ପେଟ୍ରୋଲ ପମ୍ପ ମ୍ୟାନେଜର୍‌ଙ୍କ ଉପରେ ଅଟୋ ଚଢ଼ାଇ ଚାଳକ ଗିରଫ

ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ, ପ୍ଲଟ ଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ, ଯୁବକ ଗିରଫ

ଭୁବନେଶ୍ବର : ପେଟ୍ରୋଲ ପମ୍ପ ମ୍ୟାନେଜର୍‌ଙ୍କ ଉପରେ ଅଟୋ ଚଢ଼ାଇ ଦେବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ କଟକ ରୋଡ୍‌ସ୍ଥିତ ବୁଦ୍ଧନଗର ଅଞ୍ଚଳର ଅର୍ଜୁନ ସାହୁ(୨୬)କୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ ଅଟୋ ଜବତ କରିଛି। ପୁଲିସ ସୂଚନା ମୁତାବକ, ଗତ ୧୮ ତାରିଖ ସନ୍ଧ୍ୟାରେ ଅର୍ଜୁନ ଅଟୋରେ ତେଲ ଭରିବା ପାଇଁ ରାଜଭବନ ନିକଟ ପେଟ୍ରୋଲ୍‌ ପମ୍ପକୁ ଆସିଥିଲା। ସେଠାରେ ଭାରସାମ୍ୟ ହରାଇ ଆଗରେ ଥିବା ଏକ କାର୍‌କୁ ଧକ୍କା ଦେଇଥିଲା। ଏନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହେବାରୁ ଅର୍ଜୁନ ରାଗି ଯାଇ କାର୍‌ ଚାଳକଙ୍କୁ ମାଡ଼ ମାରିଥିଲା। ପେଟ୍ରୋଲ ପମ୍ପ କର୍ମଚାରୀ ପ୍ରମୋଦ ସ୍ବାଇଁ ଅର୍ଜୁନକୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କୁ ମଧ୍ୟ ଛାଡ଼ି ନଥିଲା। ଏହା ଦେଖି ପେଟ୍ରୋଲ ପମ୍ପର ମ୍ୟାନେଜର୍ ଯୋଗେଶ ଦଳେଇ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। କିନ୍ତୁ ସେତେବେଳେକୁ ଫେରାର୍‌ ହେବାକୁ ଉଦ୍ୟମ କରୁଥିବା ଅର୍ଜୁନ ତାଙ୍କ ଉପରେ ଅଟୋ ଚଢ଼ାଇ ପଳାଇଥିଲା। ଏଥିରେ ଯୋ‌ଗେଶଙ୍କ ଡ଼ାହାଣ ଗୋଡ଼ ଭାଙ୍ଗି ଯାଇଥିଲା।

ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରି ୨ ଗିରଫ

ଚନ୍ଦ୍ରଶେଖରପୁର : ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତଦ୍ବୟ ହେଲେ, ହରେକୃଷ୍ଣ ବସ୍ତିର ବଳରାମ ପାରା ଓ ନିରଞ୍ଜନ ସାହୁ। ଗତକାଲି ବିଦ୍ୟୁତ୍ ବିଭାଗ କର୍ମଚାରୀ ମଙ୍ଗୁଳୁ ଖାନ୍ ମରାମତି କାର୍ଯ୍ୟ ପାଇଁ ଉକ୍ତ ବସ୍ତିକୁ ଯାଇଥିବା ବେଳେ ଅଭିଯୁକ୍ତଦ୍ବୟ ତାଙ୍କ ସହ ବଚସା କରିଥିଲେ। ପରେ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏନେଇ ମଙ୍ଗୁଳୁ ଥାନାରେ ଅଭିଯୋଗ କରିଥିଲେ।

ପ୍ଲଟ ଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ, ଯୁବକ ଗିରଫ

ଭୁବନେଶ୍ବର : ପ୍ଲଟ ଦେବା ନାଁରେ ୪ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା, ଶାସ୍ତ୍ରୀନଗର ଅଞ୍ଚଳର କେଭି ଅଖିଲ(୨୨)। ୪ ମାସ ତଳେ ଅଖିଲ କଟକ ଅଞ୍ଚଳର ଅଜୟ ପାଢ଼ୀଙ୍କୁ ଶାସ୍ତ୍ରୀନଗର ଅଞ୍ଚଳ‌‌ରେ ଏକ ପ୍ଲଟ୍‌ ଦେବାକୁ କହିଥିଲା। ଏଥିପାଇଁ ସେ ଅଜୟଙ୍କଠାରୁ ଅଗ୍ରୀମ ୪ଲକ୍ଷ ଟଙ୍କା ନେଇଥିଲା। ଜମି ଦେଖିବା ପାଇଁ ଅଜୟ ତାକୁ ବାରମ୍ବାର ଫୋନ୍‌ କରିଥି‌‌ଲେ ହେଁ ସେ ଉତ୍ତର ଦେଇନଥିଲା। ଧରାଛୁଆଁ ନ ଦେବାରୁ ଟଙ୍କା ଫେରାଇବା ପାଇଁ ଅଜୟ ତାକୁ ମେସେଜ୍‌ କରିଥିଲେ। କିନ୍ତୁ ଇତିମଧ୍ୟରେ ୪ ମାସ ବିତି ଯାଇଥିଲେ ବି ନା ସେ ଜମି ଦେଇଥିଲା ନା ଟଙ୍କା ଫେରାଇଥିଲା। ତେବେ ଗତ ୧୮ ତାରିଖରେ ଅଜୟ ତାକୁ ଚତୁରତାର ସହ ହୋଟେଲ୍‌ ମେ’ ଫେୟାରକୁ ଡକାଇଥିଲେ। ସେଠାରେ ଟଙ୍କା ଫେରାଇବା ନେଇ ଆଲୋଚନା କରିବାରୁ ଅଖିଲ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲା। ଏନେଇ ଅଜୟ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର