତ୍ନତାତ୍ତ୍ବିକ ଖନନ: ଖୋଲିବ ମୌର୍ଯ୍ୟ ପୂର୍ବବର୍ତୀ ସମୟର ଅନାଲୋଚିତ ତଥ୍ୟ

ପ୍ରଥମ -ଦ୍ବିତୀୟ ଶତାବ୍ଦୀରେ ବି ଭୂତଳ ଜଳ ସମସ୍ୟା ଥିଲା, ଅସୁରଗଡ଼ ଗୁରୁତ୍ବପୂର୍ଣ୍ଣ ରାଜନୈତିକ, ବାଣିଜ୍ୟିକ କେନ୍ଦ୍ର ଥିଲା

ଭୁବନେଶ୍ବର: କଂକ୍ରିଟ ସହର ଯୋଗୁଁ ଭୂତଳ ଜଳ ନିମ୍ନଗାମୀ ହେଉଛି ବୋଲି କୁହାଯାଉଛି। ମାତ୍ର ଏହା ‌ଖାଲି ଏବେର ସମସ୍ୟା ନୁହେଁ, ବରଂ ପ୍ରଥମ ଓ ଦ୍ବିତୀୟ ଶତାବ୍ଦୀରେ ମଧ୍ୟ ଭୂତଳ ଜଳ ସମସ୍ୟା ଥିଲା। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ ଭୁବନେଶ୍ବର) ପକ୍ଷରୁ କଳାହାଣ୍ଡିର ଅସୁରଗଡ଼ରେ ଶେଷ ହୋଇଥିବା ପ୍ରତ୍ନତାତ୍ତ୍ବିକ ଉତ୍‌ଖନନରୁ ପ୍ରତ୍ନତତ୍ତ୍ବବିତ୍‌ମାନେ ଏହି ଅନୁମାନ ଲଗେଇଛନ୍ତି। ଶେଷ ପର୍ଯ୍ୟାୟ ଉତ୍‌ଖନନରୁ ଏଠାରୁ ୧୮ ଫୁଟରୁ ଅଧିକ ଗଭୀରର ବୃତ୍ତାକାର ମାଟି ନିର୍ମିତ କୂଅ ଓ ପାଖାପାଖି ୨୮ଟି ଗୋଲାକୃତି ନନ୍ଦ ଭଳି ବସ୍ତୁ ଆବିଷ୍କୃତ ହୋଇଛି। ପ୍ରାରମ୍ଭିକ ଉତ୍‌ଖନନ ବେଳେ ମଧ୍ୟ ତଟବର୍ତୀ ଅଞ୍ଚଳରୁ ଏହିଭଳି ମାଟିର ଗୋଲାକାର ଆକୃତି ବିଶିଷ୍ଟ କୂଅର ସନ୍ଧାନ ମିଳିଥିଲା। ଏଠାରେ କୂଅର ଗଭୀରତା ହିଁ ସୂଚେଇ ଦେଉଛି ଏହି ଅଞ୍ଚଳମାନଙ୍କରେ ଜଳ ସମସ୍ୟା ଥିଲା ଅଥବା ଭୂତଳ ଜଳ ସ୍ତର ଭଲ ନଥିଲା। ଏଏସ୍‌ଆଇ, ଭୁବନେଶ୍ବର ଉତ୍‌ଖନନ ଶାଖା-୪ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ୍‌ ଦିବିଶଦ ବି ଗଡ଼ନାୟକ ଏପରି ପୂର୍ବାନୁମାନ କରିଛନ୍ତି।

ଏହି କୂଅଟି ଗୋଟେ ଘର ନିକଟରେ ରହିଥିଲା। ତେଣୁ ଏହା ସୂଚାଉଛି ଯେ, ସେତେବେଳ ସମୟରେ ପ୍ରତ୍ୟେକ ଘରେ ସେମାନଙ୍କର ନିଜସ୍ବ କୂଅ ଥିଲା। ହରପ୍ପା ସଭ୍ୟତା ସମୟରେ ଘରର ମହିଳାମାନଙ୍କୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଘରେ କୂଅ ‌ନିର୍ମିତ ହୋଇଥିଲା। ଅସୁରଗଡ଼ରେ ମଧ୍ୟ ଏହି ଉଦ୍ଦେଶ୍ୟରେ କୂଅ ନିର୍ମାଣ କରାଯାଇପାରିଥାଏ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅସୁରଗଡ଼ରୁ ଆବିଷ୍କୃତ ଜିନିଷଗୁଡ଼ିକୁ ବିଶ୍ଳେଷଣ ପରେ ଏହା ଲୌହ ଯୁଗର ପ୍ରାରମ୍ଭିକ ସମୟର ତଥା ପୂର୍ବ ମୌର୍ଯ୍ୟ ସମୟର ବୋଲି ଅନୁମାନ କରାଯାଉଛି। ଶେଷ ପର୍ଯ୍ୟାୟ ଖନନରୁ ମିଳିଥିବା ଏକ ସିଂହର ତାମ୍ର ସ୍ଥାପତ୍ୟ, ମୁଦ୍ରିତ ମୁଦ୍ରା ଓ ସୁନା ଚେନ୍‌ ମଧ୍ୟ ମିଳିଛି। ଏହା ବ୍ୟତୀତ ଆଗରୁ ଏଠାରେ ଖୋଦିତ ରୁପା ମୁଦ୍ରା, ତମ୍ବା ମୁଦି ଓ କାନଫୁଲ, ମାଳି, କାଚର ରଙ୍ଗିନ ଚୂଡ଼ି, ଲୁହା ନିର୍ମିତ ଚକ, ମୁଦି, ତୀର ଓ ବର୍ଚ୍ଛା ମଧ୍ୟ ଆଗରୁ ମିଳିସାରିଛି। ଏଠାରୁ ମିଳିଥିବା ପ୍ରସ୍ତର ଓ ଟାଇଲ୍‌ ଖଣ୍ଡ ମିଳିବା ପରେ ଅସୁରଗଡ଼ ଲୋକେ ସେତେବେଳେ ନିଜ ଘରର ଚଟାଣ ପାଇଁ ଏସବୁ ବ୍ୟବହାର କରୁଥିବା ଅନୁମାନ କରାଯାଉଛି। ଉତ୍‌ଖନନରୁ ମିଳିଥିବା ଜିନିଷଗୁଡ଼ିକ ଥର୍ମୋଲୁମିନସେନ୍‌ସ ଡେଟିଂ (ଟିଏଲ୍‌) ଏବଂ କାର୍ବୋନ୍‌ଡେଟିଂ କରାଯିବା ପରେ ରିପୋର୍ଟ ଆଧାରରେ ସେଇ ଅଞ୍ଚଳର ନିର୍ଦିଷ୍ଟ ସମୟ ବାବଦରେ ଆହୁରି ସ୍ପଷ୍ଟ ହୋଇପାରିବ ବୋଲି ସୂଚନା ମିଳିଛି।

ଏଥିସହ ସେଠାରୁ ମିଳିଥିବା ମୁଦ୍ରାରେ ତ୍ରିଶୂଳ, ହଳ, ସ୍ବସ୍ତିକ ଭଳି ଚିହ୍ନ ରହିଛି। ତେଣୁ ସେଠାରେ ବ୍ରାହ୍ମଣମାନେ ରହୁଥିବା ଅନୁମାନ କରାଯାଉଛି। ଅସୁରଗଡ଼ ଦୁର୍ଗର ମଧ୍ୟଭାଗରେ ଚତୁଃପାର୍ଶ୍ବରେ ୪ଟି ଫାଟକ ରହିଥିବା ଆବିଷ୍କୃତ ହୋଇଛି। ଏଠାରୁ ବହୁ ସଂଖ୍ୟାରେ ଖୋଦିତ ମୁଦ୍ରା ମିଳିଛି। ଏହି ପ୍ରତ୍ନତାତ୍ତ୍ବିକ ପ୍ରମାଣ ମୁତାବକ, ଅସୁରଗଡ଼ ରାଜଧାନୀ ସହ ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଓ ବାଣିଜ୍ୟିକ କେନ୍ଦ୍ର ଥିଲା ବୋଲି ଅନୁମାନ କରାଯାଉଛି। ନିର୍ବାଚନ କାମରେ ପ୍ରତ୍ନତତ୍ତ୍ବବିତ୍‌ମାନେ ନିୟୋଜିତ ହୋଇଥିବାରୁ ଉତ୍‌ଖନନ କାମ ବନ୍ଦ କରିବାକୁ ପଡ଼ିଛି। ଅନ୍ତତଃ ଉତ୍‌ଖନନ ଶାଖାରୁ ପ୍ରତ୍ନତତ୍ତ୍ବବିତ୍‌ମାନଙ୍କୁ ନିର୍ବାଚନ କାମରେ ନିୟୋଜିତ ନକରିବାକୁ ଶ୍ରୀ ଗଡ଼ନାୟକ ନିବେଦନ କରିଥିଲେ ହେଁ କେହି ଶୁଣି ନଥିଲେ। ତେଣୁ ଆସନ୍ତାଦିନରେ ବର୍ଷା ପ୍ରଭାବରେ ଏହି ଉତ୍‌ଖନନ ଅଞ୍ଚଳ ଧୋଇଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଯାହା ହେଉନା କାହିଁକି, ବହୁ ଲୁକ୍କାୟିତ ଗୁପ୍ତ ତଥ୍ୟ ଉନ୍ମୋଚନ କରିବା ପାଇଁ ପୁଣି ଆସନ୍ତାବର୍ଷ ଉତ୍‌ଖନନ କରିବୁ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି। ଏହି ଉତ୍‌ଖନନରେ ଆଶିଷ ରଂଜନ ସାହୁ, ସହଯୋଗୀ ପ୍ରତ୍ନତତ୍ତ୍ବବିତ୍‌ ଉମାକାନ୍ତ ଭୋଇ, ଶୁଭେନ୍ଦୁ କୁମାର ଖୁଣ୍ଟିଆ, ବିଭୂତି ଭୂଷଣ ବଡ଼ମାଳି, ରବୀନ୍ଦ୍ରନାଥ ସାହୁ, ସୁରଥ କୁମାର ଭୋଇ, ଏସ୍‌ଏନ୍‌ କୁଅଁର ଓ ସୁବାସ ଦାସ ପ୍ରମୁଖ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର