ବିଜେଡି କର୍ମୀଙ୍କ ଗାଡ଼ି ଭାଙ୍ଗିଦେଲେ

ଭୁବନେଶ୍ୱର : ଭୁବନେଶ୍ବରରେ ମତଦାନ ଯେତିକି ପାଖେଇ ଆସୁଛି ସେତିକି ହିଂସା ବଢ଼ି ବଢ଼ି ଚାଲିଛି। ଆଜି ଝାରପଡ଼ାରେ କେତେକ ଦୁର୍ବୃତ୍ତ ଜଣେ ବିଜେଡି କର୍ମୀଙ୍କ ଗାଡ଼ି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ବିଜେଡି କର୍ମୀ ହେଉଛନ୍ତି ଅମୂଲ୍ୟ ପରିଡ଼ା। ଅମୂଲ୍ୟ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କ ପାଇଁ ଜୋର୍‌ଦାର୍‌ ପ୍ରଚାରରେ ଭାଗ ନେଇଥିଲେ। ଆଜି ଅମୂଲ୍ୟ ଝାରପଡ଼ା ଜେଲ୍‌ ପାଚେରି ନିକଟରେ ତାଙ୍କ କାର୍‌ ରଖି ପ୍ରଚାରରେ ବ୍ୟସ୍ତ ଥିଲେ। ରାତି ପ୍ରାୟ ସାଢ଼େ ୮ଟା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଏକ ଲୁହା ଛଡ଼ରେ କାର୍‌କୁ ପିଟି ଥିଲେ। ଫଳରେ କାର୍‌ର କାଚ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଘଟଣାକୁ କେନ୍ଦ୍ର କରି ଦୀର୍ଘ ସମୟ ଧରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଡ଼ି ଭାଙ୍ଗିଥିବା ଯୁବକମାନେ ବିଜେପି ଦଳର ସମର୍ଥକ ବୋଲି ଅମୂଲ୍ୟ ଅଭିଯୋଗ କରିଥିଲେ। ସେ କହିଥିଲେ, ହଳଦୀପଡ଼ିଆ ବସ୍ତିରେ ଦୀର୍ଘ ଦିନ ହେବ ଉଭୟ ପତିପତ୍ନୀ କ୍ୟାମ୍ପେନିଂ ଜାରି ରଖିଛୁ। ବିଜେଡିକୁ ବିପୁଳ ସମର୍ଥନ ମିଳୁଛି। ଏଣୁ ଏହାକୁ ସହି ନପାରି ଏହି ବିରୋଧୀ କର୍ମୀମାନେ ଓୗଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଆଜି ମୋ ଗାଡ଼ିକୁ ସର୍ବସମ୍ମୁଖରେ ଭାଙ୍ଗିଛନ୍ତି। ସେମାନଙ୍କୁ ତୁରନ୍ତ ଗିରଫ କରା ନଗଲେ ଆସନ୍ତା ନିର୍ବାଚନରେ ସେମାନେ ଏଭଳି ଆପରାଧିକ କାଣ୍ଡ ଘଟାଇବେ। ସେମାନେ ବନ୍ଧା ନ ହେବା ପର୍ଯ୍ୟନ୍ତ ମୁଁ ରାସ୍ତା କଡ଼ରେ ବସି ରହିବି ବୋଲି ସେ କହିଛନ୍ତି। ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ଆଇଆଇସି ଦୟାନିଧି ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି। ପୂର୍ବରୁ ବିଜେଡି ଜିଲ୍ଲା ସଭାପତି ଅମରେଶ ଜେନାଙ୍କ କାର୍ଯ୍ୟାଳୟ ଉପରକୁ ବୋମା ମାଡ଼ ହୋଇଥିଲା। ବିରୋଧୀମାନେ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଥିଲା। ୭ ଦିନ ଭିତରେ ଲକ୍ଷ୍ମୀସାଗର ଅଞ୍ଚଳରେ ଏହି ଦ୍ବିତୀୟ ନିର୍ବାଚନୀ ହିଂସା ଘଟିଛି।

ସମ୍ବନ୍ଧିତ ଖବର