୭ ବର୍ଷ ପରେ ବିହାର ଫେରିଲେ ବବିତା

ଖଣ୍ଡଗିରି : ଜନ୍ମ ଜନ୍ମ ପାଇଁ ଯାହା ହାତ ଧରି ବାପଘର ଛାଡ଼ିଥିଲେ, ସେ ନାନା ଅକଥନୀୟ ଅତ୍ୟାଚାର କରି ଶେଷରେ ପର କରିଦେଲା। ଅତ୍ୟାଚାରରେ ଅତିଷ୍ଠ ହୋଇ ମାନସିକ ଭାରସାମ୍ୟ ହରାଇବା ପରେ ପାଗଳୀ ସ୍ତ୍ରୀ ବୋଲି ଘରୁ ତଡ଼ିଦେଲା ନିଷ୍ଠୁର ସ୍ୱାମୀ। ରାଜରାସ୍ତାରେ ବୁଲୁବୁଲୁ ଜଣେ ପିଶାଚ ହାବୁଡ଼ରେ ପଡ଼ିଥିଲେ। କିନ୍ତୁ ସୌଭାଗ୍ୟକୁ ଦୁଃଖ ବଳେଇପଡ଼ିବା ଆଗରୁ ଭଗବାନ ବଞ୍ଚେଇ ଦେଲେ। ଦୁଇଟି ସ୍ୱେଚ୍ଛାସେବୀ ସଂଗଠନ ତାଙ୍କୁ ଉଦ୍ଧାର କଲେ। ଦୀର୍ଘ ୭ ବର୍ଷର ଚିକିତ୍ସା ପରେ ସେ ସୁସ୍ଥ ହେଲେ। ମାତ୍ର ହୋମକୁଣ୍ଡ ଚାରିପଟେ ସାତଫେରା ନେଇଥିବା ସ୍ୱାମୀ ତାଙ୍କୁ ଫେରାଇ ନେଲାନି। ଶେଷରେ ଭାଇ କୋଳେଇ ନେଲା ଭଉଣୀକୁ। ଏ ହେଉଛି ‘ଉଜ୍ଜ୍ୱଳା ହୋମ୍‌’ ଦ୍ୱାରା ଉଦ୍ଧାର ହୋଇ ‘ମିସନ୍‌ ଆଶ୍ରା’ରେ ଚିକିତ୍ସିତ ହେଉଥିବା ବିହାରର ବବିତାଙ୍କ କରୁଣ କାହାଣୀ।

୨୦୧୧ରେ ଖୋର୍ଧାରୋଡ୍‌ ରେଳ ଷ୍ଟେସନ୍‌ରୁ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ସ୍ୱେଚ୍ଛାସେବୀ ସଂଗଠନ ‘ଉଜ୍ଜ୍ୱଳା ହୋମ୍‌’ ଉଦ୍ଧାର କରିଥିଲା। ଜଣେ ଦଲାଲ୍‌ ତାଙ୍କୁ ଚାକିରି କରାଇବା ବାହାନାରେ ଆଣି ଷ୍ଟେସନ୍‌ରେ ବସାଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ହୋମ୍‌ର କର୍ମକର୍ତାମାନେ ସେଠାରେ ଚଢ଼ାଉ କରିଥିଲେ। ମାତ୍ର ଉକ୍ତ ଦଲାଲ ଜଣଙ୍କ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲା। ପଚରାଉଚରା କରିବା ପରେ ଜଣାଗଲା ଯେ ମହିଳା ଜଣଙ୍କ ବିହାରର ବାସିନ୍ଦା ଓ ସାମାନ୍ୟ ମାନସିକ ବିକାରଗ୍ରସ୍ତ ଥିଲେ। ନିଜ ନାମ ସୀମା ଶର୍ମା ଓରଫ ବବିତା ବୋଲି କହିବା ଛଡ଼ା ସେ ଆଉ କିଛି କହିପାରୁ ନଥିଲେ ଓ ତାଙ୍କୁ ଚାକିରି ଦରକାର ବୋଲି କେବଳ କହୁଥିଲେ। ମାନସିକ ବିକାରଗ୍ରସ୍ତ ବୋଲି ଜଣାପଡ଼ିବା ପରେ ବବିତାଙ୍କୁ ମିସନ୍‌ ଆଶ୍ରାରେ ରଖାଯାଇ ଚିକିତ୍ସା କରାଯାଇଥିଲା। ଧୀରେ ଧୀରେ ସେ ସୁସ୍ଥ ହେବା ପରେ ତାଙ୍କ କାହାଣୀ ଜଣାପଡ଼ିଥିଲା। ମଦୁଆ ସ୍ୱାମୀଙ୍କ ମାଡ଼ ଗାଳି ପରେ ତାଙ୍କ ଅବସ୍ଥା ଏମିତି ହୋଇଥିବା ଜଣାପଡ଼ିଥିଲା। ଏ ଭିତରେ ୭ ବର୍ଷ ବିତି ଯାଇଥିଲା। ବବିତାଙ୍କଠାରୁ ଠିକଣା ପାଇବା ପରେ ଉଜ୍ଜ୍ୱଳା ହୋମ୍‌ ପକ୍ଷରୁ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଇଥିଲା। ଖବର ପାଇ ଭଉଣୀକୁ ନେବାକୁ ଭାଇ ମନୋଜ ଶର୍ମା ଧାଇଁ ଆସିଥିଲେ। ଆଜି ସେ ବବିତାଙ୍କୁ ନେଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର