ଫୋନ୍‌ ନେବାକୁ ଆସି ଯୁବକ ହଟହଟା : ନଡ଼ିଆ ଗଛରେ ବାନ୍ଧି ଛେଚିଲେ

ବାଲିଅନ୍ତା : ବାଲିଅନ୍ତା ଥାନା ବଇଁଚୁଆ ପଞ୍ଚାୟତ ଅଞ୍ଚଳରେ ପ୍ରେମ ସଂପର୍କକୁ ନେଇ ଜଣେ ଯୁବକଙ୍କୁ ଏକ ପରିବାର ଓ ତାଙ୍କ ସଂପର୍କୀୟମାନେ ଗଛରେ ବାନ୍ଧି ନିସ୍ତୁକ ଛେଚିଛନ୍ତି। ସେମାନଙ୍କ ମାଡ଼ରେ ଯୁବକଙ୍କ ମୁହଁ ଫାଟି ଯାଇଛି। ପ୍ରେମିକାକୁ ଦେଇଥିବା ମୋବାଇଲ ଫୋନ୍‌ ଫେରାଇ ଆଣିବାକୁ ଯାଇଥିବା ବେଳେ ଏହି ଗଣ୍ଡଗୋଳ ଘଟିଛି।

ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବକ ଓ ସଂପୃକ୍ତ ଯୁବତୀଙ୍କ ମଧ୍ୟରେ ଦୀର୍ଘ ୩ବର୍ଷ ହେଲା ପ୍ରେମ ସଂପର୍କ ଥିଲା। ଯୁବକ ପ୍ରେମିକାଙ୍କୁ ଗୋଟିଏ ମୋବାଇଲ ଫୋନ୍‌ ଉପହାର ଦେଇଥିଲେ। ହେଲେ ସେମାନଙ୍କ ମଧ୍ୟରେ ମନାନ୍ତର ହେବା ପରେ ଯୁବତୀ ତାଙ୍କ ସହିତ ଆଉ କଥା ହୋଇନଥିଲେ। ତେଣୁ ଯୁବକ ତାଙ୍କୁ ଦେଇଥିବା ଫୋନ୍‌ଟି ଆଜି ପୂର୍ବାହ୍ନ ୧୧ଟା ବେଳେ ଫେରାଇ ଆଣିବାକୁ ପ୍ରେମିକାଙ୍କ ଗ୍ରାମକୁ ଯାଇଥିଲେ। ହେଲେ ପୂର୍ବରୁ ପ୍ରସ୍ତୁତ ହୋଇ ଥିବା ତାଙ୍କ ପରିବାର ଓ ସଂପର୍କୀୟମାନେ ଯୁବକଙ୍କୁ ଏକ ନଡ଼ିଆ ଗଛରେ ବାନ୍ଧି ନିର୍ଧୂମ ମାଡ଼ ମାରିଥିଲେ।

ଗ୍ରାମର ବହୁ ଲୋକଙ୍କ ଆଗରେ ଯୁବକଙ୍କୁ ମାଡ଼ ମରା ଯାଇଥିଲେ ହେଁ କେହି ମୁହଁ ଖୋଲିନଥିଲେ। ଯୁବକମାନେ ଏହାର ଏକ ଦୃଶ୍ୟ ମୋବାଇଲରେ ରେକର୍ଡ କରିଥିଲେ। ଘଟଣାସ୍ଥଳରୁ ତାଙ୍କ ସହ ଆସିଥିବା ଅନ୍ୟ ଦୁଇ ଯୁବକ ଖସି ପଳାଇଥିଲେ। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ପୁଲିସ ଘଟଣାର ଆପୋସ ସମାଧାନ କରାଇ ଆକ୍ରମଣକାରୀଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର