ବନ୍ଧ ନୃତ୍ୟରେ ବିଭୋର୍‌ ଦର୍ଶକ

ଓଡ଼ିଆ ନବବର୍ଷ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ଆୟୋଜିତ ‘ଓଡ଼ିଆ ନବବର୍ଷ ମହୋତ୍ସବ’ର ଆଜି ଥିଲା ଦ୍ୱିତୀୟ ସନ୍ଧ୍ୟା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବିଧାୟକ ଦେବୀପ୍ରସାଦ ମିଶ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ୟାମାମଣୀ ଦେବୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂସ୍କୃତି ବିଭାଗର ସଚିବ ମନୋରଂଜନ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଦ୍ୱିତୀୟ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ରଘୁରାଜପୁରର ଦଶଭୁଜା ଗୋଟିପୁଅ ଓଡ଼ିଶୀ ନୃତ୍ୟ ପରିଷଦ ପକ୍ଷରୁ ଗୁରୁ ବନ୍ଦନା ଓ ବନ୍ଧ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ ଢଣ କୋଇଲା ଲୋକନୃତ୍ୟ ପରିବେଷିତ ହୋଇଥିଲା। ଶେଷାର୍ଧରେ କଣ୍ଠଶିଳ୍ପୀ ବିଭୂକିଶୋର ସପନର ସୌଦାଗର…, ତୋରି ପାଇଁ…ଭଳି ଓଡ଼ିଆ ହିଟ୍‌ ସଂଗୀତ ଭେଟି ଦେଇ ଶ୍ରୋତାଙ୍କ ମନୋରଂଜନ କରିଥିଲେ। କଣ୍ଠଶିଳ୍ପୀ ପୂର୍ଣ୍ଣଚନ୍ଦ୍ର, ସ୍ୱପ୍ନା ଓ ଲୋପାମୁଦ୍ରା ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ନୀଳମାଧବ ପାଣିଗ୍ରାହୀଙ୍କ ରଚିତ କବିତା, ପ୍ରବନ୍ଧ ଓ ସଂଗୀତ ସଂକଳନ, ସାରଦା ପ୍ରସନ୍ନ ମିଶ୍ରଙ୍କ ୩୪ଟି ଗଳ୍ପକୁ ନେଇ ପ୍ରସ୍ତୁତ ପୁସ୍ତକ ଉନ୍ମୋଚିତ ହୋଇଥିଲା। ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ମୃତ୍ୟୁଞ୍ଜୟ ରଥ ଓ ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସକାଳେ ରାଜ୍ୟ ଅଭିଲେଖାଗାରରେ ଓଡ଼ିଶା ସାହିତ୍ୟ ଏକାଡେମି ପକ୍ଷରୁ ‘ଓଡ଼ିଶାରେ ଶିବ ଉପାସନା’ ଶୀର୍ଷକ ଆଲୋଚନାଚକ୍ର କରାଯାଇଥିଲା।

ସମ୍ବନ୍ଧିତ ଖବର