ଇଣ୍ଡୋ ଅଙ୍କୋଲୋଜି ସମିଟ୍, ୭ଟି ଲକ୍ଷଣ ପ୍ରତି ସତର୍କ ରହିଲେ କର୍କଟକୁ ଦୂରେଇ ହେବ
କର୍କଟ ରୋଗ ନିୟନ୍ତ୍ରଣ ପାଇଁ ଗବେଷଣା ଜାରି ରହୁ
ଭୁବନେଶ୍ବର: କର୍କଟ ରୋଗର ଚିକିତ୍ସା ସମ୍ବନ୍ଧୀୟ ଆଲୋଚନାଚକ୍ର ‘ଇଣ୍ଡୋ ଅଙ୍କୋଲୋଜି ସମିଟ୍’ ଅନୁଷ୍ଠିତ ହୋଇଯାଇଛି। ‘ବାୟୋଲିଗ୍ସ’ ପକ୍ଷରୁ ସ୍ବସ୍ତି ପ୍ରିମିୟମ୍ରେ ଅନୁଷ୍ଠିତ ୩ ଦିନିଆ ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉଦ୍ଘାଟନ କରି କହିଲେ, ପୋଲିଓ ଭଳି ରୋଗକୁ ନିୟନ୍ତ୍ରଣ କରିବାରେ ଆମେ ସଫଳ ହୋଇପାରିଛେ। ସେହିପରି କର୍କଟକୁ ନିୟନ୍ତ୍ରଣ କରିବା ପାଇଁ ଗବେଷଣା ଜାରି ରଖିବା ଉଚିତ୍। ଏଥିସହ ସେ ଡାକ୍ତଙ୍କୁ ପୂଜାରୀ ଓ ସୈନିକ ଭାବେ ତୁଳନା କରିଥିଲେ। ସେ ଏକଥା ମଧ୍ୟ କହିଲେ, ଯେତେ ମେଡିସିନ୍ ଖାଇଲେ ମଧ୍ୟ ଡାକ୍ତରଙ୍କଠାରୁ ଯଦି ଉଚିତ୍ ପରାମର୍ଶ ମିଳିନଥିବ ତେବେ ଏହା କାଟୁ କରିବ ନାହିଁ। ତେଣୁ ଡାକ୍ତରଟିଏ କୌଣସି ଭେଦଭାବ ନରଖି ରୋଗୀକୁ ପରାମର୍ଶ ଦେବା ଉଚିତ୍ ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ପ୍ରଫେସର ସୁରେନ୍ଦ୍ରନାଥ ସେନାପତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, କେବଳ ଆଚାର୍ଯ୍ୟ ହରିହର କେନ୍ଦ୍ରରେ ୨୦୧୮-୧୯ ବର୍ଷରେ ୧୯ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ୬୦ ହଜାର ପୁରୁଣା ରୋଗୀ ଚିକିତ୍ସିତ ହୋଇଛନ୍ତି। ଏହି ସଂଖ୍ୟା ଧୀରେଧୀରେ ବଢ଼ି ଚାଲିଛି। ବିଶେଷକରି ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଥିବା ବେଳେ କର୍କଟ ରୋଗ ଚିକିତ୍ସାସାଧ୍ୟ। ମାତ୍ର ପ୍ରଥମ ଦୁଇ ପର୍ଯ୍ୟାୟରେ ଆମେ କର୍କଟ ରୋଗକୁ ଚିହ୍ନଟ କରିବାରେ ବିଫଳ ହେଉଥିବାରୁ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି। ବିଭିନ୍ନ ଲକ୍ଷଣ ଯଥା କଳାଜାଇ ବହୁଦିନ ପର୍ଯ୍ୟନ୍ତ ଖଣ୍ଡିଆ ହୋଇ ରକ୍ତ ବାହାରିବା, ସ୍ତନରେ ଆବୁ ହେବା, ଅହେତୁକ ଋତୁସ୍ରାବ, ତଣ୍ଟି ବସିଯାଇ ଦୀର୍ଘ ଦିନ କାଶ ହେବା, ପରିସ୍ରାରେ ବାରମ୍ବାର ରକ୍ତ ପଡ଼ିବା, ବଦହଜମୀ ଲାଗି ରହିବା ଓ ଝାଡ଼ାରେ ବାରମ୍ବାର ରକ୍ତ ପଡ଼ିବା ଆଦି ପ୍ରଥମ କିମ୍ବା ଦ୍ବିତୀୟ ପର୍ଯ୍ୟାୟର କର୍କଟ ରୋଗର ଲକ୍ଷଣ ହୋଇପାରେ। ନ ହୋଇ ବି ପାରେ। ତେଣୁ ୭ଟି ଲକ୍ଷଣ ମଧ୍ୟରୁ କୌଣସି ଗୋଟିଏ ବି ଲକ୍ଷଣ ଦେଖାଗଲେ ଚିକିତ୍ସା ସମ୍ବନ୍ଧୀୟ ପରାମର୍ଶ କଲେ କର୍କଟ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇପାରନ୍ତା ବୋଲି ସେ କହିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ପର୍ଶ ହସ୍ପିଟାଲ୍ର ଡାକ୍ତର ଘନଶ୍ୟାମ ବିଶ୍ବାସ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାୟୋଲିଗ୍ସର ପ୍ରତିଷ୍ଠାତା ରୁଦ୍ରଭାନୁ ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।