ଅଳିଆଗଦାରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଗୁରୁତର ଅବସ୍ଥାରେ ଆସିୟୁରେ ଭର୍ତ୍ତି

ଚନ୍ଦ୍ରଶେଖରପୁର : ସମ୍ବେଦନହୀନତାର ଆଉ ଏକ ନଗ୍ନ ଚିତ୍ର ରାଜଧାନୀରେ ପୁଣି ଥରେ ଦେଖିବାକୁ ମିଳିଛି। ପିଲାଟିଏ ପାଇଁ ବାପା ମା’ କେତେ ପୂଜାପାଠ ଦିଅଁଦେବତା ପୂଜା କରୁଛନ୍ତି ତ ଆଉ କେଉଁଠି ସମ୍ମାନହାନୀ ଆଶଙ୍କାରେ ନବଜାତ ଶିଶୁଙ୍କୁ ଅଳିଆଗଦାରେ ଫିଙ୍ଗି ଦିଆଯାଉଛି। ଆଜି ସକାଳୁ ସକାଳୁ ସୈନିକ ସ୍କୁଲ ଅଞ୍ଚଳର ନିୟୁ କଲୋନି ନିକଟରେ ଥିବା ଅଳିଆଗଦା ଭିତରୁ ଏକ ପଲଥିନ୍‌ ବ୍ୟାଗ୍‌ରେ ଥିବା ଏକ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ସଦ୍ୟ ଜନ୍ମଗ୍ରହଣ କରିଥିବା ନବଜାତକର ନାଡ଼ି କଟାଯାଇ ନଥିବା ବେଳେ ଦେହସାରା ରକ୍ତ ଲାଗିଥିବା ଦେଖି ସମସ୍ତେ ନବଜାତକ ଜଣଙ୍କ ମୃତୁ ଶିଶୁ ବୋଲି ଭାବିଥିଲେ। ମାତ୍ର ଶିଶୁଟି ନିଶ୍ୱାସ ପ୍ରଶ୍ୱାସ ନେଉଥିବା ଓ କାନ୍ଦିବା ପରେ ସ୍ଥାନୀୟ ବାସିନ୍ଦା ପୁଲିସ୍‌କୁ ଖବର ଦେଇଥିଲେ। ପରେ ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ଖବର ଦିଆଯାଇଥିଲା।

ଶିଶୁପୁତ୍ରର ଅବସ୍ଥା ଗୁରୁତର ଥିବାରୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ୍‌ରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ତେବେ ଘରୋଇ ହସ୍ପିଟାଲ୍‌ ପକ୍ଷରୁ ଶିଶୁଟିର ଚିକିତ୍ସା ନିମନ୍ତେ ଅର୍ଥ ମଗାଯାଇଥିବା ଅଭିଯୋଗ ହେବା ପରେ ସିଡବ୍ଲ୍ୟୁସି ହସ୍ତକ୍ଷେପ କରିଥିଲା। ଶିଶୁର ସ୍ୱାସ୍ଥ୍ୟବସ୍ଥା ଭଲ ନହେବା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା କରିବା ନିମନ୍ତେ ସିଡବ୍ଲ୍ୟୁସି ପକ୍ଷରୁ ସଂପୃକ୍ତ ହସ୍ପିଟାଲ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ଚାଇଲ୍‌ଡ୍‌ ଲାଇନ୍‌ା ସଦସ୍ୟ ହସ୍ପିଟାଲକୁ ଯାଇ ଶିଶୁର ଅବସ୍ଥା ବୁଝିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ସିଡବ୍ଲ୍ୟୁସିର ସଦସ୍ୟ ବେଣୁଧର ସେନାପତି ସୂଚନା ଦେଇଛନ୍ତି। ଶିଶୁଟିର ଅବସ୍ଥା ସ୍ଥିର ହେବା ପରେ ତା’କୁ କ୍ୟାପିଟାଲ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯିବ। ଶିଶୁର ପରିଚୟ ଖୋଜିବା ନିମନ୍ତେ ଏ ସମ୍ପର୍କରେ ଥାନାରେ ରିପୋର୍ଟ କରାଯିବ। ଜନ୍ମପରେ ଶିଶୁକୁ ଏପରି ଅବସ୍ଥାରେ ଫୋପାଡ଼ି ଦିଆଯିବା ଏକ ଅପରାଧ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି। ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ହାଇଟେକ୍‌ ଛକ ନିକଟରୁ ମିଳିଲା ନବଜାତ ଶିଶୁର ମୃତଦେହ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ହାଇଟେକ୍‌ ହସ୍ପିଟାଲ ନିକଟରୁ ଏକ ନବଜାତ ଶିଶୁର ମୃତଦେହକୁ ଜବତ କରିଛି ପୁଲିସ। ଏ ନେଇ ମଞ୍ଚେଶ୍ୱର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ନବଜାତ ଶିଶୁଟି ଆଜି ପରିତ୍ୟକ୍ତ ଅବସ୍ଥାରେ ହସ୍ପିଟାଲ ନିକଟରେ ପଡ଼ିଥିଲା। ସ୍ଥାନୀୟ ଲୋକ ଶିଶୁଟି ବଞ୍ଚିଥିବା ଅନୁମାନ କରି ହସ୍ପିଟାଲରେ ଭର୍ତି କରିଥିଲେ। ତେବେ ଡାକ୍ତର କିନ୍ତୁ ଶିଶୁଟିକୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଲୋକ କିନ୍ତୁ ଅଭିଯୋଗ କରିଛନ୍ତି ଶିଶୁର ବେକରେ କଟା ଦାଗ ଥିଲା। ତେଣୁ ତାକୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୁଲିସ ଏ ଦିଗରେ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର