ବାବୁ ସିଂ କୋଟିପତି, ମହେନ୍ଦ୍ର ଗରିବ

0

ଭୁବନେଶ୍ବର: ଭୁବନେଶ୍ବରର ୩ଟି ନିର୍ବାଚନମଣ୍ଡଳୀରୁ ଆଜି ୮ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏକାମ୍ର ଭୁବନେଶ୍ବରରୁ ବିଜେପି ପ୍ରାର୍ଥୀ ବାବୁ ସିଂ, ସତ୍ୟଜିତ ଜେନା ଓ ଜ୍ଞାନେନ୍ଦ୍ର ମହାନ୍ତି ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ମଧ୍ୟରୁ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଉତ୍ତରରୁ ସିପିଆଇଏମ୍‌ଏଲ ଲିବରେସନ୍‌ ପ୍ରାର୍ଥୀ ମହେନ୍ଦ୍ର ପରିଡ଼ା ଓ ଆପ୍‌ର ଶୁଭାଶିଷ ପଟ୍ଟନାୟକ ଏଡିଏମ୍‌ଙ୍କ ନିକଟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏକାମ୍ର ବିଜେପି ପ୍ରାର୍ଥୀ ବାବୁ ସିଂ ସବୁଠାରୁ ଧନୀ ହୋଇଥିବା ବେଳେ ଦଳୀୟ ପ୍ରାର୍ଥୀଭାବେ ମହେନ୍ଦ୍ର ପରିଡ଼ା ସବୁଠାରୁ ଗରିବ। ବାବୁ ସିଂଙ୍କ ନିକଟରେ ପ୍ରାୟ ୨୫ଲକ୍ଷ ଟଙ୍କା ଓ ପତ୍ନୀଙ୍କ ନିକଟରେ ପ୍ରାୟ ୧୪ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି ରହିଛି। ତାଙ୍କର ୩ କୋଟି ୩୨ ଲକ୍ଷ ୯୭ ହଜାର ୪୭୪ଟଙ୍କାର ଅସ୍ଥାବର ସଂପତ୍ତି ଥିବା ବେଳେ ପତ୍ନୀଙ୍କ ନିକଟରେ ପ୍ରାୟ ୨୭ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତି ରହିଥିବା ଶ୍ରୀ ସିଂ ସତ୍ୟପାଠରେ ଦର୍ଶାଇଛନ୍ତି। ଉଭୟ ସ୍ବାମୀ-ସ୍ତ୍ରୀଙ୍କ ନାଁରେ ପ୍ରାୟ ୨୭ଲକ୍ଷ ଟଙ୍କାର ଲୋନ୍‌ ରହିଛି। ବାବୁଙ୍କର ୭୫ ହଜାର ଟଙ୍କା ଓ ପତ୍ନୀଙ୍କ ନିକଟରେ ୨ଲକ୍ଷ ୨୫ହଜାର ଟଙ୍କାର ସୁନା ଅଳଙ୍କାର ରହିଛି। ଏହାସହ ସାଢ଼େ ୧୫ଲକ୍ଷ ଟଙ୍କାର ଏକ୍ସୟୁଭି ୫୦୦ ଗାଡ଼ି ରହିଛି ବାବୁଙ୍କର। ତାଙ୍କ ହାତରେ ୪୯ ହଜାର ଟଙ୍କା ଥିବା ବେଳେ ପତ୍ନୀଙ୍କ ହାତରେ ୧୭ହଜାର ଟଙ୍କା ରହିଛି।

ଭୁବନେଶ୍ବର ମଧ୍ୟରୁ ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ। ୨୦୧୪ ସତ୍ୟପାଠରେ ଶ୍ରୀ ପ୍ରଧାନଙ୍କ ନିକଟରେ ୧୩ଲକ୍ଷ ୫୧ହଜାର ଟଙ୍କାର ଅସ୍ଥାବର ସଂପତ୍ତି ଥିବା ବେଳେ ୫ବର୍ଷରେ ଏହା ବୃଦ୍ଧି ପାଇ ୩୯ଲକ୍ଷ ୪୨ହଜାର ୭୫୮ଟଙ୍କାରେ ପହଞ୍ଚିଛି। ସେହିପରି ସ୍ଥାବର ସଂପତ୍ତିର ମୂଲ୍ୟ ପ୍ରାୟ ୫୦ଲକ୍ଷ ଟଙ୍କାରେ ପହଞ୍ଚିଛି। ଗତ ନିର୍ବାଚନରେ ଏହା ୧୬ଲକ୍ଷ ୧୦ହଜାର ଟଙ୍କା ରହିଥିବା ଜଗନ୍ନାଥ ସତ୍ୟପାଠରେ ଦର୍ଶାଇଥିଲେ। ତାଙ୍କ ହାତରେ ୪୦ ହଜାର ଟଙ୍କା ଥିବା ବେଳେ ଦେଢ଼ ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଛି। ପତ୍ନୀଙ୍କ ନିକଟରେ ୯ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ରହିଥିବା ଦର୍ଶାଇଛନ୍ତି। ପତ୍ନୀଙ୍କ ନିକଟରେ ଏକ ହ୍ୟୁଣ୍ଡାଇ ଆଇ୧୦ କାର ଥିବା ବେଳେ ଏହାର ଲୋନ୍ ବାବଦରେ ୨ଲକ୍ଷ ୮୭ହଜାର ଟଙ୍କା ୬୫୮ଟଙ୍କା ବାକି ରହିଛି। ଉତ୍ତର ଭୁବନେଶ୍ବରରୁ ସିପିଆଇ(ଏମ୍‌ଏଲ୍) ଲିବରେସନ୍‌ ପ୍ରାର୍ଥୀ ମହେନ୍ଦ୍ର ପରିଡ଼ାଙ୍କ ନିକଟରେ ମାତ୍ର ୪ହଜାର ଟଙ୍କା ଥିବା ବେଳେ ପତ୍ନୀଙ୍କ ନିକଟରେ ୨ହଜାର ଟଙ୍କା ଅଛି। ମହେନ୍ଦ୍ରଙ୍କ ୪୦ହଜାର ଟଙ୍କା ମୂଲ୍ୟର ବାଇକ୍ ଥିବା ବେଳେ ପତ୍ନୀଙ୍କ ନିକଟରେ ୩୦ହଜାର ଟଙ୍କାର ଏକ କାର ରହିଛି। ମହେନ୍ଦ୍ରଙ୍କ ନିଜସ୍ବ କୌଣସି ସ୍ଥାବର କି ଅସ୍ଥାବର ସଂପତ୍ତି ନ ଥିବା ବେଳେ ପତ୍ନୀଙ୍କର ୯୬ହଜାର ଟଙ୍କାର ଅସ୍ଥାବର ସଂପତ୍ତି ରହିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ଭୁବନେଶ୍ବର ମଧ୍ୟରୁ ଆପ୍‌ ପ୍ରାର୍ଥୀ ଶୁଭାଶିଷ ପଟ୍ଟନାୟକ ସତ୍ୟପାଠରେ ଅସ୍ଥାବର ସଂପତ୍ତି ମୂଲ୍ୟ ୨୨ଲକ୍ଷ ୪୪ହଜାର ୭୬୦ଟଙ୍କା ଥିବା ଦର୍ଶାଇଛନ୍ତି। ପତ୍ନୀଙ୍କ ନିକଟରେ ୧ଲକ୍ଷ ୬୨ ହଜାର ୯୩୯ଟଙ୍କା ରହିଛି। ଏହାସହ ୧୮ଲକ୍ଷ ୬୫ହଜାର ଟଙ୍କାର ସ୍ଥାବର ସଂପତ୍ତି ରହିଥିବା ବେଳେ ବ୍ୟାଙ୍କରୁ ପ୍ରାୟ ୩୭ ଲକ୍ଷ ଟଙ୍କାର ଲୋନ୍ ନେଇଛନ୍ତି। ତାଙ୍କ ହାତରେ ୨୦ହଜାର ଟଙ୍କା ଓ ପତ୍ନୀଙ୍କ ହାତରେ ୧୦ହଜାର ଟଙ୍କା ରହିଛି। ଶୁଭାଶିଷଙ୍କର ୪ଲକ୍ଷ ଟଙ୍କା ମୂଲ୍ୟର ଏକ ଗାଡ଼ି ଥିବା ବେଳେ ପତ୍ନୀଙ୍କ ନିକଟରେ କୌଣସି ସୁନା ଅଳଙ୍କାର ନାହିଁ। ଏହାସହ ଏକାମ୍ର ଭୁବନେଶ୍ବର ସ୍ବାଧୀନ ପ୍ରାର୍ଥୀ ଜ୍ଞାନେନ୍ଦ୍ର ମହାନ୍ତିଙ୍କ ହାତରେ ୩୦ହଜାର ଟଙ୍କା ଥିବା ବେଳେ ୧ଲକ୍ଷ ୧୦ ହଜାର ଟଙ୍କାର ବୁଲେଟ୍ ଓ ୧ଲକ୍ଷ ଟଙ୍କାର ସୁନା ଅଳଙ୍କାର ରହିଥିବା ସତ୍ୟପା‌ଠରେ ଦର୍ଶାଇଛନ୍ତି। ସେହିପରି ସତ୍ୟଜିତ ଜେନାଙ୍କ ୩ଲକ୍ଷ ୨୦ ହଜାର ଟଙ୍କାର ଅସ୍ଥାବର ଓ ୧ଲକ୍ଷ ୭ହଜାର ୫ଶହ ଟଙ୍କାର ସ୍ଥାବର ସଂପତ୍ତି ରହିଛି। ସେ ବ୍ୟାଙ୍କରୁ ୩ଲକ୍ଷ ୫ ହଜାର ଟଙ୍କାର ଲୋନ୍ ନେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.