ଡାକ୍ତରଖାନାରେ ମିଳିବ ଆୟୁର୍ବେଦିକ ଔଷଧ, କୋଟି କୋଟି ଟଙ୍କାର ଔଷଧ ବିତରଣକୁ ନେଇ ଚିନ୍ତାରେ ଆୟୁଷ ନିର୍ଦେଶାଳୟ

ଭୁବନେଶ୍ବର: ଦୀର୍ଘ ୮ ବର୍ଷ ପରେ ରାଜ୍ୟର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରଙ୍କ ନିକଟରେ ପହଞ୍ଚିବ ଔଷଧ। କିଛି ଦିନ ପୂର୍ବରୁ ବାହାରୁ ଆୟୁର୍ବେଦିକ ଔଷଧ କିଣିବା ଲାଗି ଆୟୁଷ ନିର୍ଦେଶାଳୟ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଔଷଧ ରାଜ୍ୟରେ ପହଞ୍ଚିଛି। ଖୁବ୍‌ଶୀଘ୍ର ଔଷଧକୁ ରାଜ୍ୟର ବିଭିନ୍ନ ପିଏଚ୍‌ସି ଓ ସିଏଚ୍‌ସି‌କୁ ବିତରଣ କରାଯିବ। ଅପରପକ୍ଷରେ ଆୟୁଷ ନିର୍ଦେଶକ ନ ଥିବାରୁ କୋଟି କୋଟି ଟଙ୍କାର ଔଷଧକୁ କିଭଳି ବିତରଣ କରାଯିବ, ତାହାକୁ ନେଇ ନିର୍ଦେଶାଳୟ ଚିନ୍ତାରେ ପଡ଼ିଛି। ୨୦୧୨ ମସିହାଠାରୁ ରାଜ୍ୟରେ ଥିବା ପିଏଚ୍‌ସି ଓ ସିଏଚ୍‌ସିକୁ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷ ଔଷଧ କିଣିବା ଲାଗି ୩୨କୋଟି ଟଙ୍କା ପ୍ରଦାନ କରାଯାଇଥିଲେ ହେଁ ବିଭିନ୍ନ କାରଣରୁ ଏହାର ଟେଣ୍ଡର୍‌ ହୋଇପାରି ନ ଥିଲା। ଫଳରେ ସରକାରୀ ଡାକ୍ତରଖାନାରେ ଆୟୁର୍ବେଦିକ ଔଷଧ ଯୋଗାଣ ବନ୍ଦ ହୋଇଯାଇଥିଲା। ଔଷଧ ଯୋଗାଣ ବନ୍ଦ ହୋଇଯିବା ପରେ ଆୟୁଷ ଡାକ୍ତର ଏକପ୍ରକାର ହାତ ବାନ୍ଧି ବସିଥିଲେ।

ଔଷଧ କିଣିବା ପାଇଁ ନିର୍ଦେଶାଳୟରେ ଛକାପଞ୍ଝା ଚାଲିବା ପରେ ଗତବର୍ଷ ୭ କୋଟି ୫୪ ଲକ୍ଷ ଟଙ୍କାର ଆୟୁର୍ବେଦିକ ଔଷଧ କିଣିବା ଲାଗି ଟେଣ୍ଡର୍‌ ଆହ୍ବାନ କରାଯାଇଥିଲା। ଏଥିରେ ଯୋଗରାଜ ଗୁଗୁଳ, କୈଶୁର, ଅଭିପତିର ଚୂର୍ଣ୍ଣ, ଆରୋଗ୍ୟ ବର୍ଧନି ବଟି ଭଳି ଔଷଧକୁ ମିଶାଇ ସମୁଦାୟ ୧୦ଟି ପ୍ରକାରର ଔଷଧ କିଣିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏବେ ଗୋଟିଏ କମ୍ପାନି ପକ୍ଷରୁ ଆବଶ୍ୟକ ଔଷଧ ରାଜ୍ୟରେ ପହଞ୍ଚିଛି। ଆସନ୍ତା ୧ ମାସ ଭିତରେ ରାଜ୍ୟର ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିକୁ ଏହି ଔଷଧ ଯୋଗାଣ ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ୧୪୯୪ଟି ଡିସ୍‌ପେନସାରିରେ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି। ଆଗକୁ ଆହୁରି ୪/୫ଟି କମ୍ପାନିର ଔଷଧ ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ରାଜ୍ୟ ଆୟୁଷ ନିର୍ଦେଶକ ପଦ ଏବେ ଖାଲି ପଡ଼ି ଥିବାରୁ କୋଟି କୋଟି ଟଙ୍କାର ଆୟୁର୍ବେଦିକ ଔଷଧ ବିତରଣକୁ ନେଇ ଚିନ୍ତାରେ ପଡ଼ିଛି ନିର୍ଦେଶାଳୟ। କିଭଳି ଢଙ୍ଗରେ ଏହି ଔଷଧ ବିତରଣ କରାଯିବ, ତାହା କର୍ମଚାରୀଙ୍କ ପାଇଁ ସମସ୍ୟା ଆଣି ଦେଇଛି। ଗତବର୍ଷ ଅଗଷ୍ଟ ମାସଠାରୁ ଆୟୁଷ ନିର୍ଦେଶକ ପଦ ଖାଲି ପଡ଼ିଥିଲା। ତେବେ ଗତ ଡିସେମ୍ବରରେ ସରକାରଙ୍କ ପକ୍ଷରୁ ଭି.ଜୟ କୁମାରଙ୍କୁ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଥିଲା। ମାତ୍ର ସେ ଏ ପର୍ଯ୍ୟନ୍ତ ନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିନାହାନ୍ତି। ଆଗକୁ ଦାୟିତ୍ବ ଗ୍ରହଣ କରିବେ କି ନାହିଁ, ତାହା ମଧ୍ୟ ଦ୍ବନ୍ଦ୍ବରେ ରହିଛି। ଫଳରେ ରାଜ୍ୟରେ ଆୟୁଷ ଏକପ୍ରକାର ଅନ୍ଧାରରେ ରହିଛି। ଖୁବଶୀଘ୍ର ନିର୍ଦେଶକଙ୍କୁ ନିଯୁକ୍ତ କରାଗଲେ, ଆୟୁଷ ସେବାରେ ଉନ୍ନତି ଆସିପାରିବ ବୋଲି ଓଡ଼ିଶା ସରକାରୀ ଆୟୁର୍ବେଦିକ ଚିକିତ୍ସକ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର