ନିରାପଦ ନୁହେଁ ଆୟୁର୍ବେଦିକ ଔଷଧ!

ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଅଚଳାବସ୍ଥା

ଭୁବନେଶ୍ୱର: ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଆୟୁର୍ବେଦିକ ଔଷଧର ବିଷକ୍ରିୟା ଜନିତ ପରୀକ୍ଷା ହେଉନାହିଁ। କେବଳ ମାନ ପରୀକ୍ଷା କରି ଲୋକଙ୍କୁ ଦିଆଯାଉଛି। ତେଣୁ ସରକାରୀ ଆୟୁର୍ବେଦିକ ହସ୍ପିଟାଲ ଓ ଡିସ୍‌ପେନସାରିଗୁଡ଼ିକରେ ରୋଗୀଙ୍କୁ ଦିଆଯାଉଥିବା ଆୟୁର୍ବେଦିକ ଔଷଧ ନିରାପଦ ନୁହେଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଗବେଷଣାଗାରର ବାଇଓକେମିଷ୍ଟ୍ରି ବିଭାଗରେ ସମସ୍ତ ପଦବି ଖାଲି ପଡ଼ିଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି। ବର୍ଷ ବର୍ଷ ଧରି ଏହି ବିଭାଗରେ କୌଣସି ପରୀକ୍ଷା ହେଉନାହିଁ। ରାଜ୍ୟ ସରକାର ଏ ବିଷୟରେ ଅବଗତ ଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ଯାହାକି ରାଜ୍ୟବାସୀଙ୍କୁ ମରଣମୁହଁକୁ ଠେଲି ଦେଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରସ୍ତୁତ ହେଉଥିବା ଆୟୁର୍ବେଦିକ ଔଷଧର ପରୀକ୍ଷା ପାଇଁ ରାଜଧାନୀରେ ରହିଛି ଆୟୁର୍ବେଦିକ ଔଷଧ ପରୀକ୍ଷା ଓ ଗବେଷଣାଗାର। ଏହି ପରୀକ୍ଷାଗାରରେ ବାଇଓକେମିଷ୍ଟ୍ରି, କେମିଷ୍ଟ୍ରି, ବଟାନି ଓ ଆୟୁର୍ବେଦର ପରୀକ୍ଷା ବିଭାଗ ରହିଛି। ଏହି ସବୁ ବିଭାଗ ପାଇଁ ଜଣେ ସାଇଣ୍ଟିଫିକ୍‌ ଅଫିସର ଓ ୨ଜଣ ଆନାଲିଷ୍ଟ ପଦବି ରହିଛି। ସବୁ ବିଭାଗରେ କିଛି କିଛି ପଦବି ଖାଲି ଥିବା ବେଳେ ବାଇଓକେମିଷ୍ଟ୍ରି ବିଭାଗରେ ସମସ୍ତ ପଦବି ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି। ପୂର୍ବରୁ ଏଠାରେ ଜଣେ ସାଇଣ୍ଟିଫିକ ଅଫିସର ଥିଲେ। କିନ୍ତୁ ତାଙ୍କର ବଦଳି ପରେ ଏହା ଖାଲି ହୋଇଯାଇଛି। ରାଜଧାନୀସ୍ଥିତ ସରକାରୀ ଆୟୁର୍ବେଦିକ ହସ୍ପିଟାଲର ଫାର୍ମାସି ଓ ବଲାଙ୍ଗୀରସ୍ଥିତ ହସ୍ପିଟାଲର ଫାର୍ମାସିରେ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରାଯାଉଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରୁ ଡ୍ରଗ୍‌ ଇନ୍‌ସପେକ୍ଟରମାନେ ଜବତ କରୁଥିବା ଔଷଧର ପରୀକ୍ଷା ପାଇଁ ଔଷଧ ପରୀକ୍ଷା ଓ ଗବେଷଣାଗାରକୁ ପଠାଇଥାନ୍ତି। ବର୍ଷକୁ ୫୦୦/୬୦୦ ପ୍ରକାରର ଔଷଧ ଏହି ପରୀକ୍ଷାଗାରରେ ପରୀକ୍ଷା ହୋଇଥାଏ। ଏସବୁ ଔଷଧର ବିଷକ୍ରିୟା ଜନିତ ପରୀକ୍ଷା ଓ ବ୍ୟାକ୍ଟେରିଆ ଉପସ୍ଥିତି ବାଇଓକେମିଷ୍ଟ୍ର ବିଭାଗରେ ପରୀକ୍ଷା ହୋଇଥାଏ। ମାତ୍ର ଏହି ପଦବି ଖାଲି ଥିବାରୁ ଏହି ପରୀକ୍ଷା ହୋଇ ପାରୁନାହିଁ। ଫଳରେ ଆୟୁର୍ବେଦିକ ଔଷଧ ଖାଇବା ଦ୍ୱାରା ଜଣେ ବ୍ୟକ୍ତିଙ୍କଠାରେ କି’ ପ୍ରକାର ପ୍ରତିକ୍ରିୟା ହେବ, ତାହା ପରୀକ୍ଷାଗାରରେ ଜାଣି ହେଉନାହିଁ। ଫଳରେ ଏହି ଔଷଧ ଖାଇବା ଦ୍ୱାରା ଧୀରେ ଧୀରେ ଜଣେ ମୃତ୍ୟୁ ଆଡ଼କୁ ଯେ ଅଗ୍ରସର ହେବ, ସେ କଥାକୁ ଏଡ଼ାଇ ଦିଆଯାଇନପାରେ। ଏଥିପାଇଁ ରାଜ୍ୟ ସରକାରଙ୍କୁ ବହୁବାର ସୂଚନା ଦିଆଯାଇଥିଲେ ହେଁ, ସରକାର ଏହାକୁ ଅଣଦେଖା କରି ଚାଲିଛନ୍ତି ବୋଲି ପରୀକ୍ଷାଗାରର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅପରପକ୍ଷେ ବାଇଓକେମିଷ୍ଟ୍ରି ବିଭାଗରେ ସମସ୍ତ ପଦବି ଖାଲି ପଡ଼ିଥିବାରୁ ଏଥିରେ ଥିବା ବହୁ ଅତ୍ୟାଧୁନିକ ଓ ଦାମୀ ଯନ୍ତ୍ରପାତି ଖତ ଖାଉଛି। ବିଭାଗରେ ବିଓଡି ଇନ୍‌କ୍ୟୁବେଟର, ସେଣ୍ଟ୍ରିଫ୍ୟୁଜ୍‌, ଲାମିନା ଏୟାରଫ୍ଲୋ ବେଞ୍ଚ ଓ ଷ୍ଟେରିଲାଇଜର ଭଳି ଲକ୍ଷାଧିକ ଟଙ୍କାର ଦାମୀ ମେସିନ୍‌ ଅବବହୃତ ହୋଇ ପଡ଼ି ରହିଛି। ସେହିପରି କେମିଷ୍ଟ୍ରି, ବଟାନି ଓ ଆୟୁର୍ବେଦିକ ବିଭାଗରେ ମଧ୍ୟ ସାଇଣ୍ଟିଫିକ୍‌ ଅଫିସରଙ୍କୁ ବାଦ୍‌ ଦେଲେ ଅନ୍ୟ ପଦବିଗୁଡ଼ିକ ମଧ୍ୟ ଦୀର୍ଘ ଦିନ ହେବ ଖାଲି ପଡ଼ିଛି। ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ପୂର୍ବରୁ ମଧ୍ୟ ଏଭଳି ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ବର୍ଷେ ତଳେ ପରୀକ୍ଷାଗାରରେ ସରକାରୀ ଆନାଲିଷ୍ଟ ପଦ ଖାଲି ଥିବାରୁ ପରୀକ୍ଷାଗାରକୁ ଆସୁଥିବା ଔଷଧର ପ୍ରାମାଣିକତା ବା ସାର୍ଟିଫିକେସନ୍‌ ହୋଇପାରି ନ ଥିଲା। ଫଳରେ ମାସ ମାସ ଧରି ପରୀକ୍ଷାଗାରରେ ପରୀକ୍ଷା ପାଇଁ ଆସିଥିବା ଔଷଧଗୁଡ଼ିକ ପଡ଼ି ରହିଥିଲା। ତେବେ ଏହାର ସମାଧାନ ହୋଇଥିଲେ ହେଁ ବାଇଓକେମିଷ୍ଟ୍ରି ବିଭାଗରେ ରହିଥିବା ସମସ୍ୟାର ସମାଧାନ ହୋଇପାରି ନାହିଁ। ରାଜ୍ୟ ଔଷଧ ପରୀକ୍ଷା ଓ ଗବେଷଣାଗାରରେ ଅଚଳାବସ୍ଥା ସଂପର୍କରେ ରାଜ୍ୟ ଆୟୁଷ ନିର୍ଦେଶକ ଜି. ଶତପଥୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର