ଅଟୋ ଓଲଟି ନାବାଳିକା ମୃତ: ବାପା, ମା’ ଗୁରୁତର

ବାଣପୁର: ଆଜି ରାତି ପ୍ରାୟ ସାଢ଼େ ୯ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଅନନ୍ତକିଆରି ଛକରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ୩ ବର୍ଷୀୟ ନାବାଳିକାଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ବାପାମା’ ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଭୁବନେଶ୍ବର ଶିରିପୁର ଶବର ସାହିରେ ରହୁଥିବା ସୁକାନ୍ତ ଦେହୁରୀ ଆଜି କୌଣସି ଏକ କାର୍ଯ୍ୟରେ ନିଜ ପତ୍ନୀ ଓ ୩ ବର୍ଷର ଝିଅ ଶୁଭଶ୍ରୀଙ୍କୁ ନେଇ ବାଣପୁର ଥାନା ଅନ୍ତର୍ଗତ ତୁମ୍‌ରାପୁଟ୍‌ ଅଞ୍ଚଳକୁ ଯାଇଥିଲେ। ଭୁବନେଶ୍ବର ଫେରିବା ପାଇଁ ସେଠାରୁ ଏକ ଅଟୋ ଯୋଗେ ବାଣପୁରକୁ ଆସୁଥିଲେ। ବାଣପୁର ଥାନା ଅନ୍ତର୍ଗତ ଅନନ୍ତକିଆରି ଛକ ନିକଟରେ ଭାରସାମ୍ୟ ହରାଇ ଅଟୋଟି ରାସ୍ତକଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ଶୁଭଶ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଅପରପକ୍ଷେ ସୁକାନ୍ତ ଓ ତାଙ୍କ ପତ୍ନୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର