ପାଲି ଖେଳକୁ ନେଇ ଗୋଷ୍ଠୀ ସଂର୍ଘଷ : ମହିଳାଙ୍କ ଘରେ ପଶି ହାଣିଲେ ଦୁର୍ବୃତ୍ତ

ଚନ୍ଦ୍ରଶେଖରପୁର : ଜୁଆ ଖେଳକୁ ନେଇ ଆଜି ଅପରାହ୍‌ଣରେ ରଙ୍ଗମାଟିଆ ଗ୍ରାମ ଉପରସାହି ଓ ତଳସାହିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ଗୋଷ୍ଠୀର ଯୁବକମାନେ ମାରଣାସ୍ତ୍ର ଧରି ଉପରସାହିର ତିନି ଜଣଙ୍କ ଘରେ ପଶି ପରିବାର ଲୋକଙ୍କୁ ହଣାହଣି କରିଛନ୍ତି। ଏଥିରେ ମୋଟ ୪ଜଣ ଆହତ ହୋଇଛନ୍ତି। ମଞ୍ଚେଶ୍ବର ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜାଖୋଜି କରି ନିରାଶ ହୋଇଛି। ସୂଚନା ଅନୁଯାୟୀ, ଆଜି ରଙ୍ଗମାଟିଆ ଝାମୁ ଯାତ୍ରା ପଡ଼ିଆରେ ଉତ୍ସବ ଚଲିଥିବା ବେଳେ ଗାଁର କିଛି ଯୁବକ ଏକାଠି ହୋଇ ଏକ ନିଛାଟିଆ ସ୍ଥାନରେ ଜୁଆ ଖେଳୁଥିଲେ। ଏଥିରେ ଉପରସାହିର ଜଣେ ଯୁବକ ଅର୍ଥ ହାରିଯିବାରୁ ପାଲିକୁ ଫୋପାଡ଼ି ସବୁ ଟଙ୍କା ନେଇ ଯାଇଥିଲେ। ଏହାସହ ଖେଳ କରୁଥିବା ଯୁବକଙ୍କୁ ମାଡ଼ ମାରି ପଳାଇଥିଲେ। ସୂଚନା ପାଇ ତଳସାହିର ଯୁବକମାନେ ମାରଣାସ୍ତ୍ର ନେଇ ପାଲି ଟଙ୍କା ନେଇ ପଳାଇଥିବା ଯୁବକଙ୍କ ଘରକୁ ଯାଇଥିଲେ। ସେମାନେ ସମ୍ପୃକ୍ତ ଯୁବକଙ୍କୁ ଆକ୍ରମଣ କରିବା ସହ ତାଙ୍କ ୩ ପଡ଼ୋଶୀଙ୍କ ଘ‌େର ପଶି ପରିବାର ଲୋକଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିବା ୩ ମହିଳା ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି। ଗ୍ରାମରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଅଭିଯୁକ୍ତମାନେ ଫେରାର୍ ଥିବା ଆଇଆଇସି ଜିତେନ୍ଦ୍ର ନାଥ ସେଠୀ ପ୍ରକାଶ କହିଛନ୍ତି।

ସମ୍ବନ୍ଧିତ ଖବର