ଅଘଟଣର ଦିନ ଜଳିଗଲେ ୨ ଶ୍ରମିକ

ଦେଖୁଥିଲେ ହେଲେ ବଞ୍ଚାଇ ପାରିଲେନି, ଘରମାଲିକ ଓ ଠିକାଦାର ଫେରାର୍‌

ଭୁବନେଶ୍ୱର: ସକାଳୁ କୋଡ଼ି କୋଦାଳ ଧରି ବାହାରି ଯାଇଥିଲେ କାମକୁ। ଆଉ ମାତ୍ର କେଇ ଘଣ୍ଟା ପରେ କାମସାରି ମଜୁରି ନେଇ ଘରକୁ ଫେରିଥାଆନ୍ତେ। ହେଲେ ଘରକୁ ତାଙ୍କ ବଦଳରେ ଫେରିଥିଲା ତାଙ୍କର ଶବ। ଆଜି କୋଠା ମରାମତି କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଳିଯାଇଥିଲା ଦୁଇଟି ନୀରିହ ଜୀବନ। ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ଲକ୍ଷ୍ମୀସାଗର ସନ୍ତୋଷୀବିହାର ଅଞ୍ଚଳରେ। ସନ୍ତୋଷୀବିହାରର ଏକ କୋଠା ମରାମତି କାମ ଚାଲୁଥିବା ବେଳେ ବିଦ୍ୟୁତଘାତ ଯୋଗୁଁ ୨ଜଣ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଛନ୍ତି। ସେମାନେ ହେଲେ ମହମ୍ମଦ ଫାରୁକ ଓ ପାଣ୍ଡି ପ୍ରଧାନ। ଫାରୁକର ଘର ଝାରଖଣ୍ଡ ବୋଲି ଜଣାପଡ଼ିଥିବା ବେଳେ ସ୍ଥାନୀୟ ଠିକଣା ଜଣାପଡ଼ି ନାହିଁ। ଖବରପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକ ଦ୍ୱୟଙ୍କ ଅର୍ଦ୍ଧ ଦଗ୍ଧ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ପୁଲିସ ସୂଚନା ମୁତାବକ, ଗତକିଛି ଦିନ ହେବ ଫାରୁକ, ପାଣ୍ଡି ଓ ସେମାନଙ୍କ ସହଯୋଗୀମାନେ ସନ୍ତୋଷୀବିହାର ପ୍ଲଟ ନଂ-୧୦ରେ ଥିବା ରଘୁନାଥ ସାହୁଙ୍କ ତୃତୀୟ ମହଲା ମରାମତି କାମ କରୁଥିଲେ। ରବିବାର ଅପରାହ୍ନ ପ୍ରାୟ ସାଢ଼େ ୨ଟା ସମୟରେ ଫାରୁକ୍‌ ଓ ପାଣ୍ଡି ଉପରେ ରହି ନିର୍ମାଣ କାମ କରୁଥିବା ବେଳେ ତଳେଥିବା କିଛି ସହଯୋଗୀ ସେମାନଙ୍କୁ ମସଲା ଓ ରଡ୍‌ ଦେଉଥିଲେ। ଜଣେ ଶ୍ରମିକ ତଳୁ ପାଣ୍ଡିଙ୍କୁ ତୃତୀୟ ମହଲାର ଝରକା ବାଟେ ରଡ୍‌ ବଢ଼ାଇଥିଲେ। ପାଣ୍ଡି ରଡ୍‌ ଟାଣି ଘରଭିତରକୁ ଆଣୁଥିବା ବେଳେ ଝରକା ସମ୍ମୁଖରେ ଥିବା ୧୧କେଭି ତାରରେ ରଡ୍‌ଟି ଲାଗିଯାଇଥିଲା। ପାଣ୍ଡିଙ୍କ ଦେହରୁ ହଠାତ୍‌ ଧୂଆଁ ଦେଖି ସେଠାରେ ଥିବା ଫାରୁକ ପାଗଳ ପ୍ରାୟ ହୋଇଯାଇଥିଲେ। ପାଣ୍ଡିଙ୍କୁ ବଞ୍ଚାଇବା ପାଇଁ ରଡ୍‌କୁ ବିକଳରେ ଟାଣି ପକାଇଥିଲେ। ଫଳରେ ପାଣ୍ଡିଙ୍କ ସହ ସେ ମଧ୍ୟ ବିଦ୍ୟୁତ ଆଘାତରେ ଜିଅନ୍ତା ଜଳି ଯାଇଥିଲେ। ସେଠାରେ କାମ କରୁଥିବା ଅନ୍ୟମାନେ ଏଭଳି ଦୃଶ୍ୟ ଦେଖି କିଛି କ୍ଷଣ ପାଇଁ ହତ୍‌ବାକ ହୋଇପଡ଼ିଥିଲେ। ସେମାନଙ୍କ ସମ୍ମୁଖରେ ଜଳିଯାଉଥିଲା ଦୁଇ ସହଯୋଗୀଙ୍କ ଶରୀର। ସ୍ତବ୍ଧ ହୋଇ ଚାହିଁ ରହିଥିଲେ ସମସ୍ତେ। ବଞ୍ଚାଇବାକୁ ଚାହିଁ ମଧ୍ୟ କେହି କାହାକୁ ବଞ୍ଚାଇପାରି ନଥିଲେ। ନିମିଷକ ମଧ୍ୟରେ ଛାରଖାର ହୋଇଗଲା ଦୁଇଟି ଜୀବନ। ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରି ଜୀବନ ବିକଳରେ ତଳକୁ ଧାଇଁ ଥିଲେ କୋଠା ଉପରେ ଥିବା ଶ୍ରମିକମାନେ। ତଳେ ଥିବା କେତେକ ଶ୍ରମିକ ଝରକାବାଟେ ଧୂଆଁ ବାହାରୁଥିବା ଦେଖି ଚିତ୍କାର କରିଥିଲେ। ଏଭଳି ଚିତ୍କାର ଶୁଣି ଦୁଇଟି ମହଲାରେ ଥିବା ଲୋକେ ତଳକୁ ଧାଇଁଥିଲେ। ପାଟିଶୁଣି ସ୍ଥାନୀୟ ଲୋକମାନେ ବି ଧାଇଁ ଆସିଥିଲେ। ହେଲେ ସେତେବେଳକୁ ସବୁ ସରିଯାଇଥିଲା। ଦୁଇଟି ଜୀବନ ଦୀପ ଅକାଳରେ ଲିଭିଯାଇଥିଲା। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ ବିଭାଗକୁ ଜଣାଇଥିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘରୁ ଶ୍ରମିକ ଦ୍ୱୟଙ୍କ ଦଗ୍ଧ ଶରୀରକୁ ବାହାର କରିବା ପରେ ପୁଲିସ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଅନ୍ୟପଟେ ଘରମାଲିକ ଓ ଠିକାଦାର ଫେରାର୍‌ ଥିବାରୁ ପୁଲିସ ସେମାନଙ୍କୁ ଖୋଜୁଛି।

ସମ୍ବନ୍ଧିତ ଖବର