ହୋମିଓପାଥି ଉପରେ ବ୍ୟାପକ ସଚେତନତା ଲୋଡ଼ା

ହୋମିଓପାଥି ଡ୍ରଗିଷ୍ଟ ଆସୋସିଏସନ୍‌ ପକ୍ଷରୁ ହ୍ୟାନିମାନ୍‌ ଜୟନ୍ତୀ

ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଏଲୋପାଥି ଔଷଧ କିଣିବାକୁ ଅସମର୍ଥ। ହୋମିଓପାଥିକ୍‌ ଔଷଧ କମ୍‌ ମୂଲ୍ୟରେ ମିଳେ ଓ ଏହି ଚିକିତ୍ସା ଦ୍ୱାରା ବହୁ ରୋଗ ଉପଶମ ହୋଇପାରୁଛି। ତେଣୁ ହୋମିଓପାଥି ଉପରେ ବ୍ୟାପକ ଜନସଚେତନତା ଲୋଡ଼ା। ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷା ଓ ତାଲିମ୍‌ ପ୍ରଦାନ କରାଯାଇ ହୋମିଓପାଥିକ୍‌କୁ ଏକ ଶକ୍ତିଶାଳୀ ବିକଳ୍ପ ଭାବେ ଗଢ଼ିବାକୁ ସରକାରଙ୍କର ବି ଗୁରୁ ଦାୟିତ୍ୱ ରହିଛି। ଓଡ଼ିଶା ହୋମିଓପାଥିକ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ଆଜି ସାମୁଏଲ ହ୍ୟାନିମାନ୍‌ଙ୍କ ୨୬୩ତମ ଜୟନ୍ତୀ ଓ ବିଶ୍ୱ ହୋମିଓପାଥିକ୍‌ ଦିବସ ପାଳନ ଅବସରରେ ଏପରି ମତପ୍ରକାଶ ପାଇଛି। ଜୟଦେବ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି ଯୋଗ ଦେଇଥିଲେ। ଅତିଥି ଭାବେ ଆୟୂଷ ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଯୋଗ ଦେଇ କହିଥିଲେ, ହୋମିଓପାଥି ଉପରେ ଦେଶର କୋଟି କୋଟି ଲୋକଙ୍କ ଆଶା ଓ ବିଶ୍ୱାସ ରହିଛି। ହୋମିଓପାଥିକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରାର ଗ୍ରହଣ କରି ଔଷଧର ମାନ୍ୟତା ଦେଇଛନ୍ତି। ଅନ୍ୟତମ ଅତିଥି ଭାବେ ଭେଷଜ ଉପ ନିୟନ୍ତ୍ରକ ମାମାନି ପଟ୍ଟନାୟକ କହିଥିଲେ, ହୋମିଓପାଥି ଔଷଧର କୌଣସି ପାର୍ଶ୍ୱପ୍ରତିକ୍ରିୟା ନାହିଁ। ତେବେ ସଚେତନତା ଓ ପ୍ରଚାର ମାଧ୍ୟରେ ହୋମିଓପାଥିର ବ୍ୟବହାର ଓ ଉପକାର ବିଷୟରେ ଲୋକଙ୍କୁ ଅବଗତ କରାଯିବାର ଆବଶ୍ୟକତା ରହିଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ହୋମିଓପାଥି ଚିକିତ୍ସକ ପ୍ରଭାତ କୁମାର ପଟ୍ଟନାୟକ ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଯୋଗ ଦେଇ ହୋମିଓପାଥିର ଉପକାରିତା ଓ ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ।

ଏହି ଅବସରରେ ଯଶୋବନ୍ତ ଜେନାଙ୍କୁ ଡାକ୍ତର ଓ୍ଵାଇ ସାହୁ ସ୍ମୃତି ସମ୍ମାନରେ ସମ୍ମାନିତ କରାଗଲା। ପ୍ରତିବର୍ଷ ପରି ହୋମିଓପାଥି କଲେଜର ଟପ୍ପର୍‌ମାନଙ୍କୁ କୃଷ୍ଣଚନ୍ଦ୍ର ଜେନା ମେମୋରିଆଲ ଆଓ୍ଵାର୍ଡ ଓ ସମସ୍ତ ଫାର୍ମାସି ଟପ୍ପର୍‌ଙ୍କୁ କ୍ୟାସପର୍‌ ଆଓ୍ଵାର୍ଡରେ ସମ୍ମାନିତ କରାଗଲା। ସଂଘର ସଭାପତି ମନୋରଂଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସଂଘର ଉପଦେଷ୍ଟା ଆର୍‌ ଏନ୍‌ ଦତ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ସାଧାରଣ ସଂପାଦକ ଗଗନ ବିହାରୀ ସ୍ୱାଇଁ ସଂପାଦକୀୟ ବିବରଣୀ ପାଠ କରିଥିଲେ ଓ ସଂଗଠନ ସଂପାଦକ ଦିବ୍ୟରଂଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର