ଜୀବନ ଗଲା ପରେ ଚେତା ପଶିଲା, କଟାଗଲା ତାର ଲାଗିଥିବା ଗଛ

ଭୁବନେଶ୍ବର: ରବିବାର ପାଲ୍‌ ହାଇଟସ୍‌ ନିକଟ ଗଛରୁ ଆମ୍ବ ତୋଳିବା ବେଳେ କନ୍ଧମା‌ଳ ଜିଲା ଟିକାବାଲି ଅଞ୍ଚଳର ଲକ୍ଷ୍ମଣ ପ୍ରଧାନ (୫୦)ଙ୍କ ଜୀବନ ଚାଲିଗଲା। ବିୁଦ୍ୟତ୍‌ ଆଘାତ ଯୋଗୁଁ ତାଙ୍କ ଜୀବନ ଯିବାପରେ ବିଦ୍ୟୁତ୍‌ ବିଭାଗର ଚେତା ପଶିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ତାରକୁ ଲାଗି ରହିଥିବା ଗଛଗୁଡ଼ିକୁ କଟାଯାଉଛି। ତେବେ ଏଭଳି ତତ୍ପରତା ରୀତିମତ ଜାରି ରହିଥିଲେ ଜଣଙ୍କ ଜୀବନ ଏପରି ଅକାଳରେ ଝଡ଼ି ପଡ଼ି ନଥା’ନ୍ତା ବୋଲି ଆଲୋଚନା ହେଉଛି। ରାଜଧାନୀର ବିଭିନ୍ନ ସ୍ଥାନରେ ଗଛକୁ ବିଦ୍ୟୁତ୍‌ ତାର ଲାଗି ରହିଛି। କେଉଁଠି ରାସ୍ତା ମଝିରେ ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍‌ ଖୁଣ୍ଟ ମଧ୍ୟ ରହିଛି। ସେହିପରି ଅନେକ ସ୍ଥାନରେ ଟ୍ରାନ୍ସଫର୍ମର ମୁକୁଳା ପଡ଼ିଛି। ଯାହାକି ବିପଦ ସୃଷ୍ଟି କରୁଛି। ବିଭିନ୍ନ ସମୟରେ ମୁକୁଳା ଟ୍ରାନ୍ସଫର୍ମର ଯୋଗୁଁ ବିଦ୍ୟୁତ୍‌ ଆଘାତରେ ଗୋରୁ ମୃତ୍ୟୁ କରିଥିବା ନଜିର ମଧ୍ୟ ରହିଛି। ହେଲେ ଏଥିପ୍ରତି କାହାରି ନଜର ନାହିଁ। ଯାହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଲୋକେ ପ୍ରତିକ୍ରିୟା ପ୍ରକାଶ କରିବା ସହ ଅସନ୍ତୋଷ ମଧ୍ୟ ଜାହିର କରିଛନ୍ତି। ପୁଣି କେ‌ହି କେହି ସ୍ଥାନୀୟ ଅଞ୍ଚଳରେ ଥିବା ବିଦ୍ୟୁତ୍‌ ବିଭାଗ ଅଫିସ ସମ୍ମୁଖରେ ପ୍ରତିବାଦ କରିବା ସହ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଭେଟି ଦାବି ମଧ୍ୟ କରିଛନ୍ତି। ନିୟମିତି ଭାବେ ବିଦ୍ୟୁତ୍‌ ତାର, ଖୁଣ୍ଟି ବା ଟ୍ରାନ୍ସଫର୍ମର ତଦାରଖ ନ କରିବା କିଭଳି ବିପଦକୁ ନିମନ୍ତ୍ରଣ କରେ ତାହା ରବିବାର ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର