୧୦ ବର୍ଷର ବେଆଇନ କବ୍‌ଜା, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ବିଏଏର ବେଖାତିର

ଏବେ ଆଇଜିଆର୍‌ ଆମ ପ୍ରତିବଂଧକ: ସୌର୍ଯ୍ୟ

ଭୁବନେଶ୍ବର: ଦୀର୍ଘ ୧୦ ବର୍ଷ ଧରି ବେଆଇନଭାବେ ସଂଘକୁ କବ୍‌ଜା କରି ରଖିଲେ। ଯେବେ ସେମାନଙ୍କ ଆବେଦନ ଖାରଜ ହୋଇ ଗଲା, ତୁରନ୍ତ ନିର୍ବାଚନ କରାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଲେ, ସେତେବେଳେ ତା’କୁ ମଧ୍ୟ ଖାତିର କରୁ ନାହନ୍ତି ଭୁବନେଶ୍ବର ଆଥ୍‌ଲେଟିକ୍ ଆସୋସିଏସନ୍‌ (ବିଏଏ)। ଗତ ସେପ୍‌ଟେମ୍ବର ୨୩ ତାରିଖ ଦିନ ଓଡ଼ିଶା ହାଇକୋର୍ଟ ଏହି ଚୂଡ଼ାନ୍ତ ନି‌ର୍ଦେଶ ଦେଇଥିଲା ବେଳେ ତାକୁ ଏବେ ୫ ମାସ ପୂରିବାକୁ ବସିଲାଣି। କିନ୍ତୁ ଅଗଣତାନ୍ତ୍ରିକ ଭାବେ କ୍ଷମତାରେ ରହିବାରେ ଅଭ୍ୟସ୍ତ ହୋଇ ସାରିଥିବା ସଂଘର କର୍ମକର୍ତ୍ତାଙ୍କୁ ହାଇକୋର୍ଟ ନିର୍ଦ୍ଦେଶର ବି କିଛି ଫରକ ପଡ଼ୁ ନାହିଁ। ନିର୍ଦେଶ ଆସିବାର ୫ ମାସ ପୂରିବାକୁ ବସିଥିଲେ ବି ନିର୍ବାଚନ ନେଇ କୌଣସି ଉପକ୍ରମ ହେଉଥିବା ନଜରକୁ ଆସୁ ନାହିଁ। ଏପରିକି ସଂଘର ସାଧାରଣ ପରିଷଦ ବୈଠକ ଡାକିବାର ସତ୍‌ସାହସ ବି ଦେଖାଉ ନାହାନ୍ତି। ସାଧାରଣ ପରିଷଦ ବସିଲେ ସଦସ୍ୟମାନେ ନିର୍ବାଚନ ପାଇଁ ଦାବି କରିବାର ଭୟ ସେମାନଙ୍କୁ ଘାରିଛି।

ଏବେ ଆଇଜିଆର୍‌ ଆମ ପ୍ରତିବଂଧକ: ସୌର୍ଯ୍ୟ
ଭୁବନେଶ୍ବର: ଅଦାଲତ ଅବମାନନା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜା। ଉଚ୍ଚତମ ନ୍ୟାୟାଳୟ ନିର୍ଦେଶ ପରେ ଏବେ ଆମେ ଆଇଜିଆର୍‌ (ଇନ୍ସସ୍ପେକ୍ଟର ଜେନେରାଲ୍ ଅଫ୍ ରେଜିଷ୍ଟ୍ରେସନ୍ସ, ଓଡ଼ିଶା)ଙ୍କ ପ୍ରତିବଂଧକର ସମ୍ମୁଖୀନ ହୋଇଛୁ। ଏଠାରେ ଥିବା କେତେକ ଜଟିଳତାକୁ ଦୂର କରାଯିବା ପରେ ଯଥାସମ୍ଭବ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଡକ୍ଟର ପରିଜା ପ୍ରକାଶ କରିଛନ୍ତି। ଭୁବନେଶ୍ବର ଦୌଡ଼କୁଦ ସଂଘ (ବିଏଏ) ସମ୍ପର୍କରେ ଆଇଜିଆର୍‌ ପକ୍ଷରୁ ମୋଟ ୧୭ଟି ବିଭିନ୍ନ ଆବଶ୍ୟକତା ମଗାଯାଇଛି। ପ୍ରତିଷ୍ଠାତା ସଦସ୍ୟ, ଅନୁଷ୍ଠାନର ସ୍ଥାୟୀ ଗୃହ ଠିକଣା, ଜୀବିତ ଓ ମୃତ ସଦସ୍ୟଙ୍କ ତାଲିକା ଆଦି ଏଥିରେ ପ୍ରମୁଖ ରହିଛି‌ ବୋଲି ସେ ପ୍ରକାଶ କରିଛନ୍ତି।

୨୦୦୭ ମସିହା ସେପ୍‌ଟେମ୍ବର ୨ ତାରିଖରେ ଶେଷଥର ପାଇଁ ବିଏଏର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବର୍ତ୍ତମାନର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସଭାପତି ଏବଂ ଡ. ସୌର୍ଯ୍ୟରଂଜନ ପରିଜା ସଂପାଦକଭାବେ ନିର୍ବାଚିତ ହୋଇଥିଲେ। ବିଏଏ ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ୨ ବର୍ଷିଆ ହୋଇଥିବାରୁ ୨୦୦୯ ମସିହା ସେପ୍‌ଟେମ୍ବର ପହିଲା ସୁଦ୍ଧା ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଯିବା କଥା। କିନ୍ତୁ କୌଣସି କାରଣ ନଥାଇ ଠିକ୍ ସମୟରେ ନିର୍ବାଚନ କରାଗଲା ନାହିଁ। ବର୍ଷକୁ ଥରଟିଏ ସାଧାରଣ ପରିଷଦ ବୈଠକ ହେବା କଥା। କିନ୍ତୁ ତାହା ବି ହେଲା ନାହିଁ। ଏହାପରେ ନିର୍ବାଚନ କରାଇବାକୁ ସଦସ୍ୟମାନେ ଜୋରଦାର ଦାବି କରିବା ସହ ସାଧାରଣ ପରିଷଦ ବୈଠକ ଡାକିବାକୁ ଦସ୍ତଖତ ସଂଗ୍ରହ କରି ସଭାପତିଙ୍କୁ ଦେଇଥିଲେ। ଫଳରେ ୨୧ ମାର୍ଚ୍ଚ ୨୦୧୦ରେ ଗୋଟିଏ ଥର ପାଇଁ ସାଧାରଣ ପରିଷଦ ବୈଠକ ବସିଥିଲା। ଉକ୍ତ ବୈଠକରେ ୨ ମେ’ ୨୦୧୦ରେ ନିର୍ବାଚନ କରିବାକୁ ସର୍ବସମ୍ମତ ନିଷ୍ପତ୍ତି ହୋଇଥିଲା। କିନ୍ତୁ ୨୯ ମାର୍ଚ୍ଚ ୨୦୧୦ରେ ସଂଘର ଜଣେ କାର୍ଯ୍ୟକାରୀ ସମିତି ସଦସ୍ୟ ଜୟନ୍ତ ପଟ୍ଟନାୟକ ତାଙ୍କର କାର୍ଯ୍ୟକାଳ ୨ ନୁହେଁ, ୪ ବର୍ଷ ବୋଲି ଦାବି କରି ସଂପାଦକ ସୌର୍ଯ୍ୟରଂଜନ ପରିଜାଙ୍କ ବିରୋଧରେ ଭୁବନେଶ୍ବର ସିଭିଲ ଜଜ୍‌ (ଜୁନିଅର ଡିଭିଜନ)ଙ୍କ ଅଦାଲତରେ ଏକ ମାମଲା ଦାଏର କରିଥିଲେ। ସେହି ମାମଲା ଯୋଗୁଁ ପ୍ରସ୍ତାବିତ ନିର୍ବାଚନ ଅଟକି ଯାଇଥିଲା। ଏହାପରେ ଅଦାଲତରେ ମାମଲା ଝୁଲି ରହିଲା। ଆବେଦନରେ କୌଣସି ସତ୍ୟତା ନଥିଲେ ବି ବାଦି ଓ ପ୍ରତିବାଦି ମିଶି ମାମଲାରେ ସମୟ ଗଡ଼ାଇ ଚାଲିଥିଲେ। ମାମଲାରେ ବିଳମ୍ବ ହେବାରୁ ସଂଘର ସଦସ୍ୟ ତଥା ବର୍ତ୍ତମାନର ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ୨୦୧୨ ମସିହାରେ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ଭୁବନେଶ୍ବର ସିଭିଲ୍ ଜଜ୍ (ଜୁନିଅର୍ ଡିଭିଜନ୍‌)ଙ୍କ ଅଦାଲତରେ ଚାଲିଥିବା ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା। ଗତ ସେପ୍‌ଟେମ୍ବର ‌୨୩ ତାରିଖରେ ହାଇକୋର୍ଟ ଏହାର ବିଚାର କରି ମୂଳ ମାମଲାକୁ ଖାରଜ କରିବା ସହ ତୁରନ୍ତ ସଂଘର ନିର୍ବାଚନ କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିଏଏର ନିର୍ବାଚିତ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ପରିବର୍ତ୍ତନ ସଂପର୍କିତ କୌଣସି ନିଷ୍ପତ୍ତି ପାଇଁ ନିୟମ ବା ବ୍ୟବସ୍ଥା ଅନୁଯାୟୀ ସଂଘର ସମ୍ବିଧାନରେ ଆବଶ୍ୟକ ସଂଶୋଧନ କରିବାକୁ କହିଥିଲେ। ଏହାପରେ ସେହି ଅନୁସାରେ ଆଇଜିଆର୍‌ରେ ଥିବା ସଂଘର ନିୟମାବଳୀରେ ଆବଶ୍ୟକ ସଂଶୋଧନ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର